ବାଲେଶ୍ୱର(ରଣଜିତ୍ ପାକଳ): ହତ୍ୟାକାଣ୍ଡକୁ ଅପମୃତ୍ୟୁ ମାମଲା ବୋଲି ଦର୍ଶାଇଥିଲେ ତଦନ୍ତକାରୀ ଅଧିକାରୀ। ଆଉ ପ୍ରମାଣ ନଷ୍ଟ କରି ଅଭିଯୁକ୍ତକୁ ଖସାଇ ଦେଇଥିଲେ। ୩ ବର୍ଷ ତଳର ଏହି ଘଟଣାର ଫାଇଲ ପୁଣି ଖୋଲିଛି। ରୁଜୁ ହୋଇଛି ହତ୍ୟା ମାମଲା ଓ ଗିରଫ ହୋଇଛି ଅଭିଯୁକ୍ତ। କିନ୍ତୁ ମାମଲା ରଫାଦଫା କରିଥିବା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲାରେ ଘଟିଛି ଏହି ଘଟଣା।
ଘଟଣା ଥିଲା ଏହିପରି। ୨୦୧୯ ମସିହା ମାର୍ଚ୍ଚ ୨୯ ତାରିଖ। ବାଲେଶ୍ୱର ନିଧିପଣ୍ଡା ରେଲେୱ ପୋଲ ପାର୍ଶ୍ୱରେ ଅଖାରେ ବନ୍ଧା ହୋଇ ପଡ଼ିଥିଲା ଜଣେ ମହିଳାଙ୍କ ମୃତଦେହ। ସେହି ମୃତଦେହକୁ ବାଲେଶ୍ୱର ରେଳବାଇ ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଏନେଇ ୨୯/୧୯ରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଘଟଣାଟି ହତ୍ୟାକାଣ୍ଡ ବୋଲି ଜଳଜଳ ଦିଶୁଥିଲେ ହେଁ କାହିଁକି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାରୁ ଏହା ସେତେବେଳେ ସନ୍ଦେହକୁ ଆସିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା, ମୃତ ମହିଳା ଜଣଙ୍କ ସଦର ଥାନା ସାର୍ଥା ଗ୍ରାମର ନିତ୍ୟାନନ୍ଦ ଯେନାଙ୍କ ଝିଅ ସଂଗୀତା ଯେନା। ସେ ବିବାହର କିଛି ବର୍ଷ ପରେ ପାରିବାରିକ କଳହକୁ କେନ୍ଦ୍ର କରି ବାପଘର ସାର୍ଥାରେ ରହୁଥିଲେ। ଏହାରି ଭିତରେ ବସ୍ତା ଥାନା ଅଞ୍ଚଳର ସାନଗବରା ଗ୍ରାମର ଗୌରାଙ୍ଗ ମଣ୍ଡଳଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାର ଫାଇଦା ଉଠାଇ ସଂଗୀତାଙ୍କ ପାଖରୁ ଗୌରାଙ୍ଗ ମାଛ ବ୍ୟବସାୟ କରିବେ ବୋଲି କହି ପ୍ରାୟ ଦେଢ ଲକ୍ଷ ଟଙ୍କା ନେଇଥିଲେ। ଦୁହିଁଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିବା ପରେ ସଂଗୀତା ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ସଂଗୀତାଙ୍କ ଠାରୁ ଦୂରେଇ ଯିବାକୁ ଗୌରାଙ୍ଗ ଚେଷ୍ଟା କରିଥିଲେ। ଫଳରେ ଦୁଇଜଣଙ୍କ ମଧ୍ୟରେ ତିକ୍ତତା ଓ ଅସନ୍ତୋଷ ବଢିଥିଲା। ତେଣୁ ନିଛାଟିଆ ରାତିରେ ଏକ ବିଲକୁ ଡାକି ନେଇ ସଂଗୀତାଙ୍କୁ ତଣ୍ଟିଚିପି ନିର୍ମମ ଭାବେ ହତ୍ୟା କରିଥିଲା ଗୌରାଙ୍ଗ। ଏହା ପରେ ସେ ମୃତଦେହକୁ ଅଖାରେ ପୂରାଇ ବାଇକ୍ରେ ଆଣି ନିଧିପଣ୍ଡା ରେଲେୱ ପୋଲ ନିକଟରେ ଫୋପାଡି ଦେଇଥିଲା।
ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସ୍ପଷ୍ଟ ହେଉଥିବା ବେଳେ ତତ୍କାଳୀନ ତଦନ୍ତକରୀ ଅଧିକାରୀ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ସେତେବେଳେ ଏହା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟ ତଥ୍ୟପ୍ରମାଣ ମଧ୍ୟ ସାମ୍ନାକୁ ଆସି ନଥିଲା। ହଠାତ୍ ତିନି ବର୍ଷ ପରେ ରେଳବାଇ ପୁଲିସ ଏସ୍ପି ଏହି ମାମଲାକୁ ସମୀକ୍ଷା କରିବା ବେଳେ ସନ୍ଦେହ କରି ପୁନଃତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ଏହି ମାମଲାକୁ ରିଓପନ କରି ହତ୍ୟା ମାମଲା ରୁଜୁ କରିଥିଲେ। ତେବେ ବହୁ ବିଳମ୍ବ ହେତୁ ଆବଶ୍ୟକ ତଥ୍ୟପ୍ରମାଣ ମିଳୁ ନ ଥିବା ଦର୍ଶାଇ ଦୁଇ ଜଣ ତଦନ୍ତକାରୀ ଅଫିସର ଏଥିରୁ ହଟିଯାଇଥିଲେ।
ମାତ୍ର ଏବେ କଟକ ରେଳବାଇର ଜଣେ ଡିଏସପି ମାମଲାର ତଦନ୍ତ କରି ବହୁ ତଥ୍ୟପ୍ରମାଣ ଯୋଗାଡ଼ କରିବା ପରେ ହତ୍ୟା ଅଭିଯୁକ୍ତ ଗୌରାଙ୍ଗ ମଣ୍ଡଳକୁ ଗିରଫ କରିଛନ୍ତି। ଫଳରେ ରେଳବାଇର ପୂର୍ବତନ ଅଧିକାରୀମାନଙ୍କ ତଦନ୍ତ କାର୍ଯ୍ୟ ଉପରେ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି। ରେଲବାଇ ପୁଲିସର ଅଧିକାରୀମାନେ ଆସାମୀକୁ ଖସେଇ ଦେବା ପାଇଁ ମଧୁଚନ୍ଦ୍ରିକା କରିଥିବା ସନ୍ଦେହ ହୋଇଛି।
ସଂଗୀତାଙ୍କ ବାପା ନିତ୍ୟାନନ୍ଦ ଯେନା କହିଛନ୍ତି, ବହୁ ଅପେକ୍ଷା ପରେ ପୁଲିସ ଅଭିଯୁକ୍ତକୁ ବାନ୍ଧିଛି। ଆଜି ପର୍ଯ୍ୟନ୍ତ ପୁଲିସ ଚୁପ୍ ରହି ଅଭିଯୁକ୍ତକୁ ଖୁଲମଖୁଲା ବୁଲିବାକୁ ଛାଡ଼ି ଦେଇଥିଲା।
କଟକ ଡିଭିଜନ ରେଳବାଇ ଆରକ୍ଷୀ ଅଧୀକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ କହିଛନ୍ତି ଯେ ମାମଲାକୁ ପ୍ରଥମେ ପପୁ ନାୟକ ପରେ ନିବେଦିତା ଦାସ ତଦନ୍ତ କରୁଥିଲେ। ହେଲେ ସେମାନେ ମାମଲାକୁ ଠିକ ଭାବେ ତଦନ୍ତ କରି ନ ଥିବା କ୍ରାଇମ୍ ରେକର୍ଡ ରିଭ୍ୟୁ ବେଳେ ଜଣାପଡ଼ିଥିଲା। ତେଣୁ ସେ ଡିଏସ୍ପି ଜେନାଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଆବଶ୍ୟକ ତଥ୍ୟପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୂର୍ବତନ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରୁ ଜଣେ ଅବସର ନେଇ ସାରିଲାଣି। ତଥାପି ତଦନ୍ତରେ ଖିଲାପ କରିଥିବା ନିମନ୍ତେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।
ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ କହିଛନ୍ତି, ଗୋଟିଏ ମାମଲା ସ୍ପଷ୍ଟ ଭାବେ ହତ୍ୟାକାଣ୍ଡ ବୋଲି ଦେଖାଯାଉଥିବା ବେଳେ ଏହାକୁ ପୁଲିସ ଅପମୃତ୍ୟୁ ମାମଲା ବୋଲି ରୁଜୁ କରିବା ଅପରାଧ। ଏଭଳି ଅପରାଧ କରିଥିବା ତଦନ୍ତକାରୀ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବାହାର କରିବା ସହ ଉଚିତ ଦଣ୍ଡବିଧାନ କରାଯିବା ଉଚିତ। ଏହି ମାମଲାରେ ପ୍ରମାଣ ନଷ୍ଟ କରାଯାଇଥିଲା।
ବାଲେଶ୍ୱର ରେଳବାଇ ଥାନାରେ ୨୦୧୯ ମସିହାରେ ୧୦୮ଟି, ୨୦୨୦ ମସିହାରେ ୫୬ଟି, ୨୦୨୧ ମସିହାରେ ୭୦ଟି ଏବଂ ଚଳିତ ବର୍ଷ ୨୦୨୨ ମସିହାର ଏପର୍ଯ୍ୟନ୍ତ ୪୮ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଗତଚାରି ବର୍ଷ ଭିତରେ ୨୮୨ଟି ଅପମୃତ୍ୟୁ ମାମଲା ହୋଇଛି। ଏବେ ଏହି ସବୁ ମାମଲାର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ରେଳବାଇ ଥାନାରେ ହେଉଥିବା ମାମଲା କ’ଣ ସବୁ ଅପମୃତ୍ୟୁ ? ଏଥିରେ ସଂଗୀତା ହତ୍ୟାକାଣ୍ଡ ଭଳି ମାମଲା ଚାପି ହୋଇ ରହିନି ତ?