ଶୁଖିଲା ନଦୀରେ ଚାଲିଛି ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ, ୧୮୦ କୋଟି ଖର୍ଚ୍ଚକୁ ନେଇ ପ୍ରଶ୍ନବାଚୀ

ଯାଜପୁର(ସଞ୍ଜୀବ ନାୟକ): ଖରା ଦିନେ ନଦୀର ଯେଉଁ ସ୍ଥାନ ଶୁଖି ବାଲି କୁଦ ଦେଖାଯାଉଛି, ସେହିଠାରୁ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ପାଣି ଉଠାଇବାକୁ କାମ ଚାଲିଛି। ପ୍ରକଳ୍ପ ନିମନ୍ତେ ପ୍ରଥମେ ଜଳ ସଂରକ୍ଷଣ ବ୍ୟବସ୍ଥା ନ କରି ପ୍ରଶାସନ କାହିଁକି ଲୋକ ଦେଖାଣିଆ ପ୍ରହସନ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦେଇ ବୋହି ଯାଇଥିବା ବୈତରଣୀ ନଦୀର ସିଦ୍ଦେଶ୍ୱର ଗ୍ରାମ ନିକଟରେ ଏହି ମେଗା ପାନୀୟ […]

baitarani

  • Published: Tuesday, 10 January 2023
  • , Updated: 10 January 2023, 08:53 PM IST

ଯାଜପୁର(ସଞ୍ଜୀବ ନାୟକ): ଖରା ଦିନେ ନଦୀର ଯେଉଁ ସ୍ଥାନ ଶୁଖି ବାଲି କୁଦ ଦେଖାଯାଉଛି, ସେହିଠାରୁ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ପାଣି ଉଠାଇବାକୁ କାମ ଚାଲିଛି। ପ୍ରକଳ୍ପ ନିମନ୍ତେ ପ୍ରଥମେ ଜଳ ସଂରକ୍ଷଣ ବ୍ୟବସ୍ଥା ନ କରି ପ୍ରଶାସନ କାହିଁକି ଲୋକ ଦେଖାଣିଆ ପ୍ରହସନ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦେଇ ବୋହି ଯାଇଥିବା ବୈତରଣୀ ନଦୀର ସିଦ୍ଦେଶ୍ୱର ଗ୍ରାମ ନିକଟରେ ଏହି ମେଗା ପାନୀୟ ପ୍ରକଳ୍ପ କରାଯାଉଛି। ୩୫ ପଞ୍ଚାୟତର ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଣ ନିମନ୍ତେ ପ୍ରକଳ୍ପ ବାବଦରେ ୧୮୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ପ୍ରାୟ ୩ ଲକ୍ଷ ୮୪୪ ହିତାଧିକାରୀଙ୍କ ଲାଗି ୬୨୫ କିମି ପାଇପ ବିଛାଯିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟେକ ପରିବାରକୁ ପ୍ରତିଦିନ ୭୦ ଲିଟର ପାଣି ଯୋଗାଇ ଦିଆଯିବ।

ତେବେ ସାଧାରଣ ଲୋକଙ୍କ ପ୍ରଶ୍ନ ଏଠାରେ ଶୁଖିଲା ପଡ଼ିଥିବା ବୈତରଣୀ ନଦୀ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ପାଣି ଯୋଗାଇ ପାରିବ ତ ? କାରଣ ବର୍ଷକରୁ ୫ ମାସ ଏହି ନଦୀ ଶୁଖିଲା ରହୁଛି। ଖରା ଦିନେ ଲୋକଙ୍କୁ ସ୍ନାନ ନିମନ୍ତେ ମଧ୍ୟ ପାଣି ମିଳୁନି। ଏପରି ସ୍ଥଳେ ନଦୀ ଉପର ଜଳକୁ ଅମଳ କରି ଦଶରଥପୁର ବ୍ଲକର ୩୫ ଗୋଟି ପଂଚାୟତ ବାସୀନ୍ଦାଙ୍କୁ ପାନୀୟଜଳ ଯୋଗାଇବା କିପରି ସମ୍ଭବ ହେବ ବୋଲି ଜନସାଧାରଣ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏହି ପଞ୍ଚାୟତବାସୀଙ୍କ ଲାଗି ଦୈନିକ ୨୧.୩୪ ମିଲିୟନ ଜଳ ଆବଶ୍ୟକ ପଡ଼ିବ। ବର୍ଷକ ୩୬୫ ଦିନ ନଦୀରେ ମହଜୁଦ ରହୁଥିବା ପାଣି ଏହି ଆବଶ୍ୟକତା ମେଣ୍ଟାଇବାରେ ଅସମର୍ଥ ହେବ। ତେଣୁ ମେଗା ପାଇପ୍ ପାନୀୟଜଳ ପ୍ରକଳ୍ପ ଭାଗ୍ୟକୁ ନେଇ ମଧ୍ୟ ଅଙ୍ଗୁଳି ଉଠିଛି। ଯଦି ଏଠାରେ ଚେକ୍ ଡ୍ୟାମ କରାନଯାଏ, ତା’ହେଲେ ପ୍ରକଳ୍ପ ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହୋଇପାରିବନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

[caption id="attachment_795998" align="aligncenter" width="650"] ପ୍ରକଳ୍ପ କାମ ଓ ନିର୍ଦ୍ଧାରିତ ସମୟ ଫଳକ।[/caption]

ସିଦ୍ଦେଶ୍ୱର ବାସିନ୍ଦା ମଦନ ମୋହନ ଦୀକ୍ଷିତ ଓ ଦେବୀ ପ୍ରସାଦ ବେହୁରିଆ କହିଛନ୍ତି, ଏହି ମେଗା ପାଇପ୍ ପାନୀୟଜଳ ପ୍ରକଳ୍ପ ଗତ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିବା ବେଳେ ୨୦୨୨ ଡିସେମ୍ବରରେ ସମ୍ପୂର୍ଣ୍ଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ପ୍ରକଳ୍ପ କାମ ସରିପାରିନି। ପ୍ରକଳ୍ପ କାମ ସାରିବା ପାଇଁ ଠିକା ସଂସ୍ଥାକୁ ପ୍ରଶାସନ ପକ୍ଷରୁ ଆହୁରି ୬ ମାସ ଅବଧି ସଂପ୍ରସାରଣ କରି ଦିଆଯାଇଛି। ଗ୍ରାମ୍ୟ ପାନୀଳଜଳ ଯୋଗାଣ ଓ ପରିମଳ ବିଭାଗ ପ୍ରକଳ୍ପ କରିବା ଦାୟିତ୍ୱ ନେଇଥିଲେ ହେଁ ଉଚିତ୍ ଦୃଷ୍ଟି ଦେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରକଳ୍ପ ଚାଲିବା ପାଇଁ ପ୍ରଥମେ ନଦୀ ଭିତରେ ମିନି ଚେକ୍ ଡ୍ୟାମ କରାଯାଉ। ଫଳରେ ଲୋକଙ୍କ ନିମନ୍ତେ ହେଉଥିବା ପ୍ରକଳ୍ପର ସଫଳ ରୂପାୟନ ହେବ।

ସେପଟେ ବୈତରଣୀ ନଦୀର ଦଶ୍ୱାଶ ମେଧ ଘାଟରେ ପାଣି ଅଭାବର ଦୂରିକରଣ ଓ ଘାଟର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଚେକ୍‌ ଡ୍ୟାମ ନିର୍ମାଣାଧୀନ ରହିଛି। ନଦୀର ଉପର ମୁଣ୍ଡରୁ ପାଣି ଆସୁନଥିବାରୁ ବର୍ଷକ ଅଧିକାଂଶ ମାସଗୁଡ଼ିକରେ ପାଣି ଅଭାବ ସମସ୍ୟା ଦେଖା ଦେଉଥିବା ଘାଟ ସେବାୟତ ମଧୁସୂଦନ ମିଶ୍ର କହିଛନ୍ତି। ଏହା ସମ୍ପୂର୍ଣ୍ଣ ହେବା ପରେ ସିଦ୍ଦେଶ୍ୱର ଗ୍ରାମ ଠାରେ ନଦୀର ପାଣି ପହଞ୍ଚିବା ଆହୁରି କଷ୍ଟକର ହେବ ବୋଲି ଆଶଙ୍କା କରାଯାଉଛି।

ଏନେଇ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ କହିଛନ୍ତି, ପ୍ରକଳ୍ପ ଚାଲିବା ଲାଗି ଓ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଯାହା ଆବଶ୍ୟକ ପଡିବ ପଦକ୍ଷେପ ନିଆଯିବ।

Related story