ଏବେ ଲୁଟେରାଙ୍କ ଟାର୍ଗେଟ ବିବାହ ମଣ୍ଡପ, ନାବାଳକଙ୍କ ଦ୍ୱାରା ଲୁଟୁଛନ୍ତି ଗହଣା ବ୍ୟାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ମେଡିସିନ ଦୋକାନ ପରେ ଏବେ ଲୁଟେରାଙ୍କ ଟାର୍ଗେଟ ବିବାହ ମଣ୍ଡପ । ଗେଷ୍ଟ ପରି ଆସୁଛନ୍ତି, ମଣ୍ଡପରେ ବୁଲୁଛନ୍ତି, ସୁବିଧା ଦେଖି ଗହଣା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରୁଛନ୍ତି। ଏପରିକି ଏହି ଗ୍ୟାଙ୍ଗରେ ନାବାଳକ ବି ସାମିଲ ହେଉଛନ୍ତି। ଗତ ୨୩ ତାରିଖ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଏକ ବିବାହ ଉତ୍ସବରେ ଏପରି ଉପାୟରେ ୨ ଲକ୍ଷର ଗହଣା ନେଇ ଚମ୍ପଟ ମାରିଛି ଅଭିଯୁକ୍ତ । […]

loot

Niharika Rout
  • Published: Friday, 28 January 2022
  • , Updated: 28 January 2022, 02:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ମେଡିସିନ ଦୋକାନ ପରେ ଏବେ ଲୁଟେରାଙ୍କ ଟାର୍ଗେଟ ବିବାହ ମଣ୍ଡପ । ଗେଷ୍ଟ ପରି ଆସୁଛନ୍ତି, ମଣ୍ଡପରେ ବୁଲୁଛନ୍ତି, ସୁବିଧା ଦେଖି ଗହଣା ଭର୍ତ୍ତି ବ୍ୟାଗ୍‌ ଧରି ଚମ୍ପଟ ମାରୁଛନ୍ତି। ଏପରିକି ଏହି ଗ୍ୟାଙ୍ଗରେ ନାବାଳକ ବି ସାମିଲ ହେଉଛନ୍ତି। ଗତ ୨୩ ତାରିଖ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଏକ ବିବାହ ଉତ୍ସବରେ ଏପରି ଉପାୟରେ ୨ ଲକ୍ଷର ଗହଣା ନେଇ ଚମ୍ପଟ ମାରିଛି ଅଭିଯୁକ୍ତ ।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ରାଜଧାନୀର କେସୁରା ଅଞ୍ଚଳ ସ୍ଥିତ ପଲ୍ଲବୀ ମଣ୍ଡପରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବନ୍ଧୁବାନ୍ଧବଙ୍କ ଗହଳି ଜମିଥିବା ବେଳେ ଘର ଲୋକ ପରି ଏଣ୍ଟ୍ରି କଲେ ୨ ଲୁଟେରା। ପ୍ରଥମେ ଜଣେ ନାବାଳକ ପ୍ରବେଶ କରିଥିଲା। ଏହାର କିଛି ସମୟ ପରେ ପଶିଲେ ଜଣେ ଯୁବକ ।

ଉଭୟଙ୍କୁ ଗେଷ୍ଟ ଭାବି କେହି ବି ସନ୍ଦେହ କରି ନ ଥିବା ବେଳେ ଉଭୟ ଲୁଟେରା ବି ବେଶ୍‌ ସ୍ୱାଭାବିକ ବ୍ୟବହାର କରିଥିଲେ। ଏହାପରେ ସୁବିଧା ଦେଖି  ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଲେ। ପରିବାର ଲୋକ ଗହଣା ଖୋଜାଖୋଜି କରିବା ପରେ ସିସିଟିଭି ଫୁଟେଜରୁ ଲୁଟ୍ ସମ୍ପର୍କରେ ଜଣାପଡ଼ିଲା । ଏନେଇ ପରିବାର ଲୋକ ଥାନାରେ  ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ଏନେଇ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଜଣକ କହିଛନ୍ତି, ଗତ ୨୩ ତାରିଖରେ ମୋ ଝିଅ ବାହାଘର ହେଉଥିଲା। ସେଠାରେ ବନ୍ଦାଇବା ନିମନ୍ତେ ଏକ ବ୍ୟାଗରେ ଗୋଟିଏ ହାର, ୨ଟି କାନଫୁଲ ଓ ୫ଟି ମୁଦି ନେଇ ମଣ୍ଡପକୁ ଯାଇଥିଲୁ। ସନ୍ଧ୍ୟାରେ ମୋ’ ପତ୍ନୀ ଉକ୍ତ ବ୍ୟାଗ୍‌ଟିକୁ ମୋ ଭଉଣୀ ପାଖରେ ରଖି ବିବାହ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଏହି ସମୟରେ ଏକ ୧୦-୧୨ ବର୍ଷର ପିଲାଟି ଆସି ସେଠାରେ କିଛି ସମୟ ବସିଥିଲା। ମୋ ଭଉଣୀ କିଛି ସମୟ ପାଇଁ ବାହାରକୁ ଯିବା ବେଳେ ସୁଯୋଗ ଦେଖି ଛୁଆଟି ଉକ୍ତ ବ୍ୟାଗ୍‌ ଧରି ସେଠାରୁ ପଳାଇଛି।

ଏନେଇ ଖୋଳତାଡ଼ କରିବା ପରେ ସିସିଟିଭି ଫୁଟେଜରୁ ଉକ୍ତ ପିଲାଟି ସାଙ୍ଗରେ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି। ଏନେଇ ଥାନାରେ  ଅଭିଯୋଗ କରିଥିବା ବେଳେ ପୁଲିସ୍‌ ସକାଳେ ଆସ, ସନ୍ଧ୍ୟାରେ ଆସ କହି ସମୟ ଗଡ଼ାଇ ଚାଲିଛି।  ଘଟଣାକୁ ୫ ଦିନ ବିତିଯାଇଥିବା ବେଳେ ପୁଲିସ୍‌ ଏ ଯାଏ ଏଫଆଇଆର କପି ଦେଉନି। ଆମେ ଅଭିଯୋଗ କରିବାକୁ ଆସି ହିନସ୍ତ ହେଉଛୁ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ରାଜଧାନୀରେ ଲୁଟେରା ଗ୍ୟାଙ୍ଗ ମାତିଥିବା ବେଳେ ସେମାନେ ମୁଖ୍ୟତଃ ମେଡିସିନ ଦୋକାନ ଓ ଅନ୍ୟ ଦୋକାନକୁ ଟାର୍ଗେଟ କରୁଥିଲେ। ଏହି ଗ୍ୟାଙ୍ଗ ସଦସ୍ୟ ଦୋକାନରେ ଗ୍ରାହକ ପରି ପଶି ବିଭିନ୍ନ ଜିନିଷର ମୂଲ୍ୟକୁ ନେଇ ଦୋକାନୀଙ୍କ ସହ ଝଗଡ଼ା କରୁଥିଲେ। ଏପରି ସମୟରେ ଦୋକାନୀ ଅନ୍ୟମନସ୍କ ହେବା ସମୟରେ କ୍ୟାସ୍‌ ଡ୍ରରୁ ଟଙ୍କା ନେଇ ଛୁ ମାରୁଥିଲେ। ଏପରି ଏକ ଗ୍ୟାଙ୍ଗର ୪ ବଙ୍ଗୀୟ ଯୁବକଙ୍କୁ ଗତକାଲି କମିଶନରେଟ ପୁଲିସ୍‌ ଗିରଫ କରିଥିଲା।

ଏହାପରେ  ରାଜଧାନୀର ଏକ ଫର୍ଣ୍ଣିଚର ଦୋକାନ ଡ୍ରରୁ ଲକ୍ଷେ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଆଜି ମଣ୍ଡପରୁ ଗହଣା ଲୁଟ୍‌ ନେଇ ଅଭିଯୋଗ ହୋଇଛି। ତେଣୁ ରାଜଧାନୀରେ ଆହୁରି ବହୁ ଲୁଟେରା ଗ୍ୟାଙ୍ଗ ବୁଲୁଥିବା ସ୍ପଷ୍ଟ ହୋଇଥିବା ବେଳେ ସତର୍କ ରହିବାକୁ ଗତକାଲି ସାଧାରଣ ଲୋକ ସମେତ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ ଟୁଇନ ସିଟି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।  ରାଜଧାନୀରେ ଲୁଚି ରହି ଭିନ୍ନ ଭିନ୍ନ ଉପାୟରେ ଏପରି ଲୁଟ କରୁଥିବା ଗ୍ୟାଙ୍ଗକୁ ଧରିବା ପୁଲିସ୍‌ ସାମନାରେ ଏବେ ଏକ ବଡ଼ ଚ୍ୟାଲେଞ୍ଜ ।

Related story