ରାତି ଅନ୍ଧକାରରେ ରକ୍ତାକ୍ତ ହୋଇ ଗାଁ ଦାଣ୍ଡରେ ଧାଇଁଥିଲେ ମହିଳା

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରେମିକା ଥିଲେ, ପତ୍ନୀ ହେଲେ। ବଧୂ ସାଜି ଆସିଥିଲେ, ଦୁଇ ଛୁଆର ମାଆ ହେଲେ। ପ୍ରେମ ପ୍ରଣୟରୁ ଆରମ୍ଭ ହୋଇଥିବା ବୈବାହିକ ଜୀବନ ଏବେ ଦେଖାଦେଇଛି ତିକ୍ତତା। ୧୧ ବର୍ଷରେ ବଦଳିଯାଇଛି ପ୍ରେମର ପରିଭାଷା। ଜୀବନଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀଙ୍କୁ ମାରିଦେବାକୁ ଉଦ୍ୟମ କରିଛନ୍ତି ସ୍ୱାମୀ। ହତ୍ୟା କରିବା ପାଇଁ ଟାଙ୍ଗିଆ ଧରି ଗୋଡ଼ାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ୧୧ ବର୍ଷ ତଳେ ଫୁଲଣ ପାତ୍ରଙ୍କୁ […]

Attack

  • Published: Monday, 14 November 2022
  • , Updated: 14 November 2022, 10:16 PM IST

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରେମିକା ଥିଲେ, ପତ୍ନୀ ହେଲେ। ବଧୂ ସାଜି ଆସିଥିଲେ, ଦୁଇ ଛୁଆର ମାଆ ହେଲେ। ପ୍ରେମ ପ୍ରଣୟରୁ ଆରମ୍ଭ ହୋଇଥିବା ବୈବାହିକ ଜୀବନ ଏବେ ଦେଖାଦେଇଛି ତିକ୍ତତା। ୧୧ ବର୍ଷରେ ବଦଳିଯାଇଛି ପ୍ରେମର ପରିଭାଷା। ଜୀବନଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀଙ୍କୁ ମାରିଦେବାକୁ ଉଦ୍ୟମ କରିଛନ୍ତି ସ୍ୱାମୀ। ହତ୍ୟା କରିବା ପାଇଁ ଟାଙ୍ଗିଆ ଧରି ଗୋଡ଼ାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି।

୧୧ ବର୍ଷ ତଳେ ଫୁଲଣ ପାତ୍ରଙ୍କୁ ଡଙ୍ଗା ଗାଁର କୃତିବାସ ବେହେରା ପ୍ରେମ ବିବାହ କରିଥିଲେ। ତା’ପରେ ସେମାନେ ଘର ସଂସାର କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଫୁଲଣ ଦୁଇ ପିଲାର ମାଆ। ତଥାପି ଏ ବୟସରେ ଯୌତୁକ ଆଣିବା ପାଇଁ ବାଧ୍ୟ କରାଉଛନ୍ତି କୃତିବାସ। ଏଥିରେ ରାଜି ନହେବାରୁ କୃତିବାସ ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି।

ରବିବାର ରାତିରେ ଫୁଲଣ ଘର ଭିତରେ ଛିଡ଼ା ହୋଇଥିଲେ। ଠିକ୍‌ ଏହି ସମୟରେ କୃତିବାସ ଆସି ତାଙ୍କୁ ଚାପୁଡ ପରେ ଚାପୁଡ଼ା ମାରିଲେ। ପରେ ଫୁଲଣ ଘରୁ ବାହାରି ବାରଣ୍ଡାକୁ ପଳାଇ ଆସିଥିଲେ। ସେଠାରେ କୃତିବାସ ଓ ତାଙ୍କ ମାଆ ତାଙ୍କୁ ମୁଣ୍ଡ ଚୁଟି ଟାଣି ପ୍ରବଳ ମାଡ଼ ମରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ଦୁଇ ଗୋଡ଼କୁ ଧରି ଫାଡି ଦେବାକୁ ଉଦ୍ୟମ କରୁଥିଲେ। ସେମାନଙ୍କ କବଳରୁ ମୁକୁଳି ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ କୃତିବାସ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସୌଭାଗ୍ୟ ବସତଃ ଟାଙ୍ଗିଆ ଚୋଟଟି ତାଙ୍କ ଦେହରେ ବାଜିନଥିଲା। ମାତ୍ର ତାଙ୍କ ହାତର ଆଙ୍ଗୁଠି କଟି ଯାଇଥିଲା।

ରାତି ଅନ୍ଧକାରରେ ରକ୍ତାକ୍ତ ହୋଇ ଫୁଲଣ ଗାଁ ଦାଣ୍ଡରେ ଧାଉଁଥିଲେ। ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ। ଆଉ ପଛରେ ଟାଙ୍ଗିଆ ଧରି ଧାଇଁଥିଲା ରାକ୍ଷସ ସ୍ୱାମୀ। ଫୁଲଣ କରୁଣ ଚିତ୍କାର ଅସ୍ଥିର କରିଥିଲା ଗାଁ ଲୋକଙ୍କ ହୃଦୟ ଓ ବିବେକକୁ। ଶେଷରେ ମିଳିତ ଭାବେ ଗାଁ ଲୋକେ ଫୁଲଣଙ୍କୁ ରକ୍ଷା କରିବା ପାଇଁ ଦାଣ୍ଡକୁ ବାହାରିଥିଲେ। ଆଉ ଛତ୍ରଭଙ୍ଗ ଦେଇଥିଲା ନର ରୂପି ରାକ୍ଷସ ସ୍ୱାମୀ।

ଗାଁ ଲୋକେ ଏହା ପରେ ଫୁଲଣଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଡଙ୍ଗା ଗାଁରେ ପହଞ୍ଚିଥିଲେ ଫୁଲଣଙ୍କ ଭାଇ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ଫୁଲଣର ଆଙ୍ଗୁଠି ଅସ୍ତ୍ରୋପ୍ରଚାର କରିଥିଲେ। ଚିକିତ୍ସା ପରେ ଏବେ ଫୁଲଣ ସାମାନ୍ୟ ସୁସ୍ଥ ଅଛନ୍ତି।

ଫୁଲଣଙ୍କ ଭାଇ ଅଫିସର ପାତ୍ର ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇ ସମୀର ରାଉତ କହିଛନ୍ତି।

Related story