Advertisment

ହେ ନବୀନ ସମସ୍ତଙ୍କୁ ସବୁ କିଛି ଦେଉଛ, ଆମକୁ ବେଳକୁ କାହିଁକି ନୁହେଁ...

ଶବ୍ଦକୁ ଶବ୍ଦକୁ ଛନ୍ଦି ତିଆରି କରୁଛନ୍ତି ଗୀତ। ବାଦ୍ୟର ତାଳେତାଳେ ଗାଉଛନ୍ତି ଗୀତ। ତାଳ ସହିତ ତାଳ ଦେଉ ଗୀତ ଗାଉଛନ୍ତି ତାଙ୍କ ଦୁଷ୍ଟିବାଧିତ ପତ୍ନୀ ଓ ଭଉଣୀ। ଏପରି କରୁଣ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ।

ଅଦ୍ୟତନ ହୋଇଛି
Koraput

Koraput

Advertisment

ହେ ନବୀନ ସମସ୍ତଙ୍କୁ ସବୁ କିଛି ଦେଉଛ... ହେଲେ ଆମକୁ କାହିଁକି ନୁହେଁ.... ଗୀତରେ ଗୀତରେ ଏମିତି ଗାଉଛନ୍ତି ଗଙ୍ଗାଧର ଆଡ଼କାଟିଆ। ଯାହାଙ୍କ ଆଖି ସିନା ଦୁନିଆ ଦେଖିବା ପାରୁନାହିଁ, ହେଲେ ସେ ନିଜ ପେଟର ଜ୍ୱଳାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ସେଥିପାଇଁ ଶବ୍ଦକୁ ଶବ୍ଦରେ ଛନ୍ଦି ତିଆରି କରୁଛନ୍ତି ଗୀତ। ବାଦ୍ୟର ତାଳେତାଳେ ଗାଉଛନ୍ତି ସେହି ଗୀତ। ତାଳ ସହିତ ତାଳ ଦେଉ ଗୀତ ଗାଉଛନ୍ତି ତାଙ୍କ ଦୁଷ୍ଟିବାଧିତ ପତ୍ନୀ ଓ ଭଉଣୀ। ଏପରି କରୁଣ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ।

Advertisment

ପଟ୍ଟାଙ୍ଗୀ ବ୍ଲକ୍ ସମ୍ବାଇ ପଞ୍ଚାୟତ ପଣ୍ଡେଇ ଗାଁ ଗଙ୍ଗାଧର ଆଡ଼କାଟିଆ। ସେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି। ଧର୍ମପତ୍ନୀ, ଭଉଣୀ ରତ୍ନମଣୀ ଓ ପୁଅକୁ ନେଇ ତାଙ୍କ ଦୁନିଆ। ପୁଅ ସିନା ଦୁନିଆକୁ ଦେଖିପାରୁଛି। ହେଲେ ଗଙ୍ଗାଧରଙ୍କ ପରି ପତ୍ନୀ ଓ ଭଉଣୀ ଏ ଦୁନିଆକୁ ଦେଖି ପାରୁନାହାନ୍ତି। ହେଲେ ପେଟ ତଳର ଭୋକକୁ ଅନୁଭବ କରିପାରୁଛନ୍ତି। ସେଥିପାଇଁ ରାତି ପାହିଲେ ଭୋକ ବିକଳରେ ହାତରେ ଡୁଙ୍ଗୁଡୁଙ୍ଗା ଧରି ପତ୍ନୀ ଓ ଭଉଣୀ ସହିତ ବାହାରି ପଡ଼ୁଛନ୍ତି ଗଙ୍ଗାଧର। ଏ ଗାଁରୁ ସେ ଗାଁ ଘୂରି ବୁଲୁଛନ୍ତି। ଆଉ ଗୀତ ଗାଇ ଭିକ୍ଷାବୃତ୍ତି କାରୁଛନ୍ତି। ତିନିଜଣ ଯାକ ଗାଁରେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଗୀତରେ ଗୀତରେ ସେ କହୁଛନ୍ତି, ହେ ନବୀନ ସମସ୍ତଙ୍କୁ ଛତା ଦେଲ, ଜୋତା ଦେଲ, ଯୋଜନାରେ ଘର ଦେଲ, ଲାଟିନ ଦେଲ। ହେଲେ ଆମକୁ କେବେ ଦେବ? କାହିଁକି ଦେଇନ? କେମିତି ବଞ୍ଚିବୁ ବୋଲି ପ୍ରଶ୍ନ କରିଛନ୍ତି ୩ ଦୃଷ୍ଟିବାଧିତ।

ଗଙ୍ଗାଧର ବାପା ଜେଜ ଅମଳରେ ତିଆରି ହୋଇଥିବା ପୁରୁଣା ଟାଇଲି ଘରେ ରହୁଛନ୍ତି। ଯେଉଁଠି ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି। ତାହାରି ଭିତରେ ରହୁଛନ୍ତି ପୂରା ପରିବାର। ଅନ୍ୟ ଋତୁରେ ଯେନତେନ କରି ଭଙ୍ଗା ଦଦରା ଘରେ ଦିନ କାଟି ଦେଉଛନ୍ତି। ହେଲେ ବର୍ଷା ଋତୁରେ ଦୁଃଖ କହିଲେ ନସରେ। ବର୍ଷା ହେଲେ ଘରେ ଗଳୁଛି ପାଣି! ତେଣୁ ଆ’ ଘରେ ତା’ ଘରେ ମୁଣ୍ଡ ଗୁଞ୍ଜିବାକୁ ପଡ଼ୁଛି। ଏହା ସତ୍ତ୍ୱେ ଗଙ୍ଗାଧରଙ୍କୁ ମିଳିନି ଆବାସ ଯୋଜନାରେ ଘର ଖଣ୍ଡିଏ। ସେଥିପାଇଁ ସେ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି। ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିନି।

Advertisment

ଅନ୍ୟପକ୍ଷରେ ଗଙ୍ଗଧର, ତାଙ୍କ ପତ୍ନୀ ଓ ଭଉଣୀ ଦୃଷ୍ଟିବାଧିତ। ହେଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମିଳିନି ଭିନ୍ନକ୍ଷମ ଭତ୍ତା। ଏନେଇ ସେମାନେ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି। ମାତ୍ର ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ହେଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଜଣକା ୧୨୦୦ ଟଙ୍କା ଲେଖାଏଁ କଳାକାର ଭତ୍ତା ଦେଇ ଚୁପ୍‌ ବସିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଗଙ୍ଗାଧର, ତାଙ୍କ ପତ୍ନୀ ଓ ଭଉଣୀ ଗରିବ ହୋଇଥିଲେ ସୁଦ୍ଧା କ’ଣ ପାଇଁ ସେମାନଙ୍କୁ ମିଳୁନି ଭିନ୍ନକ୍ଷମ ଭତ୍ତା?

ଗଙ୍ଗଧର, ତାଙ୍କ ପତ୍ନୀ ଓ ଭଉଣୀ କଳାକାର ହୋଇଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ଖାଣ୍ଟି କୋରାପୁଟିଆ ଗୀତ ଗାଇ ଜନତା ଓ ନେତାଙ୍କ ମନ ଜିଣୁଥିଲେ। ହେଲେ ଭିନ୍ନକ୍ଷମ ଭତ୍ତା କଥା ପଡ଼ିଲେ ପ୍ରଶାସନ ଚୁପ୍‌ ରହୁଛି।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe