ଆଗକୁ ହକି ବିଶ୍ୱକପ୍‌: ବିଏମ୍‌ସିର ନିଦ ହଜାଇଲା ମଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଭୁବନେଶ୍ୱରରେ ହେବ ହକି ବିଶ୍ୱକପ୍‌। ସେଥିପାଇଁ ସଜେଇ ହେଉଛି ରାଜଧାନୀ। ରାସ୍ତାଘାଟ ଚକାଚକ୍‌ ହେଉଛି।  ସବୁଜିମା ସହରକୁ ସୁନ୍ଦର କରିବା ପାଇଁ ଛକ ଛକରେ ଫୁଲ ଗଛ ରୋପଣ କରାଯାଉଛି। ହେଲେ ତାହାରି ଭିତରେ ସହରବାସୀଙ୍କୁ ବ୍ୟଥିତ କରିଛି ମଶାଙ୍କ ପ୍ରାଦୁର୍ଭାବ। ରାଜଧାନୀବାସୀଙ୍କୁ କାଲୁବାଲୁ କଲେ ମଶା। ଯାହାକୁ ନେଇ ଅକଳରେ ପଡ଼ି ଯାଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଅଳିଆ ପକାଇବାକୁ ନେଇ ହରଡ଼ଘଣା ପଡ଼ିଥିବା ବିଏମ୍‌ସି ଏବେ ମଶାକୁ ନେଇ […]

mosquito

  • Published: Thursday, 15 December 2022
  • , Updated: 15 December 2022, 08:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଭୁବନେଶ୍ୱରରେ ହେବ ହକି ବିଶ୍ୱକପ୍‌। ସେଥିପାଇଁ ସଜେଇ ହେଉଛି ରାଜଧାନୀ। ରାସ୍ତାଘାଟ ଚକାଚକ୍‌ ହେଉଛି।  ସବୁଜିମା ସହରକୁ ସୁନ୍ଦର କରିବା ପାଇଁ ଛକ ଛକରେ ଫୁଲ ଗଛ ରୋପଣ କରାଯାଉଛି। ହେଲେ ତାହାରି ଭିତରେ ସହରବାସୀଙ୍କୁ ବ୍ୟଥିତ କରିଛି ମଶାଙ୍କ ପ୍ରାଦୁର୍ଭାବ। ରାଜଧାନୀବାସୀଙ୍କୁ କାଲୁବାଲୁ କଲେ ମଶା। ଯାହାକୁ ନେଇ ଅକଳରେ ପଡ଼ି ଯାଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଅଳିଆ ପକାଇବାକୁ ନେଇ ହରଡ଼ଘଣା ପଡ଼ିଥିବା ବିଏମ୍‌ସି ଏବେ ମଶାକୁ ନେଇ ଚିନ୍ତାରେ ପଡ଼ିଯାଇଛି। ତେଣୁ ମଶା ବଂଶ ଲୋପ୍‌ ପାଇଁ ଡ୍ରୋନ୍‌ ବ୍ୟବହାର କରିବାକୁ ବିଏମ୍‌ସି ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

ରାଜଧାନୀରେ ଯୁଆଡେ ଦେଖିବ ମଶାଙ୍କ ଉତ୍ପାତ। ଦିନ ହେଉ କି ରାତି, କିଛି ମାନୁ ନାହାନ୍ତି ମଶା। ମଶା ଧୂପ ବା ଲିକ୍ୱିଡ୍‌ କାମ ଦେଉନାହିଁ। ଏପରି ସ୍ଥିତିରେ ବିଏମ୍‌ସି କୌଣସି ଠୋସ୍‌ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ପନ୍ଦର ଦିନ କିମ୍ବା ମାସକୁ ଥରେ କାଁ ଭାଁ ମଶା ଧୁଆଁ ଗାଡି ବୁଲୁଛି। କେବଳ ମୁଖ୍ୟ ରାସ୍ତାକୁ ଛାଡି ଦେଲେ, ଗଳି ଭିତରକୁ ମଧ୍ୟ ତାହା ଯାଉନଥିବା ଅଭିଯୋଗ ହେଉଛି। ସ୍ଥିତି ଏମିତି ହୋଇଛି ଯେ, ରାଜଧାନୀର ଅଧିକାଂଶ ସ୍ଥାନରେ ମଶା ସାନ୍ଧ୍ରତା ୧୦୦ ଟପିଲାଣି। ଏହା ୫୦ ତଳକୁ ରହିବା କଥା। ଯଦିଓ ଏବେ ଡେଙ୍ଗୁ ବ୍ୟାପିବାର ଆଶଙ୍କା କମ୍, ତଥାପି ଏହି ମଶା କାମୁଡିଲେ ମ୍ୟାଲେରିଆ ଓ ଫାଇଲେରିଆ ଭଳି ରୋଗ ହୋଇପାରେ ବୋଲି ମତ ପ୍ରକାଶ ପାଇଛି।

ମଶା ଉପଦ୍ରବକୁ ନେଇ ଲୋକେ ଅତିଷ୍ଠ ହେବା ପରେ ଚେଇଁ ଶୋଇଥିବା ବିଏମ୍‌ସି ତତ୍ପର ହୋଇଛି। ମଶାଙ୍କ ବଂଶ ବିସ୍ତାର ହେଉଥିବା ସ୍ଥାନ ଯେମିତିକି ଜଳାଶୟ, ଅପନ୍ତରା ଜାଗା ଓ ଖାଲି ଆଖିକୁ ଦେଖାଯାଉନଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ଏଣିକି ଡ୍ରୋନ ବ୍ୟବହାର କରାଯିବ। ଜାଗା ଚିହ୍ନଟ ସହ ମଶା ଔଷଧ ସିଞ୍ଚନ ମଧ୍ୟ କରିବ ଡ୍ରୋନ। ବିଏମ୍‌ସି ପକ୍ଷରୁ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ତିନିଟି ଓ୍ୱାର୍ଡରେ ପରୀକ୍ଷାମୂଳକ ଭାବରେ ଏହାର ଆରମ୍ଭ କରାଯିବ। ମଶା ସାନ୍ଧ୍ରତା ବୃଦ୍ଧି ପାଇଥିବା ଅଞ୍ଚଳରେ ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଗଠନ କରାଯିବା ସହ ମଶାଙ୍କ ଉପରେ ଅଧିକ ସର୍ଭେ କରାଯିବା ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।

Related story