ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋଶାଲ୍ ସାଇନ୍ସେସ୍ ବା କିସକୁ ବଡ଼ ଝଟକା। ଆସନ୍ତା ୨୦୨୩ ମସିହାରେ ଏଠି ହେବନି ୱାର୍ଲ୍ଡ ଆନ୍ଥ୍ରୋପୋଲୋଜି କଂଗ୍ରେସ ବା ବିଶ୍ୱ ନୃତତ୍ତ୍ୱ ସମ୍ମିଳନୀ। ଏ ନେଇ ଚିଠି ଲେଖି ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU। ଚିଠିରେ ଏ ନେଇ ସ୍ପଷ୍ଟ ଭାବେ ଦର୍ଶାଯାଇଛି। କିସ୍ ବିପକ୍ଷରେ ଉଭୟ ଘରୋଇ ଓ ଅନ୍ତର୍ଜାତୀକ ସ୍ତରରେ ହେଉଥିବା ବିରୋଧକୁ ନଜରରେ ରଖି ଏଭଳି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ତାସହ ଏହି ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରାଯିବାକୁ ବି ସ୍ଥିର ହୋଇଛି।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ WAUର ଏ ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନଥିଲା କିସ୍। ଏମିତିକି ନିଜକୁ ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ଭାବେ ପ୍ରତିପାଦିତ କରିବାକୁ ଉଦ୍ୟମ କରିଛି। ନିଜର ଦୁଇଟି ୱେବସାଇଟ୍ ଖୋଲି ସେଥିରେ କିସରେ ସମ୍ମିଳନୀ ହେଉଥିବା କଥା ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନର ସହଯୋଗୀମାନଙ୍କୁ ବି ଜଣାଇଛି। ଯାହାକୁ ନେଇ ଆପତ୍ତି ଉଠାଇଛି WAU। WAU କହିଛି ଏଭଳି ଉଦ୍ୟମ କରି କିସ୍ ବିଶ୍ୱ ନୃତତ୍ତ୍ୱ ସମ୍ମିଳନୀ ସହଯୋଗୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇଛି। ତାସହ କିସ୍ ନୁହେଁ ବରଂ ଦିଲ୍ଲୀରେ ହିଁ ଆସନ୍ତା ୨୦୨୩ରେ ଉନବିଂଶ ମାନବବିଜ୍ଞାନୀ ସମ୍ମିଳନୀ ଅନୁଷ୍ଠିତ ହେବ ଓ ଏହାକୁ ସମସ୍ତେ ମିଳିମିଶି ସାଫଲ୍ୟ କରିବାକୁ ସହଯୋଗୀମାନଙ୍କୁ ଆହ୍ୱାନ ଦେଇଛି।
ତେବେ କାହିଁକି କିସ୍ ବିରୋଧରେ ଉଠିଲା ସ୍ୱର, ତାକୁ ନେଇ ଉଠୁଛି ପ୍ରଶ୍ନ। ବିଶିଷ୍ଟ ମାନବିକ ଅଧିକାର କର୍ମୀ ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମ ଆଗରେ ସଫା ସଫା କହିଛନ୍ତି- କିସ୍ ଏକ ଆଦିବାସୀ ବିରୋଧୀ ଅନୁଷ୍ଠାନ ବୋଲି ତାଙ୍କ ସହ ବହୁ ମାନବିକ ଅଧିକାର କର୍ମୀ ଓ ବୁଦ୍ଧିଜୀବୀ ଏକମତ ହୋଇ ବିଶ୍ୱ ନୃତତ୍ତ୍ୱ କଂଗ୍ରେସକୁ ଅବଗତ କରାଇଥିଲେ। ଏମିତିକି କିସ୍ ଏକ ଫ୍ୟାକଟ୍ରୀ ସ୍କୁଲ ଓ ଏଠି ଆଦିବାସୀଙ୍କ ଅଧିକାରର ଗଭୀର ହନନ ହେଉଥିବା ବି ଦର୍ଶାଇଥିଲେ।
ଆଦିବାସୀମାନେ ପ୍ରକୃତିର ସନ୍ତାନ ହୋଇଥିବାବେଳେ ସେମାନଙ୍କୁ ପ୍ରାକୃତିକ ପରିବେଶ ଓ ନିଜ ପରିବାର ଲୋକଙ୍କଠୁ ସମ୍ପୂର୍ଣ୍ଣ ଅଲଗା କରି ରଖାଯାଉଛି। ଏମିତିକି ସେମାନଙ୍କ ଶିକ୍ଷା ଓ ସାମାଜିକ ବିକାଶ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଥିବା ପ୍ରଚାର କରାଯାଉଥିଲେ ବି ବାସ୍ତବରେ ସେମାନଙ୍କ ନିଜସ୍ୱ ଭାଷାରେ ଶିକ୍ଷାଦାନ ହେଉନି କି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯାଇନି। ଯନ୍ତା ଭଳି ପରିବେଶରେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କୁ କିସରେ ରଖାଯାଇ ବ୍ୟବସାୟିକ ସଂସ୍ଥା ଭଳି କିସ୍ କାର୍ଯ୍ୟ କରୁଥିବା ଅଭିଯୋଗ ପରେ ନିଜେ ୱାର୍ଲ୍ଡ ଆନ୍ଥ୍ରୋପୋଲୋଜି କଂଗ୍ରେସ ପକ୍ଷରୁ ଏହାର ଅନୁଧ୍ୟାନ କରାଯାଇଥିଲା।
ଅଭିଯୋଗର ସତ୍ୟତା ହୃଦବୋଧ କରିବା ପରେ ନିଜେ WAU ଏଠି ଆଉ ସମ୍ମିଳନୀ କରିବାକୁ ଚାହିଁ ନଥିଲା। ତେବେ ପୁରା ଘଟଣାକ୍ରମକୁ କିସର ଭାଇସ୍ ଚାନ୍ସେଲର କିଛି ପ୍ରତିକ୍ରିୟା ଦେଇନଥିଲେ।