କାହିଁକି ମନ୍ଦିରରୁ ଚୋରି ହେଉଛି ଅଷ୍ଟ ଧାତୁର ମୂଲ୍ୟବାନ୍‌ ମୂର୍ତ୍ତି?

ପୁରୀ (ଓଡ଼ିଶା ରିପୋର୍ଟର): କାହିଁକି ମନ୍ଦିରରୁ ଚୋରି ହେଉଛି ଅଷ୍ଟ ଧାତୁର ମୂଲ୍ୟବାନ୍‌ ମୂର୍ତ୍ତି? ଚୋରି ହେଉଥିବା ମୂର୍ତ୍ତି କୁଆଡେ ଯାଉଛି? ତାହାର ଦାମ୍‌ କେତେ? ଏଥିରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ହାତ ନାହିଁ ତ? ମୂର୍ତ୍ତି ଚୋରି ଅଭିଯୋଗରେ ସ୍ୱାମୀ-ସ୍ତ୍ରୀ ଗିରଫ ହେବା ପରେ ଏପରି ଅସମାହିତ ପ୍ରଶ୍ନର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ପଡ଼ିଛି ପୁରୀ ପୁଲିସ୍‌। ମଙ୍ଗଳବାର ବିଳମ୍ୱିତ ରାତିରେ ଆଉ ଗୋଟିଏ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ୫୦୦ ବର୍ଷର ପୁରୁଣା ମୂର୍ତ୍ତିକୁ […]

Puri

Manoranjan Sial
  • Published: Wednesday, 09 March 2022
  • , Updated: 09 March 2022, 06:11 PM IST

ପୁରୀ (ଓଡ଼ିଶା ରିପୋର୍ଟର): କାହିଁକି ମନ୍ଦିରରୁ ଚୋରି ହେଉଛି ଅଷ୍ଟ ଧାତୁର ମୂଲ୍ୟବାନ୍‌ ମୂର୍ତ୍ତି? ଚୋରି ହେଉଥିବା ମୂର୍ତ୍ତି କୁଆଡେ ଯାଉଛି? ତାହାର ଦାମ୍‌ କେତେ? ଏଥିରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ହାତ ନାହିଁ ତ? ମୂର୍ତ୍ତି ଚୋରି ଅଭିଯୋଗରେ ସ୍ୱାମୀ-ସ୍ତ୍ରୀ ଗିରଫ ହେବା ପରେ ଏପରି ଅସମାହିତ ପ୍ରଶ୍ନର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ପଡ଼ିଛି ପୁରୀ ପୁଲିସ୍‌। ମଙ୍ଗଳବାର ବିଳମ୍ୱିତ ରାତିରେ ଆଉ ଗୋଟିଏ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ୫୦୦ ବର୍ଷର ପୁରୁଣା ମୂର୍ତ୍ତିକୁ ଚୋରି କରିନେଇଛନ୍ତି।

ନିମାପଡ଼ା ଥାନା ପାଟପୁର ଗାଁର ପ୍ରଫୁଲ୍ଲ ମିଶ୍ର ଗୋଟିଏ ବ୍ୟାଗରେ ଅଷ୍ଟଧାତୁ ମୂର୍ତ୍ତି ଧରି ବିକ୍ରି କରିବା ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜଣେ ବ୍ୟକ୍ତି ଫୋନ୍‌ କରି ପୁଲିସ୍‌କୁ ଖବର ଦେଇଥିଲେ। ସେହି ତଥ୍ୟ ଆଧାରରେ ପୁଲିସ୍‌ ପ୍ରଫୁଲ୍ଲକୁ ମଝି ରାସ୍ତାରେ ଅଟକାଇ ଥିଲା। ତା’ଠାରୁ ୪ଟି ଅଷ୍ଟ ଧାତୁ ମୂର୍ତ୍ତି ଜବତ କରିଥିଲା। ପରେ ପୁଲିସ୍‌ ତାଙ୍କ ଘରେ ଚଢ଼ଉ କରି ଆଉ ୬ଟି ମୂର୍ତ୍ତି ଜବତ କରିଥିଲା। ପୁଲିସ ଏହି ମାମଲାରେ ପ୍ରଫୁଲ୍ଲ ମିଶ୍ର ଓ ତାଙ୍କ ପତ୍ନୀ ସରୋଜିନୀ ପଣ୍ଡାଙ୍କୁ ଗିରଫ କରିଥିଲା।

ପୁଲିସ୍‌ ସେମାନଙ୍କୁ ଘନ ଘନ ଜେରା କରୁଛି। ତେବେ ଜବତ ହୋଇଥିବା ମୂର୍ତ୍ତି ପୁରୀ ଜିଲ୍ଲାର ହୋଇନଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ୁଛି। ସେଥିପାଇଁ ପଡ଼ୋଶୀ ଜିଲ୍ଲା କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାର ପୁଲିସ୍‌ ସହ ଯୋଗାଯୋଗ କରାଯାଉଛି। ଯଦି ସେହି ଅଞ୍ଚଳର ମୂର୍ତ୍ତି ହୋଇଥିବ, ତାହା ହେଲେ ଫେରାଇ ଦିଆଯିବ ବୋଲି ପୁରୀ ଏସ୍‌ପି କନୱର ବିଶାଳ ସିଂହ କହିଛନ୍ତି।

ମୂର୍ତ୍ତି ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ ହେବାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ ମନ୍ଦିରରୁ ଚୋରି ହୋଇଛି। ଆଜି ଶ୍ରୀମୁକୁନ୍ଦପୁର ଇଶାଣେଶ୍ୱର ମନ୍ଦିରରୁ ଅଷ୍ଟଧାତୁର ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଛି। ଯାହାକୁ ନେଇ ସେହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ୫୦୦ ବର୍ଷର ପୁରୁଣା ଇଶାଣେଶ୍ୱର ମନ୍ଦିରରୁ ଚୋରି ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଚୋରକୁ ଧରି ଦଣ୍ଡ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ପୁରୀ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି ହେଉଛି। ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ପରେ ପୁଲିସ୍‌ ଦୁଇଟି ଟିମ୍‌ କରି ଘଟଣାର ତଦନ୍ତ କରୁଛନ୍ତି।

Related story