ବାର ଅନୁଯାୟୀ ଏମିତି ରଙ୍ଗର ଲୁଗା ପିନ୍ଧନ୍ତି ଶ୍ରୀବିଗ୍ରହ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମ କାଳିଆ ଠାକୁର ବଡ଼ ରସିକିଆ। ଆଉ ଏହି ରସିକ ପଣିଆ ପାଇଁ ସେ ସଜେଇ ହୁଅନ୍ତି ୪ ଧୂପରେ । ଖାଲି ଫୁଲ, ତୁଳସୀ କି ସୁନା ଅଳଙ୍କାରରେ ସେ ସଜେଇ ହୁଅନ୍ତି ଏ କଥା ନୁହେଁ, ନାନା ପ୍ରକାର ପାଟ, ଦେହକୁ ସୁହାଇଲା ଭଳିଆ ବସ୍ତ୍ରରେ ସେ ବେଶ ହୁଅନ୍ତି ନିଇତି। ଖରାଦିନେ ସୁତା ଲୁଗା ସାଙ୍ଗକୁ ଶୀତ ଦିନେ ରେଶମି କପଡା ତାଙ୍କର ଭାରି ପ୍ରିୟ। ଆପଣ ହୁଏତ ଜାଣି […]

pindha luga

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 06:37 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମ କାଳିଆ ଠାକୁର ବଡ଼ ରସିକିଆ। ଆଉ ଏହି ରସିକ ପଣିଆ ପାଇଁ ସେ ସଜେଇ ହୁଅନ୍ତି ୪ ଧୂପରେ । ଖାଲି ଫୁଲ, ତୁଳସୀ କି ସୁନା ଅଳଙ୍କାରରେ ସେ ସଜେଇ ହୁଅନ୍ତି ଏ କଥା ନୁହେଁ, ନାନା ପ୍ରକାର ପାଟ, ଦେହକୁ ସୁହାଇଲା ଭଳିଆ ବସ୍ତ୍ରରେ ସେ ବେଶ ହୁଅନ୍ତି ନିଇତି। ଖରାଦିନେ ସୁତା ଲୁଗା ସାଙ୍ଗକୁ ଶୀତ ଦିନେ ରେଶମି କପଡା ତାଙ୍କର ଭାରି ପ୍ରିୟ। ଆପଣ ହୁଏତ ଜାଣି ନ ଥିବେ ରସିକିଆ କାଳିଆଠାକୁର ୭ ଦିନ ୭ ପ୍ରକାଶ ଲୁଗା ପିନ୍ଧନ୍ତି। ବାର ଓ ଗ୍ରହମାନଙ୍କୁ ନିର୍ଦ୍ଧାରିତ ଭାବେ ସମ୍ନାନ ଦେବାକୁ ଠାକୁରଙ୍କୁ ନିର୍ଦ୍ଧିଷ୍ଟ ରଙ୍ଗର ବସ୍ତ୍ର ପରିଧାନ କରିବାକୁ ଦିଆଯାଇଥାଏ। ତା ହେଲେ ଅସନ୍ତୁ ଜାଣିବା କୋଉ ଦିନ କୋଉ ରଙ୍ଗର ବସ୍ତ୍ର ପିନ୍ଧନ୍ତି କାଳିଆ ଠାକୁର ଆଉ ତାଙ୍କ ଲୁଗାର କ’ଣ ରହିଛି ନାମକରଣ।

ରବିବାର- ରବି ଅର୍ଥତ୍‌ ସୂର୍ଯ୍ୟ। ସକଳ ଶକ୍ତିର ଆଧାର ଭଗବାନ ସୂର୍ଯ୍ୟଙ୍କୁ ଏହି ଦିନଟି ଉତ୍ସର୍ଗୀକୃତ। ସୂର୍ଯ୍ୟଙ୍କର ବର୍ଣ୍ଣ ବା ରଙ୍ଗ ହେଉଛି ରକ୍ତବର୍ଣ୍ଣ ବା ଲାଲ। ଏଣୁ ଏହିଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ଲାଲ ରଙ୍ଗର ଲୁଗା ପିନ୍ଧାଇ ବେଶ କରାଯାଇଥାଏ।

ସୋମବାର- ଦିନଟି ଚନ୍ଦ୍ରଙ୍କୁ ସମର୍ପିତ। ଚନ୍ଦ୍ର ଗୌରବର୍ଣ୍ଣ ହୋଇଥିଲେ ମଧ୍ୟ ମାସର ଗୋଟିଏ ପକ୍ଷ ଚନ୍ଦ୍ର କ୍ଷୟ ହୁଅନ୍ତି ତାଙ୍କ ଦେହରେ କାଳିମା ମଧ୍ୟ ରହିଛି। ଏଣୁ ଏହି ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ କଳାଧଳା ମିଶ୍ରିତ ବସ୍ତ୍ର ପରିଧାନ କରାଯାଇଥାଏ।

ମଙ୍ଗଳବାର- ମଙ୍ଗଳଗ୍ରହଙ୍କୁ ସମର୍ପିତ ଏହି ଦିବସରେ ଜଗନ୍ନାଥ ମହାପ୍ରଭୁ ୧୨ଟି ରଙ୍ଗ ଥିବା ବସ୍ତ୍ର ପରିଧାନ କରିଥାନ୍ତି। ଯାହାକୁ ପାରମ୍ପରିକ ଭାବେ ବାରପାଟିଆ ମଧ୍ୟ କୁହାଯାଇଥାଏ।

ବୁଧବାର – ଜ୍ୟୋତିଷ ଶାସ୍ତ୍ରରେ ନୀଳ ରଙ୍ଗକୁ ବୁଧ ଗ୍ରହଙ୍କ ରଙ୍ଗ ଭାବେ ଗ୍ରହଣ କରାଯାଇଛି। ଏଣୁ ମହାପ୍ରଭୁ ବୁଧବାର ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତି।

ଗୁରୁବାର- ଦେବଗୁରୁ ବା ଜ୍ଞାନର ଦେବତା ଗ୍ରହ ଭାବେ ବୃହଷ୍ପତିଙ୍କୁ ଅର୍ଚ୍ଚନା କରାଯାଇଥାଏ। ଏହି ଗ୍ରହଙ୍କ ପ୍ରୀୟ ବର୍ଣ୍ଣ ହେଉଛି ହଳଦିଆ। ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି।

ଶୁକ୍ରବାର- ଅସୁରମାନଙ୍କ ଗୁରୁ ଭାବେ ଗୃହୀତ ଶୁକ୍ର ଗ୍ରହଙ୍କୁ ସମର୍ପିତ ଏହି ଦିନ ତାଙ୍କ ପ୍ରିୟ ଧାତୁ ହୀରା ସହ ସାମଞ୍ଜସ୍ୟ ରଖୁଥିବା ଶୁକ୍ଳ ବା ଧଳା ବସ୍ତ୍ର ମହାପ୍ରଭୁ ଲାଗି ହୋଇଥାନ୍ତି।

ଶନିବାର- ସୂର୍ଯ୍ୟପୁତ୍ର ଶନି ହେଉଛନ୍ତି କୃଷ୍ଣ ବର୍ଣ୍ଣର ଅଧିପତି। ଏଣୁ ଏହି ଦିନ ଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହଙ୍କୁ କଳା ରଙ୍ଗର ବସ୍ତ୍ର ପିନ୍ଧାଇ ଦିଆଯାଇଥାଏ।

ଶ୍ରୀ ବିଗ୍ରହଙ୍କ ବସ୍ତ୍ରର ନାମକରଣ

ଠାକୁରମାନଙ୍କ ଦେହରେ ଲାଗୁଥିବା ବସ୍ତ୍ରକୁ ୧୨ ପ୍ରକାର ନାମରେ ନାମିତ କରାଯାଇଛି। ସେଗୁଡିକ ହେଲା୧- ପତନି, ୨-ବୋଇରାଣି, ୩-ମଲମଲ, ୪- ଗଦିଫେଟା, ୫- ଗଡା(୧୨ ହାତି ଓ ୧୬ ହାତି), ୬- ନେତଫୁଟା, ୭- ନେତ ଖଣ୍ଡୁଆ, ୮- ସୁନାଫୁଟା, ୯- ଶ୍ରୀମୁଖ ଓତା, ୧୦- ଟଣାଖସା(ସାନ ଓ ବଡ), ୧୧- ଅଧର ଗାମୁଛା, ୧୨- ନିଉଛାଳି ଗାମୁଛା

Related story