ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ ଓ ମାସେ ହେଲାଣି ସେଠାରେ ଚିକିତ୍ସାଧୀନ ଥିଲେ। ଜାତୀୟ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଓଡ଼ିଶାର ଅଳ୍ପ କିଛି ପ୍ରମୁଖ ସେନା ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ ଲେଫ୍ଟନାଣ୍ଟ […]

kpdhalasamanta

Jitendra Garnayak
  • Published: Monday, 13 April 2020
  • , Updated: 13 April 2020, 02:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ ଓ ମାସେ ହେଲାଣି ସେଠାରେ ଚିକିତ୍ସାଧୀନ ଥିଲେ।

ଜାତୀୟ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଓଡ଼ିଶାର ଅଳ୍ପ କିଛି ପ୍ରମୁଖ ସେନା ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ ଲେଫ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତ। ଭୁବନେଶ୍ୱର ସୈନିକ ସ୍କୁଲ୍‌ର ପ୍ରଥମ ବ୍ୟାଚ୍‌ର ଛାତ୍ର କେପିଡି ମାତ୍ର ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ। ୧୯୭୧ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ସେ ଲଢ଼ିଥିଲେ। ଏହି ଲଢ଼େଇରେ ନିଜର ବୀରତ୍ୱ ପାଇଁ ସେ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନିତ ହୋଇଥିଲେ। ବାଂଲାଦେଶ ମୁକ୍ତି ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ଯୋଗୁ ସେଠାକାର ସରକାର ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ପଞ୍ଜାବରେ ଆତଙ୍କବାଦୀ ନିପାତ ପାଇଁ ହୋଇଥିବା ଅପରେସନ୍‌ ବ୍ଲୁ ଷ୍ଟାରରେ ସାମିଲ ହୋଇଥିଲେ କେପିଡି ସାମନ୍ତ। ସେ ୧୯୯୯ ମସିହା କାର୍‌ଗିଲ୍ ଯୁଦ୍ଧ ବେଳେ ନିଜର ବଳିଷ୍ଠ ଯୋଗଦାନ ଦେଇଥିଲେ।

କେବଳ ସେନାର ଅପରେସନ୍‌ ନୁହେଁ, ପ୍ରାକୃତିକ ବିପତ୍ତି ପରିଚାଳନାରେ ମଧ୍ୟ ଅନେକ ଉପଲବ୍ଧି ହାସଲ କରିଥିଲେ କେପିଡି ସାମନ୍ତ। ୨୦୦୨ ବିହାର ବନ୍ୟା ଏବଂ ଗୟାରେ ରାଜଧାନୀ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ସେ ନେଇଥିଲେ। ଅବସର ପୂର୍ବରୁ ସେ ରାଷ୍ଟ୍ରୀୟ ରାଇଫଲର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୨୦୦୭ରୁ ୨୦୧୦ ଯାଏ ସେ ଏହି ଦାୟିତ୍ୱ ତୁଲାଇଥିଲେ। ଅବସର ପରେ ସେ କୋଲକାତାସ୍ଥିତ ଆର୍ମଡ୍‌ ଫୋର୍ସେସ୍‌ ଟ୍ରିବ୍ୟୁନାଲ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେହିପରି ଅବସର ପରେ ସେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ରଖିଥିଲେ। ତାଙ୍କ ପରଲୋକରେ ବିଭିନ୍ନ ବର୍ଗର ଲୋକେ ଶୋକ ପ୍ରକାଶ କରିଛନ୍ତି।

କେପିଡି ସାମନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଜଣେ ସେନାଧିକାରୀ ଭାବେ ସେ ସଫଳତାର ସହ କାର୍ଯ୍ୟ କରିବା ପରେ ସାମାଜିକ ଜୀବନରେ ବେଶ୍‌ ସକ୍ରିୟ ଥିଲେ ବୋଲି ବୈଜୟନ୍ତ କହିଛନ୍ତି। ସେ ଜଣେ ନିଷ୍ଠାବାନ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ତାଙ୍କର ଦେହାନ୍ତ ଦୁଃଖ ଦେଇଛି ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି। ଏହାସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Related story