ବିଜେଡି ସରକାର କୋଳରେ ଘରୋଇ ଡିଲର: ୬ ବର୍ଷ ପରେ ବି ଉଚ୍ଛେଦ ହେଉନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୋଇ ଡିଲରଙ୍କ ମୋହ ଛାଡ଼ିପାରୁନାହାନ୍ତି ବିଜେଡି ସରକାର । ରାଜ୍ୟରୁ ୨ବର୍ଷ ଭିତରେ ପ୍ରାଇଭେଟ୍ (ଘରୋଇ) ଡିଲର ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବା ଓ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ୬ବର୍ଷ ପରେ ସେହି ପ୍ରାଇଭେଟ୍ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର(ଇନଷ୍ଟିଚ୍ୟୁସନାଲ ଡିଲର) ନିଯୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କ ମାଧ୍ୟମରେ ନିଜର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ବା ରାସନ ସାମଗ୍ରୀ ଯୋଗାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି […]

Rice

Rice

Jitendra Garnayak
  • Published: Friday, 23 September 2022
  • Updated: 23 September 2022, 09:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୋଇ ଡିଲରଙ୍କ ମୋହ ଛାଡ଼ିପାରୁନାହାନ୍ତି ବିଜେଡି ସରକାର । ରାଜ୍ୟରୁ ୨ବର୍ଷ ଭିତରେ ପ୍ରାଇଭେଟ୍ (ଘରୋଇ) ଡିଲର ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବା ଓ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ୬ବର୍ଷ ପରେ ସେହି ପ୍ରାଇଭେଟ୍ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର(ଇନଷ୍ଟିଚ୍ୟୁସନାଲ ଡିଲର) ନିଯୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କ ମାଧ୍ୟମରେ ନିଜର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ବା ରାସନ ସାମଗ୍ରୀ ଯୋଗାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ପୁଣିଥରେ ଏହି ପ୍ରାଇଭେଟ୍ ଡିଲରମାନଙ୍କୁ ସୁହାଇବା ପାଇଁ ଓଡ଼ିଶା ପିଡିଏସ୍ (କଂଟ୍ରୋଲ) ଅର୍ଡର-୨୦୧୬ରେ ଥିବା ବ୍ୟବସ୍ଥାକୁ ଆଉ ୬ମାସ ଅର୍ଥାତ୍ ୨୦୨୩ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଜାତୀୟ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଂଟନ ପାଇଁ ଘରୋଇ ଡିଲରଙ୍କ ପରିବର୍ତ୍ତେ ଆନୁଷ୍ଠାନିକ ଡିଲରଙ୍କୁ ନିଯୁକ୍ତି ଦେବାକୁ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ଓ ନିଜେ ପ୍ରଣୟନ କରିଥିବା ଆଇନକୁ ମାନୁନାହାନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ।

ସୂଚନା ଅନୁସାରେ,ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୫ ନଭେମ୍ବର ମାସରୁ କାର୍ଯ୍ୟକାରୀ ହେବାପରେ ଜଷ୍ଟିସ ୱାଧା କମିଶନଙ୍କ ସୁପାରିଶ ଆଧାରରେ ରାଜ୍ୟରୁ ଘରୋଇ ଡିଲରଙ୍କ ପରିବର୍ତ୍ତେ ଅନୁଷ୍ଠାନିକ ଡିଲର(ଇନଷ୍ଟିଚ୍ୟୁସନାଲ ଡିଲର)ଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏନେଇ ରାଜ୍ୟ କ୍ୟାବିନେଟ ୨୦୧୬ ଫେବୃୟାରୀ ୨୬ତାରିଖରେ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(କଂଟ୍ରୋଲ) ଅର୍ଡର-୨୦୧୬କୁ ଅନୁମୋଦନ କରିଥିଲେ । ଆଉ ୨୦୧୬ ମାର୍ଚ୍ଚ ୧୬ତାରିଖରେ ରାଜ୍ୟ ଖାଦ୍ୟଯୋଗାଣ ବିଭାଗ ପକ୍ଷରୁ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(କଂଟ୍ରୋଲ) ଅର୍ଡର-୨୦୧୬ର ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହାର ଅନୁଚ୍ଛେଦ ୪(୬) ଅନୁସାରେ ଉପରୋକ୍ତ ‘ଅର୍ଡର-୨୦୧୬’ ଅନ୍ତର୍ଗତ ଯେଉଁ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଡିଲର ନିଯୁକ୍ତି ଓ ଲାଇସେନ୍ସ ନବୀକରଣର କ୍ଷମତା ରହିଛି ସେ ଘରୋଇ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରଙ୍କୁ ନିଯୁକ୍ତି ଦେବାକୁ ନିଶ୍ଚିତ ପଦକ୍ଷେପ ନେବେ । ପଂଚାୟତ ଅବା ମ୍ୟୁନିସପାଲଟି,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମବାୟ ସୋସାଇଟି ଓ ଏସଏଚଜିଗୁଡ଼ିକୁ ସାଧାରଣ ବଂଟନ ବ୍ୟବସ୍ଥା ଦାୟିତ୍ୱ ଏହି ଗେଜେଟ୍ ବିଜ୍ଞପ୍ତି ଜାରିର ୨ବର୍ଷ ମଧ୍ୟରେ ଦେବାର ପ୍ରାବଧାନ ରହିଥିଲା ।

ତେବେ ଆଶ୍ଚର୍ଯ୍ୟର କଥା, ସରକାର ଏହି ଗେଜେଟ୍ ବିଜ୍ଞପ୍ତି ଜାରି କରି ଭୁଲି ଯାଇଛନ୍ତି । ଆଉ ଗତ ୭ବର୍ଷ ଧରି ନିୟମିତ ଭାବେ ଘରୋଇ ଡିଲରଙ୍କୁ ସୁହାଇବା ପାଇଁ କ୍ୟାବିନେଟରେ ଓଡ଼ିଶା ସାଧାରଣ ବଂଟନ ବ୍ୟବସ୍ଥା(କଂଟ୍ରୋଲ) ଅର୍ଡର-୨୦୧୬ର ଅବଧି ବାରମ୍ବାର ବୃଦ୍ଧି କରିଚାଲିଛନ୍ତି । କେତେବେଳେ ବର୍ଷକ ପାଇଁ ତ ଆଉ କେବେ ୬ମାସ ପାଇଁ ଏହି ଅବଧି ବୃଦ୍ଧି ପାଉଛି ।

ଏପରିକି ତତକାଳୀନ ଓଡ଼ିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ୨୦୧୮ ଜାନୁୟାରୀ ଶେଷ ସପ୍ତାହରେ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ଭାଷାରେ ଚିଠି ଲେଖି ସାଧାରଣ ବଂଟନ ବ୍ୟବସ୍ଥା(ପିଡିଏସ)ର ଘରୋଇ ଡିଲରମାନଙ୍କୁ ୨୦୧୮ ମାର୍ଚ୍ଚ ୧୫ସୁଦ୍ଧା ଉଚ୍ଛେଦ କରି ସେମାନଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲରଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ୨ବର୍ଷର ଅବଧି ମଧ୍ୟରେ ଘରୋଇ ଡିଲରଙ୍କ ପରିବର୍ତ୍ତେ ଆନୁଷ୍ଠାନିକ ଡିଲରଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ ବୋଲି ଲାଇସେନ୍ସ ପ୍ରଦାନକାରୀ ଅଧିକାରୀମାନେ ବୋଧହୁଏ ଭୁଲି ଯାଇଛନ୍ତି । ତେଣୁ ୨୦୧୮ ମାର୍ଚ୍ଚ ୧୫ ପରେ ଯେଭଳି ଜଣେ ବି ଘରୋଇ ଡିଲର କୌଣସି ‘ସୁଲଭ ମୂଲ୍ୟ ଦୋକାନ’ ପରିଚାଳିତ ନକରିବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିଥିଲେ । କୌଣସି ଜଣେ ବି ଲାଇସେନ୍ସଂ ପ୍ରଦାନକାରୀ ଅଧିକାରୀ ଏହି ଘରୋଇ ଡିଲରଙ୍କୁ ଉଚ୍ଛେଦ ପାଇଁ ଆଗ୍ରହ ନଦେଖାଇବା ଅତ୍ୟନ୍ତ ଚିନ୍ତାଜନକ ବୋଲି ତତକାଳୀନ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀ ଜାମୁଡ଼ା ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ।

ତେବେ ଶ୍ରୀ ଜାମୁଡ଼ାଙ୍କ ଏହି ଚିଠି ସେତେବେଳେ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇ ଦେଇଥିଲା । ଜାମୁଡ଼ାଙ୍କ କାର୍ଯ୍ୟକାଳ ସରିଗଲା ସିନା ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏପରିକି ଶ୍ରୀ ଜାମୁଡ଼ା ପରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ କେବଳ କାଗଜକଲମ ମଧ୍ୟରେ ସୀମିତ ହୋଇ ରହିଛି । ବର୍ତ୍ତମାନର ଖାଦ୍ୟ କମିଶନ ଅଧ୍ୟକ୍ଷ ପ୍ରମୋଦ କୁମାର ମେକାପ ଏ ଦିଗ ପ୍ରତି ଆଖିବୁଜି ଦେଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ଘରୋଇ ଡିଲରଙ୍କୁ ସୁହାଇବା ଭଳି ନିଷ୍ପତ୍ତି କ୍ୟାବିନେଟ ଗତ ୭ବର୍ଷ ଧରି ନେବାରେ ଲାଗିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ପିଡିଏସ୍ ବ୍ୟବସ୍ଥାରେ ମୋଟ ୧୩୬୩୦ଟି ସୁଲଭ ମୂଲ୍ୟ ଦୋକାନର ପରିଚାଳନା ଦାୟିତ୍ୱରେ ୭୦୬୮ଜଣ ଘରୋଇ ଡିଲର ଓ ବାକି ୬୫୬୨ଜଣ ଆନୁଷ୍ଠାନିକ ଡିଲର(ମହିଳା ଏସଏଚଜି, ସମବାୟ ସୋଇଟି ଓ ଏସଏଚଜି) ଅଛନ୍ତି । ୨୦୧୮ ଡିସେମ୍ବରରେ ଏହି ପିଡିଏସ୍ ବ୍ୟବସ୍ଥାରେ ମୋଟ ୧୪୦୫୩ ଟି ସୁଲଭ ମୂଲ୍ୟ ଦୋକାନ ଥିବାବେଳେ ସେଥିରୁ ୬୩୭୦ଟି ସୁଲଭ ମୂଲ୍ୟ ଦୋକାନର ଆନୁଷ୍ଠାନିକ ଡିଲର ଓ ୭୬୮୩ଟି ଘରୋଇ ଡିଲରଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଅର୍ଥାତ୍ ଗତ ୪ବର୍ଷ ମଧ୍ୟରେ (୨୦୧୮ରୁ ୨୦୨୨ ମସିହା) ମାତ୍ର ୬୦୫ଜଣ ଘରୋଇ ଡିଲରଙ୍କ ପରିବର୍ତ୍ତେ ଆନୁଷ୍ଠାନିକ ଡିଲରଙ୍କୁ ନିଯୁକ୍ତି ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos