Advertisment

ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ; ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କୁ ମାରିଥିଲା ଗୋପାଳ

ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଅଦ୍ୟତନ ହୋଇଛି
Naba das and Gopal das

Naba das and Gopal das

Advertisment

ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ନବ ଦାସଙ୍କୁ ହତ୍ୟା କରାଯିବାର ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। 

Advertisment

ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ଦିଆଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ ନବଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲେ। ସେମାନେ ତାଙ୍କୁ ମାରି ଦେଇ ପାରନ୍ତି ବୋଲି ସେ ଭାବୁଥିଲେ। ତେଣୁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। 

ତେବେ ନବ ଦାସ ଓ ତାଙ୍କ ସମର୍ଥକମାନେ କାହିଁକି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ଗୋପାଳ ଦାସ ମନେ କରୁଥିଲେ, ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କିଛି ଉଲ୍ଲେଖ କରାଯାଇ ନାହିଁ। 

Advertisment

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଏହି ହତ୍ୟା ଘଟଣା ପରେ ପରେ ଗୋପାଳ ପାଗଳ ବୋଲି ତାଙ୍କ ପରିବାର ଲୋକେ କହିଥିଲେ। ତାଙ୍କର ବାଇପୋଲାର ଡିଜ୍‌ଅର୍ଡର ଅଛି ଓ ସେ ଔଷଧ ଖାଉଥିବା କଥା କହିଥିଲେ। ତେଣୁ ଏନେଇ ପରୀକ୍ଷା ପାଇଁ DMETଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ଗଠନ ହୋଇଥିଲା। ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନଥିବା କହିଥିଲେ। ସେହିପରି ସ୍ଥାନୀୟ ଲୋକ ଓ ଗୋପାଳଙ୍କ ସହକର୍ମୀମାନେ କହିଥିଲେ ଯେ ସେ ସୁସ୍ଥ  ଥିଲେ। ତାଙ୍କଠାରେ କିଛି ଅସ୍ୱାଭାବିକ ପରିଲକ୍ଷିତ ହେଉ ନଥିଲା। ପୁଣି ତଦନ୍ତ କାଳରେ ଗୋପାଳ ସହଯୋଗ କରୁଥିଲେ ଓ ପ୍ରଶ୍ନର ଉତ୍ତର ଦେଉଥିଲେ। ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲେ। ତାଙ୍କର ମାନସିକ ସ୍ଥିତି ସ୍ୱାଭାବିକ ଓ ସ୍ଥିର ଥିଲା।

ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତତ୍‌କାଳୀନ ପୁଲିସ ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗିରଫ କରାଯିବା ପରେ ପ୍ରଥମେ ଗୋପାଳଙ୍କୁ ଝାରସୁଗୁଡ଼ା ଜେଲରେ ରଖିଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ସିବିଆଇ ଏହି ଘଟଣାର ତଦନ୍ତ କରୁ ବୋଲି ବିରୋଧୀ ଦାବି କରିଥିଲେ। 

ଅନ୍ୟପକ୍ଷରେ ନବ ଦାସଙ୍କୁ ହତ୍ୟା କରାଯିବା ପରେ ଚଳିତ ମାସରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ନବଙ୍କ ଝିଅ ଦୀପାଳି ଦାସ ଏଥିରେ ବିଜୟୀ ହୋଇଛନ୍ତି। 

Naba Das Jharsuguda Crime Branch Naba Das Mudrder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe