କାମାକ୍ଷାନଗର (ବିଦ୍ୟାଧର ବରାଳ): ମିସ୍ କଲରୁ ପ୍ରେମ। ପରେ ସେକ୍ସ। ତା’ପରେ ସନ୍ଦେହ। ଶେଷରେ ମହିଳାଙ୍କୁ ଜିଅନ୍ତା ଜାଳିଦେଇ ମାରିଦେବାକୁ ହୋଇଛନ୍ତି ଉଦ୍ୟମ। ଖୋଦ୍ ବଏଫ୍ରେଣ୍ଡ ଏପରି କାଣ୍ଡ ଭିଆଇଛି। ଏପରି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରୁ। ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ୍ ବଏଫ୍ରେଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୂରା ଘଟଣା ଏମିତି। ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁର ଟୁକୁ ବିଶ୍ୱାଳ ମୋବାଇଲ୍ ଡାଏଲ୍ କରୁଥିବା ବେଳେ ଅଜାଣତରେ ମିସ୍ କଲ ଚାଲି ଯାଇଥିଲା। ଆଉ ମିସ୍ କଲ୍ ଦେଖି ଫୋନ୍ କରିଥିଲେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ମହିଳା। ଉଭୟଙ୍କ ଭିତରେ ହୋଇଥିଲା ଅତି ସଂକ୍ଷିପ୍ତ କଥାବାର୍ତ୍ତା। ଆଉ ଏହି କଥାବାର୍ତ୍ତା ପରବର୍ତ୍ତୀ ସମୟରେ ପ୍ରେମର ରୂପ ନେଇଥିଲା। ଉଭୟ ପରସ୍ପରକୁ ଭଲ ପାଇଲେ।ମହିଳାଙ୍କ ସ୍ୱାମୀ ଥାଉଁ ଥାଉଁ ସେ ମଧ୍ୟ ଟୁକୁଙ୍କୁ ଭଲ ପାଇଲେ। ଗତ ଦୁଇ ବର୍ଷ ଧରି ଉଭୟଙ୍କ ଭିତରେ ଅନୈତିକ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଟୁକୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି।
ଭଲ ପାଇବା ଭିତରେ ମହିଳାଙ୍କୁ ସନ୍ଦେହ କରୁଥିଲେ ଟୁକୁ। ସେଥିପାଇଁ ଗତ ୧୨ ତାରିଖ ସେ ମୁକ୍ତାପଶି ଗାଁ ପାଖ ଜଙ୍ଗଲ ନିକଟକୁ ମହିଳାଙ୍କୁ ଡାକିଥିଲେ। ପ୍ରେମିକଙ୍କଠାରୁ ଡାକରା ପାଇ ଧାଇଁ ଆସିଥିଲେ ପ୍ରେମିକା। ସେଠାରେ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ପାଟିତୁଣ୍ଡ ଭିତରେ ଟୁକୁ ମହିଳାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଯାହାଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ମରିଯାଇଥିବା ଭାବି ମହିଳାଙ୍କ ଉପରେ ନଡ଼ା ଓ ଡାଳପତ୍ର ପକାଇ ନିଆଁ ଲଗାଇ ଦେଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଥିଲେ ଟୁକୁ।
ଦେହରେ ନିଆଁ ଲାଗିବା ପରେ ଚେଇଁ ଉଠିଥିଲେ ମହିଳା। ଆଉ ତା’ପରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଆଖପାଖ ଲୋକ ସେଠାକୁ ଧାଇଁ ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ପରେ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ବଡ଼ ମେଡିକାଲ୍ରେ ତାଙ୍କର ଚିକିତ୍ସା ଚାଲିଛି।
ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ପ୍ରଥମେ ଟୁକୁଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ପରେ ସେ ଦୋଷ ସ୍ୱୀକାର କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଟୁକୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।