Advertisment

BJD: ବାଣ ମାରିଲେ ଜୟନାରାୟଣ; ପାର୍ଟି ଥିଲେ ତ ସୁଜାତା ଦାୟିତ୍ୱ ନେବେ

ବିଜେଡିର ବିଧାୟକ ସଂଖ୍ୟା ୫୦କୁ ଖସି ଯାଇଛି। ଆଉ ବର୍ଷେ କି ଦୁଇ ବର୍ଷ ପରେ ସେମାନେ ୪ ବା ୫ଟି ଆସନରେ ଥିବେ ବୋଲି କହିଛନ୍ତି ବିଜେପିର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।

author-image
Jitendra Garnayak
Jayanarayan Mishra

ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଦଳରେ ସାମିଲ ହୋଇପାରନ୍ତି ସୁଜାତା କାର୍ତ୍ତିକେୟନ। ଏମିତିକି ବିଜେଡିର ଅଘୋଷିତ ସର୍ବେସର୍ବା ଭି. କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଘୋଷଣା କରାଯାଇପାରେ ବୋଲି ଆଲୋଚନା ଜୋର ଧରିଛି। ଏହାକୁ ନେଇ ଗତ ଦୁଇ ଦିନରେ ବିଜେଡିର କିଛି ନେତା ପ୍ରତିକୂଳ ମନ୍ତବ୍ୟ ଦେଇଥିବା ବେଳେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି କଡ଼ା କଥା। ସେ କହିଛନ୍ତି ଯେ ପାର୍ଟି ଥିଲେ ତ ସୁଜାତା ଦାୟିତ୍ୱ ନେବେ।

Advertisment

ଜୟନାରାୟଣ କହିଛନ୍ତି, ବିଜେପି ଯେଉଁ ଦିନ ହ୍ୱିସିଲ ଫୁଙ୍କିବ, ସେହି ଦିନ ବିଜେଡି ୧୨ ଖଣ୍ଡ ହୋଇଯିବ। ପାର୍ଟି କୁଆଡ଼େ ଯିବ ଯେ ଜଣାପଡ଼ିବନି। ଯେଉଁ ପାର୍ଟି ଓଡ଼ିଶାକୁ ୨୪ ବର୍ଷ ଶାସନ କଲା ପରେ ଏକ ନିର୍ବାଚନରେ (ନୂଆପଡ଼ା ଉପ-ନିର୍ବାଚନରେ) ତୃତୀୟ ସ୍ଥାନ ଅଧିକାର କରିଛି, ସେହି ପାର୍ଟି ବିଷୟରେ ଆମେ କାହିଁକି ଅଧିକ ଆଲୋଚନା କରିବା। 
ସେ ଆହୁରି କହିଛନ୍ତି, ସୁଜାତା ହୁଅନ୍ତୁ କି ଆଉ ଯେ କେହି, ପାର୍ଟି ଥିଲେ ତ ଦାୟିତ୍ୱ ନେବେ। ସୁଜାତା କ’ଣ ନେତା ଯେ ଲୋକଙ୍କ ଆସ୍ଥାଭାଜନ ହୋଇଯିବେ। ସେ ଜଣେ ସରକାରୀ କର୍ମଚାରୀ ଥିଲେ। ସିଏ ଆସନ୍ତୁ କି ଆଉ ଯିଏ ଆସନ୍ତୁ, ବିଜେଡିର କ’ଣ ହୋଇଯିବ? ବିଜେଡିର ଆଉ ଭବିଷ୍ୟତ ନାହିଁ।

ବିଜେଡିର ବିଧାୟକ ସଂଖ୍ୟା ୫୦କୁ ଖସି ଯାଇଛି। ଆଉ ବର୍ଷେ କି ଦୁଇ ବର୍ଷ ପରେ ସେମାନେ ୪ ବା ୫ଟି ଆସନରେ ଥିବେ ବୋଲି କହିଛନ୍ତି ଜୟନାରାୟଣ।

Advertisment

ତାଙ୍କ ପୂର୍ବରୁ ସୁଜାତାଙ୍କୁ ନେଇ କିଛି ଏଭଳି କଥା କହିଥିଲେ ବିଜେପି ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ସେ କହିଥିଲେ ଯେ ବିଜେଡି ଏକ ଅସ୍ତଗାମୀ ସୂର୍ଯ୍ୟ। ଓଡ଼ିଶା ମାଟିରେ ଆଉ କେବେ ବି ଏହାର ଉଦୟ ହୋଇ ପାରିବ ନାହିଁ। ବିଜେଡି ୨୦୨୪ରେ ହିଁ ଅସ୍ତମିତ ହୋଇସାରିଛି। ପାଣ୍ଡିଆନଙ୍କ ଦେହରେ ଯେଉଁ କଳଙ୍କ ଲାଗିଛି ତାକୁ ସୁଜାତା କାର୍ତ୍ତିକେୟନ କେବେବି ଲିଭାଇ ପାରିବେ ନାହିଁ ।

ପାଣ୍ଡିଆନ ହୁଅନ୍ତୁ କି ସୁଜାତା, ଯିଏ ବି ଦାୟିତ୍ୱ ନିଅନ୍ତୁ ବିଜେଡି ଆଉ ଉଧେଇ ପାରିବ ନାହିଁ। ଯଦି ସୁଜାତା ଦାୟିତ୍ୱ ନିଅନ୍ତି, ତା’ହେଲେ ତାହା ବିଜେପି ପାଇଁ ଅଧିକ ସୁବିଧା ହେବ।

ଏହା ସହିତ ବିଜେଡିର ୮୦ ଭାଗ ନେତା ଏବେ ବିଜେପି ସହ ଯୋଗାଯୋଗରେ ଥିବା ଦାବି କରିଥିଲେ ସାଂସଦ ପ୍ରଦୀପ ପୁରୋହିତ। ଦଳରେ ଆଉ ଭବିଷ୍ୟତ ନାହିଁ ବୋଲି ବିଜେଡି ନେତାମାନେ ଜାଣିସାରିଲେଣି ବୋଲି ସେ କହିଥିଲା। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓଡ଼ିଶାରେ ଇତିହାସ ହୋଇଯିବ ବୋଲି ଶ୍ରୀ ପୁରୋହିତ କହିଥିଲେ। 

ସୂଚନାଯୋଗ୍ୟ, ଗତକାଲି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ ଯେ ସେ ନବୀନ ପଟ୍ଟନାୟକଙ୍କ ଛଡ଼ା ଆଉ କାହାକୁ ଦଳର ମୁଖ୍ୟ ଭାବେ ଗ୍ରହଣ କରିପାରିବେ ନାହିଁ। ସେହିଭଳି ପୂର୍ବତନ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ କହିଥିଲେ ଯେ ବର୍ତ୍ତମାନ ନବୀନଙ୍କ ଉତ୍ତରାଧିକାରୀ ଚୟନ କରିବାର କିଛି ଆବଶ୍ୟକତା ନାହିଁ। ସେମାନଙ୍କ ପୂର୍ବରୁ ସୋମବାର ବିଜେଡି ବିଧାୟକ ମନୋହର ରନ୍ଧାରୀ ଓ ପ୍ରଦୀପ ଦିଶାରୀ ରୋକଠୋକ କହିଥିଲେ ଯେ ଏବେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବାଛିବାର ଆବଶ୍ୟକତା ନାହିଁ।