/odisha-reporter/media/media_files/2025/10/15/ankush-2025-10-15-16-21-00.jpg)
ଗିରଫ ଅଙ୍କୁଶ
ଠିକାଦାର ବାପାଙ୍କଠାରୁ ଟଙ୍କା ଝଡ଼ାଇବା ପାଇଁ ପୁଅ ରଚିଥିଲା ଷଡ଼ଯନ୍ତ୍ର। ନକ୍ସଲ ନାଁରେ ପଠାଇଥିଲା ଚିଠି। ଟଙ୍କା ନଦେଲେ ପୂରା ପରିବାରକୁ ସଫା କରିଦେବାକୁ ଦେଇଥିଲା ଧମକ। ଏଭଳି ଧମକପୂର୍ଣ୍ଣ ଚିଠି ପାଇ ଭୟଭୀତ ହୋଇଯାଇଥିଲେ ହେଁ ଟଙ୍କା ନଦେଇ ପୁଲିସରେ ଅଭିଯୋଗ କରିଥିଲେ ଠିକାଦାର ବାପା। ଆଉ ତଦନ୍ତ ପରେ ଖୋଲିଲା ଗୁମର। ବନ୍ଧା ହେଲା ବାଳୁଙ୍ଗା ପୁଅ। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରୁପ୍ରାରୋଡ୍ରେ।
ଗିରଫ ଯୁବକଙ୍କ ନାଁ ଅଙ୍କୁଶ ଅଗ୍ରୱାଲା। ତାଙ୍କ ବାପାଙ୍କ ନାଁ ଦୀନେଶ ଅଗ୍ରୱାଲ। ସେ ଜଣେ ଠିକାଦାର। ୨୪ ବର୍ଷୀୟ ଅଙ୍କୁଶ ହେଉଛନ୍ତି ଦୀନେଶଙ୍କ ଏକମାତ୍ର ପୁଅ। ସୂଚନା ଅନୁଯାୟୀ, ଦୀନେଶଙ୍କ ସଂପତ୍ତି ସଂପର୍କରେ ଅଙ୍କୁଶ ଭଲ ଭାବେ ଅବଗତ। ତେବେ ସେ ଯେତିକି ପକେଟ ମନି ଚାହୁଁଥିଲେ, ସେତିକି ମିଳୁ ନଥିଲା। ତେଣୁ ବାପାଙ୍କଠାରୁ ଏକାଥରକେ ମୋଟା ଅଙ୍କର ଟଙ୍କା ଆଦାୟ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଅଙ୍କୁଶ।
ଯୋଜନା ପ୍ରକାରେ ନକ୍ସଲ ନାଁରେ ଏକ ଚିଠି ଲେଖି ବାପା ଦୀନେଶଙ୍କ କାରରେ ରଖି ଦେଇଥିଲେ ଅଙ୍କୁଶ। ଦୀନେଶ ଚିଠିଟି ପଢ଼ିବା ପରେ ଡରି ଯାଇଥିଲେ। ୩୫ ଲକ୍ଷ ଟଙ୍କା ନଦେଲେ ପୂରା ପରିବାରକୁ ହତ୍ୟା କରାଯିବ ବୋଲି ଚିଠିରେ ଲେଖାଯାଇଥିଲା। ଅନୁରୂପ ଭାବେ ଅଙ୍କୁଶ ତାଙ୍କ ବାପାଙ୍କ ଜଣେ ସାଙ୍ଗଙ୍କୁ ମଧ୍ୟ ଏକ ଧମକପୂର୍ଣ୍ଣ ଚିଠି ପଠାଇଥିଲେ।
ଧମକପୂର୍ଣ୍ଣ ଚିଠି ପାଇବା ପରେ ଦୀନେଶ ଓ ତାଙ୍କ ପରିବାରର ସଦସ୍ୟମାନେ ଭୟଭୀତ ହୋଇଯାଇଥିଲେ। ଦୀନେଶ ନର୍ଲା ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ନକ୍ସଲ ଧମକ ଭଳି ଏକ ସମ୍ବେଦଶୀଳ ଅଭିଯୋଗ ପାଇବା ପରେ ନର୍ଲା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ସମୟରେ ପୁଲିସକୁ ଯେଉଁ ତଥ୍ୟ ମିଳିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା। ଦୀନେଶଙ୍କ ପୁଅ ଅଙ୍କୁଶ ହିଁ ନକ୍ସଲ ନାଁରେ ଧମକପୂର୍ଣ୍ଣ ଚିଠି ଲେଖି ଟଙ୍କା ମାଗିଥିଲା। ଅଙ୍କୁଶଙ୍କୁ ଉଠାଇ ପୁଲିସ ଜେରା କରିବା ପରେ ସେ ସବୁ ମାନି ଯାଇଥିଲା। ଏହା ପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
କେସିଙ୍ଗା ଏସ୍ଡିପିଓ ସନ୍ଦୀପ ମାଝୀ କହିଛନ୍ତି, ଗତ ୭ ତାରିଖରେ ଏହି ଘଟଣା ନେଇ ଆମେ ଅଭିଯୋଗ ପାଇଥିଲୁ। ଅଭିଯୋଗ ଆସିବା ପରେ ଆମେ ତଦନ୍ତ କରିଥିଲୁ। ତଦନ୍ତ ବେଳେ ସନ୍ଦେହରେ ଅଭିଯୋଗକାରୀଙ୍କ ପୁଅଙ୍କୁ ଅଟକ ରଖି ଜେରା କରାଯାଇଥିଲା। ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ। ସେ ଚିଠି ଲେଖି ଏହି ଷଡ଼ଯନ୍ତ୍ର କରିଥିଲେ। ତାଙ୍କ ଗିରଫ କରାଯାଇଛି। ଏହି ଘଟଣାରେ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
