୨ବର୍ଷ ପରେ ବସିଲା ଐତିହ୍ୟ କ୍ୟାବିନେଟ: ୭ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୨ବର୍ଷ ପରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଐତିହ୍ୟ କ୍ୟାବିନେଟରେ ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ୧୯୬୪ରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଓ ୨୦୧୪ରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷାର […]

gopabandhu-das-birthplace-suando

Manoranjan Sial
  • Published: Wednesday, 02 September 2020
  • , Updated: 02 September 2020, 06:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୨ବର୍ଷ ପରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଐତିହ୍ୟ କ୍ୟାବିନେଟରେ ମୋଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ୧୯୬୪ରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଓ ୨୦୧୪ରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେଇଥିବାବେଳେ ଆଜି କ୍ୟାବିନେଟ ବୈଠକରେ ଏହି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଭାରତ ସରକାରଙ୍କୁ ସୁପାରିସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶୀ ସଙ୍ଗୀତ ଏହି ପାରମ୍ପାରିକ ସଙ୍ଗୀତ ଶୈଳୀ ପୁରାତନ ଓ ଶାସ୍ତ୍ରାନୁସାରୀ ତଥା ଏହା ଦେଶର ଅନ୍ୟ ଶାସ୍ତ୍ରୀୟ ସଙ୍ଗୀତଗୁଡ଼ିକଠୁ ମଧ୍ୟ ସ୍ୱତନ୍ତ୍ର।

ସେହିପରି ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ଏକାଡେମୀ ପୁରସ୍କାର ରାଶିର ପରିମାଣ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ, ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନର ଅର୍ଥରାଶି ପରିମାଣକୁ ୧ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା, ଏକାଡେମୀଗୁଡ଼ିକର ପୁରସ୍କାର ରାଶି ୫୦ହଜାରୁ ୨ଲକ୍ଷ ଟଙ୍କା ଓ ଏକାଡେମୀ ସମ୍ବର୍ଦ୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ଓଡ଼ିଶାର ଐତିହ୍ୟ ଓ କୀର୍ତ୍ତିରାଜି, ପ୍ରାଚୀନମନ୍ଦିର, ସ୍ତୁପ ଓ ଭାସ୍କର୍ଯ୍ୟଗୁଡ଼ିକର ରକ୍ଷଣାବେକ୍ଷଣ ଓ ତଦାରଖ ନିମନ୍ତେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସଂସ୍କୃତି ବିଭାଗ ଅଧୀନରେ ସୃଷ୍ଟି ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ରାଜ୍ୟ ସଂଗ୍ରହାଳୟ ଅଧୀନରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ଉପବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଂଗ୍ରହାଳୟଗୁଡ଼ିକ ପରିଚାଳିତ ହେଉଛି। ଏସବୁର ରକ୍ଷଣାବେକ୍ଷଣ ସମେତ ପ୍ରାଚୀନ ପୋଥିର ଡିଜିଟାଇଜେସନ, ପଞ୍ଜିକରଣ, ସଂରକ୍ଷଣ ଓ ପ୍ରକାଶନ ଦିଗରେ କାର୍ଯ୍ୟ ଅବ୍ୟାହତ ରହିଛି। ଏହାର ପରିଚାଳନାରେ ସମସ୍ୟା ହେଉଥିବାରୁ ନୂତନ ଭାବେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ସେହିପରି ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ପୁରାତନ କୀର୍ତ୍ତିରାଜି, ପ୍ରାଚୀନ ମୁଦ୍ରା ଓ ଅଭିଲେଖ, ତାଳପତ୍ର ପୋଥି, ହାତୀଦାନ୍ତ କାରୁକଳା, ଅସ୍ତ୍ରଶସ୍ତ୍ର, ବ୍ରୋଞ୍ଜମୂର୍ତ୍ତି ଓ ପାରମ୍ପରିକ ଚିତ୍ର, ନୌବାଣିଜ୍ୟ ପରମ୍ପରା, ନୃତତ୍ତ୍ୱ ଓ ଅନ୍ୟ ଅମୂଲ୍ୟ ସମ୍ପଦକୁ ବିଶ୍ୱର କୋଣଅନୁକୋଣରେ ପହଂଚାଇବା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବା ସହ ଅନୁରୂପ ଢାଂଚାରେ ଆନନ୍ଦଭବନ ସଂଗ୍ରହାଳୟକୁ ମଧ୍ୟ ଭର୍ଚୁଆଲ କରାଯିବା ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସାମଗ୍ରିକ ବିକାଶ ଓ ଉନ୍ନତିକରଣ ପାଇଁ ସରକାର ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ସାଢ଼େ ୧୧କୋଟି ଟଙ୍କା ଖର୍ଚ୍ଚ ପାଇଁ ଆକଳନ କରାଯାଇଛି। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ସେହିପରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଏକାଡେମୀ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ କେନ୍ଦ୍ରଗୁଡ଼ିକରେ ଖାଲିପଡ଼ିଥିବା କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଏକ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଓ ଆବଶ୍ୟକ ପଡ଼ିଲେ ମନୋନୟନ ମାଧ୍ୟମରେ ଚୟନ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୨୬ତାରିଖରେ ପୁରୀଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ଏକ ଐତିହ୍ୟ କ୍ୟାବିନେଟ’ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଐତିହ୍ୟ କ୍ୟାବିନେଟ ପ୍ରଥମଥର ପାଇଁ ୨୦୧୮ ଜୁଲାଇ ୨୩ତାରିଖରେ ଅନୁଷ୍ଠିତ ହୋଇଥିଲା।

Related story