କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟ ରେଜିଷ୍ଟ୍ରାର୍ ଦାଏର କରିଥିବା ଏକ ମାମଲାର ଶୁଣାଣି କରିବାକୁ ଆଜି ହାଇକୋର୍ଟର ଫୁଲ୍ ବେଞ୍ଚ ବସିଥିବା ଜଣାଯାଇଛି। ଓଡ଼ିଶା ହାଇକୋର୍ଟ ଇତିହାସରେ କୌଣସି ମାମଲାରେ ଫୁଲ୍ ବେଞ୍ଚ ଶୁଣାଣି କରିବାରେ ଏହା ହେଉଛି ପ୍ରଥମ ଘଟଣା । ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ବିଚାରପତି ସାମିଲ ହୋଇଛନ୍ତି।
ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟର ବାର୍ ଆସୋସିଏସନ ସହିତ ରାଜ୍ୟର ଅନ୍ୟ ଓକିଲ ସଂଘ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ଏଥିଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏପରିକି ମାସ ମାସ ଧରି କୋର୍ଟ କାମ ଚାଲି ପାରୁନାହିଁ । ଏହା ଦ୍ୱାରା ସାଧାରଣ ଲୋକ ବି ହଇରାଣ ହେଉଛନ୍ତି। ଏହା ବିରୋଧରେ ନିଜେ ରେଜିଷ୍ଟ୍ରାର୍ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ ।
ଆଜି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ହାଇକୋର୍ଟ ବାର୍ ଆସୋସିଏସନ, ଜାତୀୟ ଓକିଲ ସଂଘ, ରାଜ୍ୟ ଓକିଲ ସଂଘ ଏବଂ ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତାଙ୍କୁ ନୋଟିସ୍ ହୋଇଛି । ଏଥି ସହିତ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବଙ୍କୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୨୧ ତାରିଖ ସୁଦ୍ଧା ଏହାର ଜବାବ ଦେବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।