ଦେବେନ୍ଦ୍ର ପୃଷ୍ଟି
ଶାସନ କଳରେ ପ୍ରଥମେ ଏକ ପ୍ରାଶାସନିକ ରୋଗ ଭାବେ ସଂକ୍ରମଣ କରିଥିଲା ଦୁର୍ନୀତିର କର୍କଟ। ପରେ ଏହା ରାଜନୀତିକ କ୍ଷେତ୍ରକୁ ବ୍ୟାପିଲା। ଏବେ ଏହା ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇଛି। ଏବେ ନେତା, ବାବୁ ଓ ଭୋଟର ସମସ୍ତେ ନିଜନିଜ ସ୍ତରରେ ଦୁର୍ନୀତି କରୁଛନ୍ତି। ଭାରତର ସବୁ ନେତା, ସବୁ ବାବୁ ଓ ସବୁ ଭୋଟର ଯଦିଓ ଦୁର୍ନୀତିରେ ସଂପୃକ୍ତ ନାହାନ୍ତି ତଥାପି ଭାରତ ଶାସନ କ୍ଷେତ୍ରରେ ଏହା ଏକ ମାରାତ୍ମକ ବ୍ୟାଧିରେ ପରିଣତ ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଅନେକ ସମୟରେ ଦୁର୍ନୀତିକୁ କର୍କଟ ରୋଗ ସହିତ ତୁଳନା କରୁଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେଥିରୁ ବାଦ ନୁହନ୍ତି। ରାଜ୍ୟବାସୀଙ୍କୁ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇଦେବା ପାଇଁ ସେ ମୂଳରୁ ସଂକଳ୍ପ ଘୋଷଣା କରିଛନ୍ତି। ସେଥିପାଇଁ ସେ ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି ଗ୍ରହଣ କରିଛନ୍ତି ବୋଲି ଅନେକ ସମୟରେ କହିଥାନ୍ତି।
ଜିରୋ ଟଲେରାନ୍ସର ଆକ୍ଷରିକ ଓଡ଼ିଆ ହେବ ଶୂନ୍ୟ ସହନଶୀଳତା। ଅର୍ଥାତ ନବୀନବାବୁଙ୍କ ସରକାର ଦୁର୍ନୀତିକୁ ଆଦୌ ସହ୍ୟ କରନ୍ତି ନାହିଁ ବୋଲି ତାଙ୍କ ଦଳ ଓ ସରକାରଙ୍କ ତରଫରୁ ବାରମ୍ବାର ଘୋଷଣା କରାଯାଏ। ତାଙ୍କ ଦଳର ମୁଖପାତ୍ରମାନେ କହନ୍ତି, ନବୀନବାବୁ କୌଣସି ଦୁର୍ନୀତି ସହ୍ୟ କରନ୍ତି ନାହିଁ। ଯେତେବେଳେ ଗଣମାଧ୍ୟମରେ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୁଏ ସେତେବେଳେ ତାଙ୍କର ମନ୍ତ୍ରୀ ଓ ମୁଖପାତ୍ରମାନେ ବାରମ୍ବାର କହିଥାନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ କାହାକୁ ଛାଡ଼ିବେ ନାହିଁ, ଦୁର୍ନୀତି ପ୍ରମାଣିତ ହେଲାମାନେ ସେ ଯେତେବଡ଼ ଲୋକ ହୋଇଥାନ୍ତୁ କାହିଁକି ନବୀନବାବୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏନେଇ ସେମାନେ ଅନେକ ଉଦାହରଣ ମଧ୍ୟ ଦେଇଥାନ୍ତି। ଦୁର୍ନୀତି ଛାୟାରେ ଥିବା ସନ୍ଦେହ କରିବା ପରେ ତାଙ୍କ ପ୍ରଥମ ଦଫା ମୁଖ୍ୟମନ୍ତ୍ରିତ୍ୱ ସମୟରେ ସେ କେମିତି ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କଲେ, ପ୍ରଫୁଲ୍ଲ ମିଶ୍ରଙ୍କ ପରି କେତେ ଜଣ ବଡ଼ ଅଫିସରଙ୍କ ବିରୋଧରେ ସେ କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେବା ପରେ ଅନେକ ତଳିଆ ଅଧିକାରୀଙ୍କୁ କିପରି ବହିଷ୍କାର କଲେ ଆଦି ନବୀନଙ୍କର ଅନେକ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇଥାନ୍ତି ବିଜେଡି ନେତା ଓ ମନ୍ତ୍ରୀ।
୨୦୧୯ ନଭେମ୍ବର ୧ ତାରିଖରେ ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ତାଙ୍କ ସରକାରର ଦୁର୍ନୀତି ବିରୋଧୀ ‘ଜିରୋ ଟଲେରାନ୍ସ’ ନୀତି ସଂପର୍କରେ ଅବତାରଣା କରିଛନ୍ତି। ଦୁର୍ନୀତି ଯୋଗୁଁ ବିକାଶ ପ୍ରକଳ୍ପଗୁଡ଼ିକ ସଠିକ ରୂପେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଦୁର୍ନୀତି ଯୋଗୁଁ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକରୁ ଆଶାନୁଯାୟୀ ସୁଫଳ ମିଳୁ ନାହିଁ। ଦୁର୍ନୀତି ଯୋଗୁଁ ସାଧାରଣ ଲୋକମାନେ ସଠିକ ସମୟରେ ଉପଯୁକ୍ତ ସରକାରୀ ସେବା ପାଇପାରୁ ନାହାନ୍ତି। ତେଣୁ ଶାସନ ଓ ପ୍ରଶାସନରୁ ଦୁର୍ନୀତି ହଟେଇବାକୁ ତାଙ୍କ ସରକାର ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।
ତେବେ, ଦୁଃଖ ଓ ପରିତାପର ବିଷୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ଅନ୍ୟ ନେତାମାନଙ୍କର ଏଭଳି ଦୁର୍ନୀତି ବିରୋଧୀ ଉଚ୍ଚାରଣ ଭଣ୍ଡବାବାମାନଙ୍କର ଆଧ୍ୟାତ୍ମିକ ପ୍ରବଚନ ଭଳି ପ୍ରତାରଣାରେ ପରିଣତ ହୋଇଛି। ଏହା କେବଳ ଓଡ଼ିଶାବାସୀଙ୍କ ସହିତ ପ୍ରତାରଣା ନୁହେଁ, ଆତ୍ମପ୍ରବଞ୍ଚନା ମଧ୍ୟ। ପ୍ରକୃତରେ ଯଦି ନବୀନବାବୁ, ତାଙ୍କର ବିଜୁ ଜନତା ଦଳ ଓ ଏ ଦଳର ସରକାର ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି ଗ୍ରହଣ କରିଥାନ୍ତେ ତାଙ୍କ ଦଳ ନିର୍ବାଚନ ଲଢ଼ିବାକୁ ପାଣ୍ଠି ପାଆନ୍ତା କୁଆଡ଼ୁ? ତାଙ୍କ ଦଳର ବିଧାୟକ, ସରକାରର ମନ୍ତ୍ରୀ ଓ ବାବୁମାନଙ୍କ ସଂପତ୍ତି ବର୍ଷକୁ ବର୍ଷ ମୁଦ୍ରାସ୍ଫୀତି ହାରଠାରୁ ବି ଅଧିକ ହାରରେ ବଢ଼ନ୍ତା କିପରି? ବିଜେଡି ତରଫରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ହିସାବ ଅନୁସାରେ ୨୦୧୯ ନିର୍ବାଚନରେ ଦଳ ଖର୍ଚ୍ଚ କରିଛି ୨୨୮ କୋଟି ଟଙ୍କା। ପୂର୍ବ ନିର୍ବାଚନ ତୁଳନାରେ ଏହା ୧୮୦୦ ପ୍ରତିଶତ ଅଧିକ। ଦଳ ଏତେ ଟଙ୍କା ଆଣିଲା କୁଆଡ଼ୁ? ଏହା କ’ଣ ଦଳର ସଦସ୍ୟ ଚାନ୍ଦା? ନା ଶିଳ୍ପପତି ଓ ବ୍ୟବସାୟୀଙ୍କ ନିର୍ବାଚନୀ ଦାନ?
ଏଇ କେଇ ଦିନ ତଳେ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଶେଷରେ ଦଳ ତରଫରୁ ପ୍ରେସକୁ କୁହାଯାଇଛି ଯେ ଦଳର ସଦସ୍ୟ ସଂଖ୍ୟା ୪୧ ଲକ୍ଷରେ ପହଂଚିଛି। ପ୍ୟାରୀବାବୁ ଦଳର ମାର୍ଗଦର୍ଶକ ଥିଲାବେଳେ ୨୦୧୨ ଯାଏଁ ଦଳର ସଦସ୍ୟ ସଂଖ୍ୟା ୨୫ ଲକ୍ଷରେ ପହଂଚିଥିଲା ବୋଲି କୁହାଯାଉଥିଲା। ଏହି ସଦସ୍ୟମାନେ ବାର୍ଷିକ ୧୦୦ ଟଙ୍କା ଚାନ୍ଦା ଦେଲେ ଦଳର ବାର୍ଷିକ ଆୟ ହେବ ୪୧ କୋଟି, ୫ ବର୍ଷରେ ୨୦୫ କୋଟି। ଏ ହିସାବରେ ଦଳ ୨୨୮ କୋଟି ଟଙ୍କା ଖର୍ଚ୍ଚ କରିବା ଅସ୍ୱାଭାବିକ ନୁହେଁ। ମାତ୍ର ଦଳର ସଦସ୍ୟ ସଂଖ୍ୟା ଏ ନିର୍ବାଚନ ପୂର୍ବରୁ ଯଦି ୩୦ ଲକ୍ଷ ଧରାଯାଏ ତେବେ ବାର୍ଷିକ ସଭ୍ୟଚାନ୍ଦା ୩୦ କୋଟି ହିସାବରେ ୫ ବର୍ଷରେ ୧୫୦ କୋଟି ହେବ। ବାକି ୭୮ କୋଟି ଟଙ୍କା ଆସିଲା କୁଆଡ଼ୁ? ଏହା ପୁଣି ହେଉଛି ଦଳ ନିର୍ବାଚନ କମିଶନଙ୍କୁ ଦେଇଥିବା ହିସାବ ଖର୍ଚ୍ଚ। ମାତ୍ର, ବାସ୍ତବରେ ଦଳ ଗତ ନିର୍ବାଚନରେ ବିଧାନସଭା ଆସନ ପିଛା ୫ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ବିପକ୍ଷ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ସେମାନଙ୍କ କଥାକୁ ସତ ବୋଲି ବିଶ୍ୱାସ କରାଗଲେ ଦଳର ନିର୍ବାଚନୀ ଖର୍ଚ୍ଚ ୭୩୫ କୋଟି ଟଙ୍କା ହେବ। କୌଣସି ଶିଳ୍ପପତି ଓ ବ୍ୟବସାୟୀଙ୍କୁ କିଛି ସୁବିଧା ଓ ଅନୁକମ୍ପା ନଦେଇ କ’ଣ ନବୀନବାବୁଙ୍କ ଦଳ ଏତେ ଟଙ୍କାର ଚାନ୍ଦା ସଂଗ୍ରହ କରିଥିବ? ଓଡ଼ିଶାରେ ପୂଜାଚାନ୍ଦା ଦେଲେ ବି କ୍ଲବ ପିଲାମାନେ ଘରେ ଆଣି ଚରୁ କି ପ୍ରସାଦ ଦେଇଯାଆନ୍ତି। ସେହିଭଳି ଯେଉଁମାନେ ବିଜେଡିକୁ ଚାନ୍ଦା ଦେଇଥିବେ ସେମାନେ ଯେ ସରକାରଙ୍କଠାରୁ କିଛି ପାଇ ନଥିବେ ତାହା ବିଶ୍ୱାସ କରିବା ମୁର୍ଖାମି ଛଡ଼ା କିଛି ନୁହେଁ।
ନବୀନବାବୁଙ୍କ ଅମଳରେ ଲକ୍ଷାଧିକ କୋଟି ଟଙ୍କାର ଖଣି ଦୁର୍ନୀତି ହେଲା। ପ୍ୟାରୀବାବୁ ମାର୍ଗଦଶର୍କ ଥିଲାବେଳେ ଏ ବିଷୟ ପଦାକୁ ଆସିଥିଲା। ସେତେବେଳେ ବିରୋଧୀ ଦଳଗୁଡ଼ିକ ଏହାର ସିବିଆଇ ତଦନ୍ତ ଦାବି କରିଥିଲେ। ପ୍ୟାରୀବାବୁ ବିଜେଡିର ଏକ ବୈଠକରେ କହୁ କହୁ କହିଦେଇଥିଲେ ଯେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଆତ୍ମହତ୍ୟା କରିବା ଭଳି ହେବ। ସେଥିପାଇଁ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଦାଏର ହୋଇଥିବା ମାମଲାକୁ ବିଜେଡି ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିରୋଧ କରିଥିଲେ। ଦୁର୍ନୀତି ବିରୋଧରେ ଯଦି ବିଜେଡି ସରକାର ଓ ନବୀନବାବୁ ‘ଜିରୋ ଟଲେରାନ୍ସ’ ନୀତି କାର୍ଯ୍ୟକାରୀ କରୁଥାନ୍ତେ ତେବେ ଖଣି ଦୁର୍ନୀତିର ସିବିଆଇ ତଦନ୍ତକୁ ବିରୋଧ କରୁଥିଲେ କାହିଁକି? ଏହା ଥିଲା ସିବିଆଇ ବିରୋଧରେ ବିଜେଡି ସରକାରଙ୍କ ‘ଜିରୋ ଟଲେରାନ୍ସ’ ନୀତି। ଠିକ ସେହିପରି ଚିଟ୍ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟରେ ହୋଇଥିବା ମାମଲାକୁ ମଧ୍ୟ ରାଜ୍ୟ ସରକାର କୋଟିକୋଟି ଟଙ୍କାର ଓକିଲ ଫି ଦେଇ ବିରୋଧ କରିଥିଲେ। ଏହା କ’ଣ ରାଜ୍ୟ ସରକାରଙ୍କର ଦୁର୍ନୀତି ବିରୋଧୀ ‘ଜିରୋ ଟଲେରାନ୍ସ’ ନୀତିର ପ୍ରମାଣ ଥିଲା?
ଏହିପରି ଅନେକ ଉଦାହରଣ ରହିଛି। ଯଦି ସରକାର ବାସ୍ତବରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି କାର୍ଯ୍ୟକାରୀ କରୁଥାନ୍ତେ ତେବେ ଦୁର୍ନୀତିର ବିହନ ଆଦୌ ଗଜା ହୁଅନ୍ତା ନାହିଁ ବା ଦୁର୍ନୀତି ବିହନ ବୁଣିଲେ ବି ଗଜା ମରୁଡ଼ି ହୁଅନ୍ତା। ଏହା ପରିବର୍ତ୍ତେ ନବୀନବାବୁଙ୍କ ଅମଳରେ ଦୁର୍ନୀତି ଏକ ମହାଦ୍ରୁମରେ ପରିଣତ ହେଲା କିପରି? ବଣୁଆ ଘାସ ପରି ଶାସନ ଓ ପ୍ରଶାସନକୁ ସଂପୂର୍ଣ୍ଣ ଗ୍ରାସ କରିଗଲା କିପରି? ମଝିରେ ମଝିରେ ଲୋକ ଦେଖାଣିଆ ଭାବେ ଧରାଯାଉଥିବା କୋଟିପତି ସରପଂଚ, କୋଟିପତି ଏମଭିଆଇ, କୋଟିପତି ଇଂଜିନିଅର, କୋଟିପତି ଶିକ୍ଷୟିତ୍ରୀ, କୋଟିପତି ଡାକ୍ତର ଦଂପତ୍ତି, କୋଟିପତି ତହସିଲଦାର ପ୍ରମୁଖ ଏତେ ଅଧିକ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବାର ସୁଯୋଗ, ସୁବିଧା ଓ ସାହସ ପାଇଲେ କେମିତି? ଦୁର୍ନୀତିକୁ ପ୍ରଥମରୁ ସହ୍ୟ କରି, ଦୁର୍ନୀତି ବିହନ ବୁଣି, ଭଲ ଅମଳ ପାଇଁ ଭଲ ବେଉଷଣ କରାଯାଇଥିବାରୁ ରାଜ୍ୟ ଶାସନ କଳରେ ଏବେ ଦୁର୍ନୀତିର ଫଳ ସବୁ ବିଭାଗରେ, ସବୁ ଦପ୍ତରରେ, ସବୁ ସ୍ତରରେ। ଚିଟ୍ ଫଣ୍ଡ ଦୁର୍ନୀତି ତଦନ୍ତବେଳେ ନବୀନ ନିବାସରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରିଥିଲା ସିବିଆଇ। ପରେ କୌଣସି କାରଣରୁ ସେଇ ଗନ୍ଧ ସିବିଆଇ ପାଇଁ ବାସ୍ନାରେ ପରିଣତ ହେଲା, ତାହା ଅନ୍ୟ ଏକ ରହସ୍ୟ।