ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପତ୍ତା ପାଉନି ପୁଲିସ୍। ହେଲେ ତାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଉଠାଇ ଆଣିଲେ। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ପରମେଶ୍ୱରକୁ ଭଦ୍ରକ ପୁଲିସ୍ ଧରି ଓଡ଼ିଶା ଆଣୁଛି। କୁହାଯାଉଛି ଶର୍ମିଷ୍ଠାଙ୍କୁ ଫେରାର୍ କରାର୍ କରିବାରେ ପରମେଶ୍ୱରଙ୍କର ହାତ ରହିଛି। ତେବେ ଏହି ହତ୍ୟାକାଣ୍ଡରେ ପରମେଶ୍ୱରଙ୍କ ହାତ ରହିଛି କି ନାହିଁ, ତାହା ଜଣାପଡ଼ି ନାହିଁ। ତଥାପି ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ପରମେଶ୍ୱରକୁ ଜେରା ପରେ ଶର୍ମିଷ୍ଠାଙ୍କ ପତ୍ତା ମିଳିବ ବୋଲି ପୁଲିସ୍ ଆଶା କରୁଛି।
ମାନସ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ଭଦ୍ରକ ଏସ୍ପି ୪ଟି ଟିମ୍ ଗଠନ କରିଥିଲା। ଏହି ଟିମ୍ ରାଉରକେଲା, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଦିଲ୍ଲୀ ଓ କୋଲକାତା ଯାଇଥିଲା। ତେବେ ରାଉରକେଲାରୁ ପୁଲିସ୍ ଖାଲି ହାତରେ ଫେରିଥିବା ବେଳେ ବିଜୟୱାଡ଼ାରୁ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରକୁ ଉଠାଇ ଆଣିଛି। ହେଲେ ସେଠାରୁ ଶର୍ମିଷ୍ଠାଙ୍କୁ ପାଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଶର୍ମିଷ୍ଠା କେଉଁଠି?
ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା।
ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଅଭିଯୁକ୍ତମାନେ ମାନସଙ୍କ ମୃତଦେହକୁ ନୟାଗଡ଼ରେ ଏକ ପାହାଡ ତଳେ ପୋତି ଦେଇଥିଲେ। ଅନ୍ୟପକ୍ଷରେ ପରିବାର ଲୋକେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମ୍ରିୟମାଣ ହୋଇ ପଡ଼ିଥିଲେ। ଏନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଅପହରଣରେ ବ୍ୟବହୃତ ହୋଇଥିବା ବୋଲେରୋ ଡ୍ରାଇଭରକୁ ଉଠାଇ ଆଣିଥିଲା। ପରେ ତା’ ବୟାନ ଆଧାରରେ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରବିବାର ନିରଞ୍ଜନ ଓ ରାଜଙ୍କୁ ପୁଲିସ୍ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।