Advertisment

ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ କାହିଁକି ପଦୋନ୍ନତି ଚାହୁଁନଥିଲା?

୨୦୦୯ ମସିହାରେ ସେ କନେଷ୍ଟବଳରୁ ASI ରାଙ୍କକୁ ପଦୋନ୍ନତି ପାଇଥିଲା। ପଦୋନ୍ନତି ପରେ ଝାରସୁଗୁଡ଼ାର ବିଭିନ୍ନ ଥାନା ଓ ଫାଣ୍ଡିରେ ନିଯୁକ୍ତ ହୋଇଥିଲା। ଶେଷଥର ପାଇଁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଦାୟିତ୍ୱରେ ଥିଲା ଗୋପାଳ।

author-image
Manoranjan Sial
ଅଦ୍ୟତନ ହୋଇଛି
Naba And Gopal

Naba And Gopal

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? କ୍ରାଇମ୍‌ ବ୍ରାଞ୍ଚ ଏହାର କାରଣ ଖୋଜି ପାଉନଥିବା ବେଳେ ଗୋପାଳକୁ ନେଇ ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ। ଗତବର୍ଷରେ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲା ଗୋପାଳ। ହେଲେ ରହସ୍ୟଜନକ ଭାବେ ସେ ପ୍ରତ୍ୟାଖାନ କରିଥିଲା। ତେବେ ସେ କାହିଁକି ନିଜ ପଦୋନ୍ନତିକୁ ପ୍ରତ୍ୟାଖାନ କରୁଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ମିଳିଥିବା ତଥ୍ୟ ଅନୁସାରେ ୧୯୯୨ ମସିହା ଜୁଲାଇ ୮ ତାରିଖରେ କନେଷ୍ଟବଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲା ଗୋପାଳ ଓରଫ ଗୋପାଳକୃଷ୍ଣ ଦାସ। ୨୦୦୯ ମସିହାରେ ସେ କନେଷ୍ଟବଳରୁ ASI ରାଙ୍କକୁ ପଦୋନ୍ନତି ପାଇଥିଲା। ପଦୋନ୍ନତି ପରେ ଝାରସୁଗୁଡ଼ାର ବିଭିନ୍ନ ଥାନା ଓ ଫାଣ୍ଡିରେ ନିଯୁକ୍ତ ହୋଇଥିଲା। ଶେଷଥର ପାଇଁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଦାୟିତ୍ୱରେ ଥିଲା ଗୋପାଳ।

୫୪ ବର୍ଷିୟ ଗୋପାଳ ଝାରସୁଗୁଡ଼ା ଜିଲ୍ଲାରେ ନିଯୁକ୍ତ ହେବା ପରଠୁ ନବ ଦାସଙ୍କ ସଂସ୍ପର୍ଶରେ ଆସିଥିଲା। ଅଧିକାଂଶ ସମୟରେ ନବଙ୍କ ପାଖେ ପାଖେ ରହୁଥିବା ଦେଖିବାକୁ ମିଳୁଥିଲା। ଏସବୁ ଭିତରେ ଗତବର୍ଷ ଗୋପାଳକୁ ASIରୁ ସବ୍‌-ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ସେ ଦୁଇ ଦୁଇ ଥର ପଦୋନ୍ନତି ଅଫର ସତ୍ତ୍ୱେ ପ୍ରତ୍ୟାଖାନ କରିଦେଇଥିବା ଜଣାପଡ଼ିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଗୋପାଳ କାହିଁକି ପଦୋନ୍ନତି ଚାହୁଁନଥିଲା? ପଦୋନ୍ନତି ହେଲେ ବଦଳିର ଭୟ ଘାରୁଥିଲା ନା ଆଉ କିଛି ରହସ୍ୟ ରହିଛି? ଜିଲ୍ଲା ବାହାରକୁ ବଦଳି ହୋଇ ନଯିବାର ଇଚ୍ଛା ଓ ନବ ଦାସ ହତ୍ୟା ପଛରେ କିଛି ଲିଙ୍କ ଅଛି କି? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଛି।

ସେପଟେ ମଙ୍ଗଳବାର ଗୋପାଳକୁ ଝାରସୁଗୁଡ଼ା ସବ୍‌ଜେଲ୍‌ରୁ ଚୌଦ୍ୱାର ମଣ୍ଡଳକାରାଗାରକୁ ସ୍ଥାନାନ୍ତରିତ କରାଯାଇଛି। ଗୋପାଳ ଏବେ ଚୌଦ୍ୱାର ଜେଲ୍‌ର ୩ ନମ୍ୱର ସେଲ୍‌ରେ ରହୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

BjD Naba Das Naba Das Murder Gopal Das