ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବରେ ବ୍ରାଣ୍ଡ ନବୀନର ଜୋରଦାର ପ୍ରମୋସନ୍। ଗାଁରୁ ସହର, ପଂଚାୟତରୁ ଟୁଇନସିଟି ପର୍ଯ୍ୟନ୍ତ ସବୁଠି ହକି ବିଶ୍ୱକପ୍ ଗ୍ରାଣ୍ଡ ସେଲିବ୍ରେସନ୍। ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ କଡ଼ା ସମାଲୋଚନା କରିଛି। ହକି ବିଶ୍ୱକପ୍ ସେଲିବ୍ରେସନ୍ ଆଳରେ ଗ୍ରାମ ସଭା ଆୟୋଜନ କରି ମଳିନ ପଡିଯାଉଥିବା ନବୀନଙ୍କ ଛବିରେ ଚମକ୍ ଦେବାକୁ ପ୍ରୟାସ ବୋଲି ଆଜି ଏକ ସମ୍ବାଦିକ ସମ୍ମଳନୀରେ ଅଭିଯୋଗ କରିଛି ବିଜେପି। ଏଥିସହ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋଚନା ହେବା ସହ ସଠିକ୍ ହିତାଧିକାରୀ ଚିହ୍ନ ନହେଲେ ୩୧୪ ବ୍ଲକ୍ରେ ତାଲା ପକାଇବ ବୋଲି ବିଜେପି ଚେତାବନୀ ଦେଇଛି।
ପୁରୁଷ ହକି ବିଶ୍ୱକପ୍ ପାଇଁ ଗାଁ, ପଂଚାୟରେ ଲାଗିଛି ଏଲଇଡି ଟିଭି। କଟକ ବାରବାଟୀ ଷ୍ଟାଡିୟମ୍ରେ ବଲିଉ଼ଡ୍-ଓଲିଉଡ୍ ତାରକା, ସଙ୍ଗିତ ନିର୍ଦ୍ଦେଶକ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ତେବେ ଏହି ଉତ୍ସବ ପାଇଁ ପ୍ରତ୍ୟେକ ପଂଚାୟତରେ ସ୍ୱତନ୍ତ୍ର ଭାବେ ଗ୍ରାମସଭା ଆୟୋଜନ କରିବାକୁ ନେଇ ଦେଖାଦେଇଛି ବିବାଦ। ଏପରିକି ପଂଚାୟତରେ ଏଥିପାଇଁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଏହି ଗ୍ରାମସଭାକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି।
ହକି ବିଶ୍ୱକପ୍ ସେଲିବ୍ରେସନ୍ ଆଳରେ ଗ୍ରାମସଭା କରି ନବୀନଙ୍କ ପ୍ରଚାର କରାଯାଉଥିବା ଆଜି ଏକ ସମ୍ବାଦିକ ସମ୍ମଳନୀରେ ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ମଳିନ ପଡିଯାଉଥିବା ନବୀନଙ୍କ ଛବିକୁ ଚମକାଇବା, ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଘଣ୍ଟ ଘୋଡାଇବା ପାଇଁ ଏଭଳି ପ୍ରୟାସ ବୋଲି ଅଭିଯୋଗ କରିଛି ବିଜେପି। ତେବେ ଗ୍ରାମସଭାରେ ପିଏମ୍ ଆବାସ ଯୋଜନା ସଂପର୍କରେ ଆଲୋଚନା ହେବା ସହ ଡିସେମ୍ବର ୨୧ ତାରିଖ ସୁଦ୍ଧା ପଂଚାୟତ କାନ୍ଥରେ ଆବାସ ଯୋଜନାର ଟେଣ୍ଟାଟିଭ୍ ଲିଷ୍ଟ ମାରିବା କଥା। ଏହା ହେଲାନି। ମାତ୍ର ମନଇଚ୍ଛା ଚୂଡାନ୍ତ ତାଲିକା ହୋଇଗଲାଣି। ତେଣୁ ଗ୍ରାମସଭାକୁ ଅସିଦ୍ଧ ଘୋଷଣା କରାଯାଉ, ନହେଲେ ୩୧୪ ବ୍ଲକ୍ରେ ତାଲା ପକାଇବ ବୋଲି ଚେତାବନୀ ଦେଇଛି ବିଜେପି।
ସେପଟେ ଭୋଟ ପାଇଁ ଏଭଳି ପ୍ରଚାର ପ୍ରସାର କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ତେବେ ହକି ବିଶ୍ୱକପ୍ ଆୟୋଜନ ନିମନ୍ତେ ବ୍ରାଣ୍ଡିଂ, ମିଡିଆ ପବ୍ଲିସିଟି, ଇଭେଣ୍ଟ ମ୍ୟାନେଜେମେଣ୍ଟ ଭଳି କାର୍ଯ୍ୟକ୍ରମ ପାଇଁ ୭୫ କୋଟି ଟଙ୍କା ଖର୍ଚ୍ଚ ହେଉଥିବା କୁହାଯାଉଛି। ତେବେ ଦେଖିବାର କଥା ଏହା ଦ୍ୱାରା ଓଡ଼ିଶାର ଲାଭ କେତେମାତ୍ରାରେ ହୋଇପାରୁଛି।