ସାପ ବିଷ ଜ୍ୱାଳାରେ ଛଟପଟ ମଞ୍ଜୁଳାକୁ ନିଆଗଲା କଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ ବିଷ ଯନ୍ତ୍ରଣାର ଜ୍ୱଳା ସହି ନ ପାରି ମାସେ ହେବ ଛଟପଟ ହେଉଥିବା ୯ ବର୍ଷର ନାବାଳିକା ମଂଜୁଳା ଅଣ୍ଟିକୁ ଶେଷରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି  ପ୍ରଶାସନ। ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ମଂଜୁଳାକୁ ଗତକାଲି  ପ୍ରଥମେ ନବରଙ୍ଗପୁର […]

ambulance

Niharika Rout
  • Published: Wednesday, 14 July 2021
  • , Updated: 14 July 2021, 01:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାପ ବିଷ ଯନ୍ତ୍ରଣାର ଜ୍ୱଳା ସହି ନ ପାରି ମାସେ ହେବ ଛଟପଟ ହେଉଥିବା ୯ ବର୍ଷର ନାବାଳିକା ମଂଜୁଳା ଅଣ୍ଟିକୁ ଶେଷରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି  ପ୍ରଶାସନ।

ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ମଂଜୁଳାକୁ ଗତକାଲି  ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ । ସେପଟେ କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯିବାକୁ ବନ୍ଦୋବସ୍ତ କରାଯାଇଛି । ଆବଶ୍ୟକସ୍ଥଳେ ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା ମାସେ ତଳେ ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା । ସେହିଦିନଠାରୁ ବିଷ ଜ୍ୱାଳାରେ ଛଟପଟ ହେଉଛି ମଞ୍ଜୁଳା। ନାଗ ଚୋଟ ମାରିଥିବା ଡାହାଣ ହାତଟି ଫୁଲି ଯାଇ କଳା ପଡ଼ିଯାଇଛି । ତେବେ ଚିକିତ୍ସା ଅଭାବରୁ ତା ହାତ ଏବେ ପଚିବା ଆରମ୍ଭ କଲାଣି ।

ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର  । କିନ୍ତୁ ଅର୍ଥ ଅଭାବରୁ ମଂଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ  । ସେବେଠୁ  ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଝିଅ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା‘ । ଗଣମାଧ୍ୟମରେ  ଖବର ପ୍ରକାଶ ପରେ ଏବେ ଝିଅଟିର ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ ।

ଏନେଇ ନବରଙ୍ଗପୁର ସିଡିଏମ୍‌ଓ କହିଛନ୍ତି,  ଝିଅଟିର ମାଗଣା ଚିକିତ୍ସା ବ୍ୟବସ୍ଥା କରିବୁ । ଜିଲ୍ଲାପାଳ ମଧ୍ୟ ଝିଅଟିର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related story