ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ୍ ଗଠନ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁସାରେ, ଦୁଇ ବିଧାନସଭା ଆସନରେ ଉପନିର୍ବାଚନ ପ୍ରସ୍ତୁତି ନିମନ୍ତେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ଉପନିର୍ବାଚନକୁ ସୁରୁଖୁରୁ ପରିଚାଳନା କରିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି କହିଥିଲେ। ସାମାଜିକ ଦୂରତ୍ୱ ପାଳନ, ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ଗ୍ଲୋଭସ୍ ପିନ୍ଧିବା, ସାନିଟାଇଜର ଉପଯୋଗ, ଉଭୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଭୋଟରଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସେ ପରାମର୍ଶ ଦେଇଛନ୍ତି।
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଉପନିର୍ବାଚନରେ ପ୍ରଥମଥର ପାଇଁ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀସ୍ତରର ନୋଡାଲ୍ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ ବୁଥରେ ସର୍ବାଧିକ ଏକ ହଜାର ଭୋଟର ମତଦାନ କରିପାରିବେ। କରୋନା ସଂକ୍ରମିତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ ସେଣ୍ଟରରେ ରହୁଥିବା ସଂକ୍ରମିତଙ୍କୁ ଭୋଟଦାନର ଶେଷ ପର୍ଯ୍ୟାୟରେ ମତଦାନ ନିମନ୍ତେ ଅନୁମତି ପ୍ରଦାନ କରାଯିବ।
ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ ଓ ଭୋଟ ଗଣତି କେନ୍ଦ୍ର ସମ୍ପର୍କରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଦୁଇଟି ବିଧାନସଭା ଉପନିର୍ବାଚନ ପ୍ରକ୍ରିୟାକୁ ନଭେମ୍ବର ୨୯ତାରିଖ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ସହ ଶେଷ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିବାରୁ ଆଜି ଏହି ପ୍ରସ୍ତୁତି ବୈଠକ ବସିଥିଲା। ଏହି ପ୍ରସ୍ତୁତି ବୈଠକରେ ଦୁଇ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ମୃତ୍ୟୁ ଯୋଗୁ ଏହି ଦୁଇ ଆସନରେ ଉପନିର୍ବାଚନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।