Advertisment

ନରସିଂହ ମିଶ୍ରଙ୍କୁ କଡ଼ା ଜବାବ ଦେଲେ ଦୀପାଳି

କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ମନ୍ତବ୍ୟରେ ଗଭୀର ଆଘାତ ପାଇଛନ୍ତି ସ୍ୱର୍ଗତ ନବ ଦାସଙ୍କ ପରିବାର ଲୋକେ।

author-image
Jitendra Garnayak
Deepali Das

Deepali Das

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମରେ ଯେଉଁ କଥା କହିଛନ୍ତି, ତା’ର ଦୃଢ଼ ଜବାବ ଦେଇଛନ୍ତି ସ୍ୱର୍ଗତ ଦାସଙ୍କ ଝିଅ ଦୀପାଳି। ଏଭଳି କଥା ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ଶୋଭା ପାଉ ନଥିବା ବେଳେ ଏହି ହତ୍ୟାକାଣ୍ଡ ନେଇ କୌଣସି ତଥ୍ୟ ଥିଲେ, ସେ କାହିଁକି ପୁଲିସ୍ କିମ୍ବା କୋର୍ଟଙ୍କୁ ଦେଉ ନାହାନ୍ତି ବୋଲି ଦୀପାଳି କହିଛନ୍ତି।

Advertisment

ନରସିଂହଙ୍କ ଉଦ୍ଦେଶ୍ୟରେ ଦୀପାଳି କହିଛନ୍ତି, ଆପଣ କଂଗ୍ରେସର ଜଣେ ବରିଷ୍ଠ ନେତା। ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ। ମୋ ବାପା ଆପଣଙ୍କର ଜଣେ ବହୁତ ବଡ଼ ସହଯୋଗୀ ଥିଲେ। ମୋ ବାପାଙ୍କ ସହିତ ଆପଣଙ୍କର ଘନିଷ୍ଠ ସଂପର୍କ ଥିଲା। କିନ୍ତୁ ଆପଣ ମୋ ବାପାଙ୍କ ଚରିତ୍ର ଉପରେ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ରଖିଛନ୍ତି, ତାହା ମୋତେ ଓ ମୋ ପରିବାରକୁ ବହୁତ ଆଘାତ ଦେଇଛି। ଆମ ସଂସ୍କୃତି ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଯାଏ ନାହିଁ।

ସେ ଆହୁରି କହିଛନ୍ତି, ଆପଣ ଜଣେ ବରିଷ୍ଠ ଓକିଲ। ମୁଁ ବିନମ୍ରତାର ସହିତ କହିବାକୁ ଚାହୁଁଛି ଯେ ଯଦି ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଆପଣଙ୍କ ପାଖରେ କୌଣସି ପ୍ରକାର ତଥ୍ୟ ଅଛି, ତା’ହେଲେ ଆପଣ ସେଗୁଡ଼ିକୁ କୋର୍ଟରେ ଦାଖଲ କରନ୍ତୁ ବା ପୁଲିସ୍‌କୁ ଦିଅନ୍ତୁ। ଆପଣ ଏହା ନ କରି କାହିଁକି ମୋ ବାପାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଉଛନ୍ତି ଓ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି। ଏ ସବୁ ଜିନିଷ ଆପଣଙ୍କୁ ଶୋଭା ଦେଉନି। ମୁଁ ଝିଅ ହିସାବରେ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋ ବାପାଙ୍କ ଚରିତ୍ର ଉପରେ ଆଉ ଏପରି କଥା କୁହନ୍ତୁ ନାହିଁ।

Advertisment

ନରସିଂହ ମିଶ୍ର କହିଥିଲେ, ମୋ’ ପାଖରେ ଯେଉଁ ତଥ୍ୟ ଅଛି ଓ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ସେଥିରୁ ଜଣାପଡ଼ୁଛି- ଚାକିରି ପାଇଁ ଗୋପାଳ ତା’ ଝିଆରୀଙ୍କୁ ଧରି ନବବାବୁଙ୍କ ପାଖକୁ ଯାଉଥିଲା। ସେହି ସମୟରେ କିଛି ଅଘଟଣ ଘଟିନାହିଁ ତ? ସେ କଥା କିଏ କହିବ? ନବବାବୁଙ୍କ ସମ୍ପର୍କରେ ବହୁତ କଥା ସାଧାରଣରେ ଚର୍ଚ୍ଚା ହେଉଛି। ତାଙ୍କ ଦେହାନ୍ତ ପରେ ନିର୍ଦ୍ଦିଷ୍ଟ ଭାବେ ସେ ସମ୍ପର୍କରେ କିଛି କହିବା ଠିକ୍‌ ହେବନି। କିନ୍ତୁ ମୋର ଘୋର ସନ୍ଦେହ ହେଉଛି, କିଛି ଗୋଟିଏ ଅଘଟଣ ଘଟିଛି। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବାକୁ ଗୋପାଳର ପରିବାର ଲୋକ ଷଡ଼ଯନ୍ତ୍ର କରିଛନ୍ତି। ଆଉ ସେହି ଷଡ଼ଯନ୍ତ୍ରରେ ସଫଳ ହେବା ପରେ ସେମାନେ ବହୁତ ସନ୍ତୋଷ ଲାଭ କରିଛନ୍ତି। ଗୋପାଳର ଆଚାର ଓ ବ୍ୟବହାରରୁ ଏହା ପ୍ରାଣିତ ହେଉଛି। ତେଣୁ ଗୋପାଳ ଝିଆରୀଙ୍କୁ ପୁଲିସ୍‌ ଭଲ ଭାବେ ପଚରାଉଚରା କଲେ ବହୁ କଥା ସ୍ପଷ୍ଟ ହୋଇପାରିବ ବୋଲି ନରସିଂହ ମିଶ୍ର କହିଥିଲେ। 

Narasingha Mishra Naba Das Deepali Naba Das Murder