ଶୁଖିଯିବ ମହାନଦୀ, ଓଡ଼ିଶାରେ ଦେଖାଦେବ ଜଳ ସଙ୍କଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଧାନ ପରିବର୍ତ୍ତେ ଆହୁରି ଜଟିଳ ହେଉଛି ମହାନଦୀ ବିବାଦ। ଶୁଷ୍କ ହୋଇଯାଇ ପାରେ ରାଜ୍ୟର ସବୁଠୁ ବଡ଼ ନଦୀ ‘ମହାନଦୀ’। ଓଡ଼ିଶାରେ ଗୁରୁତର ଜଳ ସଙ୍କଟ ଦେଖାଦେଇ ପାରେ। ମହାନଦୀ ଅବବାହିକାରେ ଛତିଶଗଡ଼ ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ନେଇ ବଢ଼ିଯାଇଛି ଏଭଳି ଆଶଙ୍କା। ରାଜ୍ୟସଭାରେ କେନ୍ଦ୍ର ସରକାର ରଖିଥିବା ତଥ୍ୟ ଅନୁଯାୟୀ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ୨୩୬୫ଟି ପ୍ରକଳ୍ପ ନିର୍ମାଣ କରିସାରିଛି। ତେବେ ଆହୁରି ୧୮୦୨ଟି ପ୍ରକଳ୍ପ କରିବାର ଯୋଜନା ରାଜ୍ୟ ସରକାର […]

mahanadi

Manoranjan Sial
  • Published: Saturday, 20 July 2019
  • , Updated: 20 July 2019, 08:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଧାନ ପରିବର୍ତ୍ତେ ଆହୁରି ଜଟିଳ ହେଉଛି ମହାନଦୀ ବିବାଦ। ଶୁଷ୍କ ହୋଇଯାଇ ପାରେ ରାଜ୍ୟର ସବୁଠୁ ବଡ଼ ନଦୀ ‘ମହାନଦୀ’। ଓଡ଼ିଶାରେ ଗୁରୁତର ଜଳ ସଙ୍କଟ ଦେଖାଦେଇ ପାରେ। ମହାନଦୀ ଅବବାହିକାରେ ଛତିଶଗଡ଼ ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ନେଇ ବଢ଼ିଯାଇଛି ଏଭଳି ଆଶଙ୍କା।

ରାଜ୍ୟସଭାରେ କେନ୍ଦ୍ର ସରକାର ରଖିଥିବା ତଥ୍ୟ ଅନୁଯାୟୀ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ୨୩୬୫ଟି ପ୍ରକଳ୍ପ ନିର୍ମାଣ କରିସାରିଛି। ତେବେ ଆହୁରି ୧୮୦୨ଟି ପ୍ରକଳ୍ପ କରିବାର ଯୋଜନା ରାଜ୍ୟ ସରକାର ରଖିଛନ୍ତି। ଏହି ସମସ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ତଳମୁଣ୍ଡରେ ଥିବା ଓଡ଼ିଶା ପାଇଁ ପାଣି ବଞ୍ଚିବ ନା ନାହିଁ, ତାକୁ ନେଇ ଆଶଙ୍କା ବଢ଼ି ଯାଇଛି।

ସେପଟେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଅର୍ପା ଭୈସଝଁର ପ୍ରକଳ୍ପକୁ ନେଇ ମୂଳ ବିବାଦ ଥିଲା। ଆଉ ଏହି ପ୍ରକଳ୍ପକୁ ମଧ୍ୟ କେନ୍ଦ୍ର ଜଳ ଆୟୋଗ ଟେକ୍ନିକାଲ୍‌ ଆଡଭାଇଜରି କମିଟି ୨୦୧୬ ସେପ୍ଟେମ୍ୱର ୩୦ ତାରିଖରେ ଅନୁମୋଦନ ଦେଇଥିବା କେନ୍ଦ୍ର ସରକାର ରାଜ୍ୟସଭାକୁ ଜଣାଇଛନ୍ତି। ଗୋଟିଏ ପଟେ ମହାନଦୀ ଜଳ ବିବାଦ ଟ୍ରାଇବ୍ୟୁନାଲ୍‌ରେ ବିଚାରାଧୀନ ଥିବାବେଳେ ଏତେ ସଂଖ୍ୟକ ନୂଆ ପ୍ରକଳ୍ପ ସଂପର୍କିତ ତଥ୍ୟ ସାମ୍ନାକୁ ଆସିବା ପରେ ପୁଣି ବିବାଦ ତେଜିଛି।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ଆହୁରି ୧୮୦୨ଟି ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି ଛତିଶଗଡ଼ ସରକାର। ଏହା ଓଡ଼ିଶା ପାଇଁ କ୍ଷତିକାରକ। ଯେଉଁ ପ୍ରକଳ୍ପ ଆରମ୍ଭ କରାଯାଇନାହିଁ, ସେଗୁଡ଼ିକ ବନ୍ଦ କରାଯାଉ।”

ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି-“୨୦ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ମଧ୍ୟ ବ୍ୟାରେଜ ହେଲା ନାହିଁ। ଅପରପକ୍ଷରେ ମହାନଦୀର ଉପର ମୁଣ୍ଡରେ ଯେତିକି ବ୍ୟାରେଜ ହେଲା, ଠିକ୍‌ ସମୟରେ ତାକୁ ପ୍ରତିରୋଧ କରିବା ପାଇଁ ସମୟ ପାଇଲେ ନାହିଁ। ଏହାକୁ ନେଇ ବିଜେଡି ସରକାର କେବଳ ରାଜନୀତି କରୁଛନ୍ତି, ଯାହାର ଫଳ ଓଡ଼ିଶାବାସୀ ଭୋଗୁଛନ୍ତି।”

ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ଛତିଶଗଡ଼ ସରକାର ମହାନଦୀରେ ୧୮୦୨ଟି ପ୍ରକଳ୍ପ ନିର୍ମାଣ କଲେ ଓଡ଼ିଶାବାସୀ ଟୋପାଏ ହେଲେ ପାଣି ପାଇବେ ନାହିଁ। ଏହି ପ୍ରକଳ୍ପ ହେଲେ କଂଗ୍ରେସ ବିରୋଧ କରିବ।”

ଛତିଶଗଡ଼ର ମହାନଦୀ ଯୋଜନା ଯୋଗୁ ଓଡ଼ିଶା ପ୍ରତି ବିପଦ ଘନଉଛି। ହେଲେ ହୀରାକୁଦ ତଳମୁଣ୍ଡରେ ଓଡ଼ିଶା ସରକାର ଜଳ ସଂରକ୍ଷଣ ପାଇଁ ବିଶେଷ କିଛି ପ୍ରକଳ୍ପ କରିନାହାନ୍ତି। ଫଳରେ ମହାନଦୀର ଅଧିକାଂଶ ଜଳ ସମୁଦ୍ରକୁ ଚାଲିଯାଉଛି। ତେବେ ଛତିଶଗଡ଼ କାରସାଦି ପଦାକୁ ଆସିବା ଓ ବିଭିନ୍ନ ମହଲରୁ ସମାଲୋଚନା ପରେ ସରକାର ନଦୀ ଭିତରେ ଜଳାଶୟ ନିର୍ମାଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଏଥିଲାଗି ମହାନଦୀ ସମେତ ୩୦ଟି ନଦୀରେ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ କରାଯାଉଛି। ତେବେ ଏସବୁ ପ୍ରକଳ୍ପ କେବେ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

Related story