ଯାଜପୁର(ଓଡ଼ିଶା ରିପୋର୍ଟର) ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଗିରଫ ହେବା ପରେ ଏହି ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର। ଘଟଣା ଦିନଠୁ ଅମରେଶ ଫେରାର ଥିଲା । ତାକୁ ଟ୍ରାକ୍ କରି ଧରିବାରେ ଯାଜପୁର ପୁଲିସ ସଫଳ ହୋଇଛି। ଝରାଫୁଲ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଅମରେଶ ଗେଷ୍ଟ ହାଉସ୍ରେ ରଖିବା ବ୍ୟବସ୍ଥା କରିଥିଲା । ଏହାସହ ହତ୍ୟାକାଣ୍ଡରେ ସହାୟତା କରିଥିଲା ।
ସେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ସାଙ୍ଗ ଓ ଉଭୟ ଗୋଟିଏ ଗାଁର। ଅଭିଯୁକ୍ତ ମାନଙ୍କ ବିରୋଧରେ ପ୍ରମାଣ ଏକାଠି କରାଯାଉଛି। ଏଥିପାଇଁ ଫରେନ୍ସିକ୍ ବିଭାଗର ସହାୟତା ନିଆଯାଉଥିବା ଏସ୍ପି କହିଛନ୍ତି । ଏହି ମାମଲାରେ ସଂପୃକ୍ତ ଆଉଜଣେ ଅଭିଯୁକ୍ତ ଶେଖର ଫେରାର ଅଛି। ତାକୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି ।
ଗତ ଜାନୁଆରୀ ୨୬ରେ ଭୁବନେଶ୍ୱରର ଏକ ଗେଷ୍ଟ ହାଉସରେ ଝରାଫୁଲଙ୍କ ମୃତ୍ୟୁ ହୋଇଥିଲା। ଏହା ପରଦିନ ଝରାଫୁଲଙ୍କ ମୃତଦେହକୁ ରାକେଶ ଓ ଅମରେଶ ଏକ ସ୍କୁଟରରେ ନେଇ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ ।