Advertisment

WLPA ଓ IPC ଆକ୍ଟରେ ଅପରାଧୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ରମନ୍ତ୍ରୀ

ଶିକାରୀଙ୍କୁ ଧରିବା ପାଇଁ ନୂଆ ରଣନୀତି ଆପଣାଯାଇଛି। ଗ୍ରୁପ୍ ପାଟ୍ରୋଲିଂ କରାଯାଉଛି, କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉଛି ବୋଲି ପିସିସିଏଫ୍‌ କହିଛନ୍ତି।

author-image
Manoranjan Sial
Bhupender Yadav

Bhupender Yadav

ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ପ୍ରାଣ ହରାଇଥିଲେ ଭାରପ୍ରାପ୍ତ ରେଞ୍ଜର ମାଟି ହାଂସଦା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟ୍‌କୁ ରି-ଟ୍ୱିଟ୍‌ କରି ଶ୍ରୀ ଯାଦବ ଲେଖିଛନ୍ତି, ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ହେପାଜତକୁ ନିଆଯାଇଛି। ଶିକାରୀଙ୍କଠାରୁ ଦେଶୀ ବନ୍ଧୁକ ଜବତ ହୋଇଛି। WLPA ଓ IPC ଆକ୍ଟରେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି।

Advertisment

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆହୁରି ମଧ୍ୟ ଲେଖିଛନ୍ତି, ବନ କର୍ମଚାରୀ ହତ୍ୟା ଘଟଣାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅତି ଗୁରୁତର ସହ ନେଇଛି। ରାଜ୍ୟ ସରକାରଙ୍କୁ ଏ ମାମଲାରେ ସହଯୋଗ ପାଇଁ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଏକ ଟିମ୍‌ ପଠାଯାଇଛି ବୋଲି ଟ୍ୱିଟ୍‌ କାରି ଶ୍ରୀ ଯାଦବ ଲେଖିଛନ୍ତି।

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ। ମେ’ ୨୨ ତାରିଖରେ ପାଟ୍ରୋଲିଂ ବେଳେ ଜଣେ ଫରେଷ୍ଟ ଗାର୍ଡ ଓ ଶୁକ୍ରବାର ବିଳମ୍ୱିତ ରାତିରେ ଗୁଳି କରି ଜଣେ ଫରେଷ୍ଟରଙ୍କୁ ହତ୍ୟା କରାଯାଇଛି। ରାତି ପ୍ରାୟ ୨ଟା ବେଳେ ବାରହାକାମୁଡ଼ା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଟି ହାଂସଦା ଗାମଛାଝରଣ ନିକଟରେ ପାଟ୍ରୋଲିଂ କରୁଥିଲେ। ଠିକ୍‌ ସେହି ସମୟରେ ଶିକାରୀମାନେ ଗୁଳି କରିଥିଲେ। ଶିକାରୀଙ୍କ ଗୋଟିଏ ଗୁଳି ଫରେଷ୍ଟର ମାଟି ହାଁସଦାଙ୍କ ଛାତିରେ ବାଜିଥିଲା। ସେ ଗୁରୁତର ଆହତ ହୋଇଥିଲେ। ସାଥୀ କର୍ମଚାରୀମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି।

Advertisment

ବନ କର୍ମଚାରୀ ହତ୍ୟାକୁ ନେଇ ପିସିସିଏଫ୍ କହିଛନ୍ତି, ଶିକାରୀଙ୍କୁ ଧରିବା ପାଇଁ ନୂଆ ରଣନୀତି ଆପଣାଯାଇଛି। ଗ୍ରୁପ୍ ପାଟ୍ରୋଲିଂ କରାଯାଉଛି, କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ବି ଦିଆଯାଉଛି। ଗତରାତିରେ ଘଟିଥିବା ଘଟଣାରେ ୪-୫ରୁ ଅଧିକ ଶିକାରୀ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖାଯାଇଛି। ଦୁଇଟି ଦେଶୀ ବନ୍ଧୁକ ଜବତ ହୋଇଛି ବୋଲି ପିସିସିଏଫ୍‌ କହିଛନ୍ତି।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Similipal National Park Baripada Mayurbhanj