ଓଃ ! କି ମିଠା ନିୟମଗିରି ସପୁରୀ, ତଥାପି ପିଛା ଛାଡ଼ୁନି ଅଭାବୀ ବିକ୍ରି

ରାୟଗଡ଼ା(ମାଉଡ଼ି ବାରିକ): ଓଃ ! କି ସୁସ୍ୱାଦୁ ! କି ମିଠା ! ପାହାଡ଼ର ଯେଉଁ ଆଡ଼କୁ ଆଖି ଉଠାଇ ଦେଖିଲେ ଭରପୂର ହୋଇ ଫଳିଛି ହଳଦି ବର୍ଣ୍ଣର ପାଚିଲା ସପୁରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଭରି ରହିଥିବା ଏହି ସପୁରୀ ସ୍ୱାଦୁ ଯିଏ ଚାଖିଛି ସେ ଭୁଲି ପାରିନି। ପ୍ରଚୁର ମାତ୍ରାରେ ଫଳୁଥିବା ଏହି ସପୁରୀ ବିକ୍ରି କରିବାରେ ଚାଷୀ କିନ୍ତୁ ହଟହଟା ହେଉଛି। ବାଧ୍ୟ ହୋଇ ରାଜ୍ୟ ବାହାର […]

pinaple-2

  • Published: Tuesday, 20 September 2022
  • , Updated: 21 September 2022, 06:05 PM IST

ରାୟଗଡ଼ା(ମାଉଡ଼ି ବାରିକ): ଓଃ ! କି ସୁସ୍ୱାଦୁ ! କି ମିଠା ! ପାହାଡ଼ର ଯେଉଁ ଆଡ଼କୁ ଆଖି ଉଠାଇ ଦେଖିଲେ ଭରପୂର ହୋଇ ଫଳିଛି ହଳଦି ବର୍ଣ୍ଣର ପାଚିଲା ସପୁରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଭରି ରହିଥିବା ଏହି ସପୁରୀ ସ୍ୱାଦୁ ଯିଏ ଚାଖିଛି ସେ ଭୁଲି ପାରିନି। ପ୍ରଚୁର ମାତ୍ରାରେ ଫଳୁଥିବା ଏହି ସପୁରୀ ବିକ୍ରି କରିବାରେ ଚାଷୀ କିନ୍ତୁ ହଟହଟା ହେଉଛି। ବାଧ୍ୟ ହୋଇ ରାଜ୍ୟ ବାହାର ବ୍ୟବସାୟୀଙ୍କୁ କମ୍ ଦାମ୍‌ରେ ଦେଉଛନ୍ତି। ତେଣୁ ହାଡ଼ଭଙ୍ଗା ଖଟଣୀ ସତ୍ତ୍ୱେ ସପୁରୀ ଚାଷ କରୁଥିବା ଡଙ୍ଗରିଆ କନ୍ଧ ଆଦିବାସୀଙ୍କୁ ଲାଭ ମିଳୁନି। ଯାହାକୁ ନେଇ ସେମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି।

ସୂଚନା ମୁତାବକ, ନିୟମଗିରି ପାହାଡ଼ରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଡଙ୍ଗରିଆ କନ୍ଧମାନେ ଏହି ସପୁରୀ ଚାଷ କରୁଛନ୍ତି। ତେଣୁ ଏହା ଦେଖିବାକୁ ଯେତିକି ଆକୃଷ୍ଟ, ସ୍ୱାଦ ମଧ୍ୟ ତାହା ଠାରୁ ଆହୁରି ଭଲ। ହେଲେ ହାଟ ଛଡ଼ା ଏହି ଅମଳ ଫସଲକୁ ବିକ୍ରି କରିବାକୁ ସ୍ଥାନୀୟ ଆଦିବାସୀଙ୍କ ନିକଟରେ ନା ମଣ୍ଡି ବ୍ୟବସ୍ଥା ଅଛି ନା ଗଛିତ ରଖିବା ନିମନ୍ତେ ଶୀତଳ ଭଣ୍ଡାର ସୁବିଧା। ତେଣୁ ଫସଲ ଅମଳ ହେବାର ତୁରନ୍ତ ପରେ ହିଁ ଚାଷୀଙ୍କୁ ଏହାକୁ ସାଗମାଛ ଦରରେ ବିକ୍ରି କରିବାକୁ ପଡ଼ୁଛି। ଦଲାଲମାନେ ଗୋଟା ପ୍ରତି ୧୫ ଟଙ୍କା ଦରରେ ଏହାକୁ କିଣି ନେଉଛନ୍ତି। ଯାହାକୁ ସେମାନେ ଶୀତଳ ଭଣ୍ଡାରରେ ରଖି ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଫଳରେ ଚାଷୀକୁ ସପୁରୀ ଚାଷ କରିବାରେ ନିବେଶ କରୁଥିବା ମୂଳଧନ ଓ ପରିଶ୍ରମର ଲାଭ ମିଳୁନି। ଯେଉଁଥି ପାଇଁ ସେମାନଙ୍କ ଆର୍ଥିକ ଉନ୍ନତି ହୋଇପାରୁନି। ଯେଉଁଠି ଗୋଟିଏ ଏକର ଫସଲରେ ସେମାନଙ୍କୁ ୧ ଲକ୍ଷ ଟଙ୍କା ମିଳିବା କଥା ସେଠାରେ ମାତ୍ର ୫୦ ହଜାରରୁ ୬୦ ହଜାର ଟଙ୍କା ମିଳିପାରୁଛି। ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିୟମଗିରି ପାହାଡ଼ର କାଡ୍ରାକାବଣ୍ଡେଲି ଗାଁରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ କୁଲେଶିକା ସାନି କହିଛନ୍ତି, ସପୁରୀ ଚାଷ ଏହି ଅଞ୍ଚଳବାସୀଙ୍କ ଏକ ପ୍ରମୁଖ ଚାଷ। ପ୍ରତିବର୍ଷ ସେମାନେ ସପୁରୀ ଚାରା ଲଗାନ୍ତି। ଯାହା ବଡ଼ ହୋଇ ଫଳଫଳିବାକୁ ୩ ବର୍ଷ ଲାଗିଥାଏ। ଥରେ ସପୁରୀ ଫଳିବା ପରେ ଗଛର ସାମାନ୍ୟ ଯତ୍ନ ନିଆଗଲେ ପ୍ରତି ବର୍ଷ ଏହା ଅମଳ ଦେଇ ଚାଲିଥାଏ। ତେବେ ସେମାନଙ୍କୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନି। ଶୀତଳ ଭଣ୍ଡାରଟିଏ ହୋଇପାରିଲେ ଅମଳ ଫସଲକୁ ରଖି ୩ ମାସ ପରେ ବିକ୍ରି କରିଲେ ବେଶ ଲାଭ ମିଳିପାରନ୍ତା।

[caption id="attachment_767895" align="aligncenter" width="650"] ନିୟମଗିରିର ଚାଷୀମାନେ ସପୁରୀ ଅମଳ ପରେ ଏହାକୁ ବିକ୍ରି କରିବାକୁ ନେଇ ଯାଉଛନ୍ତି।[/caption]

ଚାଷୀ ମହେଶ୍ୱର କାଡ୍ରାକା କହିଛନ୍ତି, ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ପାହାଡ଼ ଉପରେ ରହିଥିବା ଅନାବନା ଗଛକୁ କାଟି ସେମାନେ ନିଆଁ ଲଗାଇ ଦିଅନ୍ତି। ପାଉଁଶ ମାଟିକୁ ଉର୍ବର କରିଥାଏ। ଏହି ସ୍ଥାନରେ ବର୍ଷା ଦିନେ ସପୁରୀ ଲଗାଯାଇଥାଏ। ସପୁରୀ ଫଳିବା ପରେ ଏହାକୁ ସ୍ଥାନୀୟ ବଜାରରେ କିମ୍ବା ବ୍ୟବସାୟୀଙ୍କୁ ବିକ୍ରି କରି ଦିଅନ୍ତି। ଏହି ଅଞ୍ଚଳରୁ ବିଶେଷ ଭାବେ ଛତିଶଗଡ଼ ରାୟପୁର ଓ ଆମ ରାଜ୍ୟର ସମ୍ବଲପୁରରୁ ବ୍ୟବସାୟୀମାନେ ପହଞ୍ଚି ଫସଲ କିଣି ନେଇଥାନ୍ତି।

ଛତିଶଗଡ଼ ବ୍ୟବସାୟୀ ସୁଜିତ ନନ୍ଦୀ କହିଛନ୍ତି , ନିୟମଗିରି ଅଞ୍ଚଳର ସପୁରୀ ଭାରି ମିଠା। ଛତିଶଗଡ଼ରେ ଏହାର ବହୁତ ଚାହିଦା ରହିଛି। ତେଣୁ ସପୁରୀ ପାଚିବା ଜାଣିବା କ୍ଷଣି ସେମାନେ ଏହାକୁ କିଣି ନେବାକୁ ଆସିଥାନ୍ତି।

[caption id="attachment_767897" align="aligncenter" width="650"] ଡଙ୍ଗରିଆ କନ୍ଧ ଆଦିବାସୀମାନେ ଅମଳ ସପୁରୀକୁ ସ୍ଥାନୀୟ ହାଟରେ ବସି ବିକ୍ରି କରୁଛନ୍ତି।[/caption]

ସେପଟେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଥିଲେ ହେଁ ପ୍ରଶାସନ ନା ଏ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛି, ନା ଚାଷୀଙ୍କ ଲାଭ ନିମନ୍ତେ ଶୀତଭଣ୍ଡାର କରିବାକୁ ପଦକ୍ଷେପ ନେଉଛି। ଏନେଇ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସଲମାନ ରାଇକା କହିଛନ୍ତି, ଚାଷୀମାନେ ଅମଳ ସପୁରୀକୁ ୨୦ରୁ ୨୫ ଟଙ୍କାରେ ବିକ୍ରି କରୁଛନ୍ତି। ଯେଉଁଥିରୁ ପ୍ରତି ଚାଷୀ ୭୦ରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ସେମାନଙ୍କୁ ପ୍ରତିବର୍ଷ ସପୁରୀ ଚାରା ଯୋଗାଇ ଦିଆଯାଉଛି। ଶୀତଳ ଭଣ୍ଡାର କରିବା ଦାବି ଉପରେ ପଦକ୍ଷେପ ନିଆଯିବ।

Related story