ଡେରାବିଶରେ ଭୋଟ୍ କମିଲା: ନବୀନଙ୍କୁ ସଫେଇ ଦେଲେ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ନିଜର ପୁରା ତାକତ୍ ଲଗାଇବା ସତ୍ତେ୍ୱ ଦଳର ଗଡ଼ ଥିବା ଡେରାବିଶ ବ୍ଲକରେ ଭୋଟ୍ କାହିଁକି କମିଲା ସେ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହିତ ଗରଦପୁର ଓ ମାର୍ଶଘାଇ ବ୍ଲକରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରତି ଲୋକଙ୍କ ଭିତରେ ଥିବା ଦୃଢ଼ ଆସ୍ଥା ଓ ସହାନୁଭୂତି ମଧ୍ୟ ନବୀନଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡ଼ିଛି। ଡେରାବିଶ ବ୍ଲକରେ ବିଜେଡିକୁ ଉତ୍ସାହଜନକ […]

bjd

Manoranjan Sial
  • Published: Thursday, 25 July 2019
  • , Updated: 25 July 2019, 07:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ନିଜର ପୁରା ତାକତ୍ ଲଗାଇବା ସତ୍ତେ୍ୱ ଦଳର ଗଡ଼ ଥିବା ଡେରାବିଶ ବ୍ଲକରେ ଭୋଟ୍ କାହିଁକି କମିଲା ସେ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହିତ ଗରଦପୁର ଓ ମାର୍ଶଘାଇ ବ୍ଲକରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରତି ଲୋକଙ୍କ ଭିତରେ ଥିବା ଦୃଢ଼ ଆସ୍ଥା ଓ ସହାନୁଭୂତି ମଧ୍ୟ ନବୀନଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡ଼ିଛି। ଡେରାବିଶ ବ୍ଲକରେ ବିଜେଡିକୁ ଉତ୍ସାହଜନକ ଭୋଟ୍ ମିଳିନଥିବାରୁ ସେଠାରେ ନିର୍ବାଚନ ଦାୟିତ୍ୱରେ ଥିବା ନେତାମାନେ ଦଳର ସୁପ୍ରିମୋଙ୍କୁ ଭେଟି ବିଭିନ୍ନ ଫନ୍ଦିଫିକର ଓ ବାହାନା ଦେଖାଇବାକୁ ଉଦ୍ୟମ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ପାଟକୁରା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡି ପକ୍ଷରୁ ବିଜୟ ଉଲ୍ଲାସ ପାଳନ ହୋଇଥିଲେ ମଧ୍ୟ ଭୋଟ୍ ବ୍ୟବଧାନ ମାତ୍ର ୧୮ହଜାର ମଧ୍ୟରେ ସୀମିତ ଥିବାରୁ ବିଜେଡି ସୁପ୍ରିମୋ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦୁଇମାସ ପୂର୍ବରୁ ବିଜେଡି ନିଜର ପୁରା ତାକତ୍ ଲଗାଇବା ସତ୍ତେ୍ୱ ଦଳର ଗଡ଼ ଥିବା ଡେରାବିଶ ବ୍ଲକର ମୋଟ ୨୬ଟି ପଞ୍ଚାୟତରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମାତ୍ର ୧୩୫୦୦ ଅଧିକ ଭୋଟ୍ ପଡ଼ିବାକୁ ବିଜେଡି ସୁପ୍ରିମୋ ସହଜରେ ଗ୍ରହଣ କରପାରିନଥିଲେ। ଯେଉଁଥିପାଇଁ ଆଜି ବିଧାନସଭା ଅଧିବେଶନ ଚାଲିଥିଲେ ମଧ୍ୟ ପାଟକୁରାରେ ନିର୍ବାଚନ ଦାୟିତ୍ୱରେ ଥିବା ଛାମୁଆ ନେତାମାନଙ୍କୁ ଡାକି ସ୍ପଷ୍ଟୀକରଣ ମାଗିବାକୁ ପଛାଇ ନଥିଲେ।

ଡେରାବିଶ ବ୍ଲକ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କ ସମେତ ଗରଦପୁର ବ୍ଲକ ଦାୟିତ୍ୱରେ ଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମାର୍ଶାଘାଇ ବ୍ଲକ ଦାୟିତ୍ୱରେ ଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ନବୀନ ନିବାସ ଡାକି ଆଜି ପୂର୍ବାହ୍ନରେ ନବୀନ ପାଟକୁରା ନିର୍ବାଚନ ଫଳାଫଳ ଉପରେ ଆଲୋଚନା କରିଥିଲେ।

ବିଶେଷକରି ଡେରାବିଶ ବ୍ଲକରେ ଭୋଟ୍ ପରିମାଣ କାହିଁକି ବଢ଼ିଲାନି ବୋଲି ନବୀନ ନିର୍ଦ୍ଧିଷ୍ଟ ଭାବେ ଜାଣିବାକୁ ଚାହିଁବାରୁ ବୈଠକରେ ଉପସ୍ଥିତ ନେତାମାନଙ୍କ ଅକଲଗୁଡୁମ୍ ହୋଇଯାଇଥିଲା। ତେବେ ଡେରାବିଶ ବ୍ଲକର ନିର୍ବାଚନ ସଂଯୋଜକ ଦାୟିତ୍ୱରେ ଥିବା ପ୍ରତାପ ଦେବ ଭୋଟ ହାର ନବଢ଼ିବା ପଛରେ ଜୁଲାଇ ୧୪ତାରିଖରେ କେନ୍ଦ୍ରାପଡ଼ାର ଦୁହୁରିଆ ଛକଠାରେ ହୋଇଥିବା ବିଜେପି ସମର୍ଥିତ ଯୁବ ନେତାଙ୍କୁ ଗୁଳିକାଣ୍ଡ ଘଟଣାର ଆଳ ଦେଖାଇଥିଲେ। ଏହି ଗୁଳିକାଣ୍ଡ ଯୋଗୁ ଡେରାବିଶ ବ୍ଲକର ୫-୬ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରଭାବିତ ହେଲା ବୋଲି ସେ ସଫେଇ ଦେଇଥିଲେ। ତେବେ ଶ୍ରୀ ଦେବଙ୍କ ଉତ୍ତର ନବୀନଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଏହାପରେ ନବୀନ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ଶ୍ରୀ ମହାପାତ୍ରଙ୍କ ପ୍ରତି ବ୍ୟାପକ ସମର୍ଥନ ରହିଥିବା ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ମହାପାତ୍ରଙ୍କର ଗରଦପୁର ଓ ମାର୍ଶାଘାଇ ବ୍ଲକରେ ସୁଦୃଢ଼ ଭୋଟ୍ ବ୍ୟାଙ୍କ୍ ଥିବା ସତ୍ତେ୍ୱ ବିଜେଡି ସେଠାରେ ଗତ ଦୁଇମାସ ତଳେ ହୋଇଥିବା ଲୋକସଭା ନିର୍ବାଚନ ତୁଳନାରେ ଭଲ ଭୋଟ୍ ପାଇଥିବା ନବୀନ କହିଥିଲେ।

ଉଲ୍ଲେଖଯୋଗ୍ୟ, ବିଜେଡି ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଭୋଟରଙ୍କୁ ଆକୃଷ୍ଟ ପାଇଁ ଦୁଇ ମାସ ଧରି ପୂର୍ବ ପ୍ରସ୍ତୁତି, ସ୍ଥାନୀୟ ପ୍ରଶାସନକୁ ନିଜ ଢଙ୍ଗରେ ଉପଯୋଗ, ୧୫ଦିନ ଧରି ପୁଳାପୁଳା ମନ୍ତ୍ରୀ, ବିଧାୟକ ଓ ପ୍ରାୟ ୫୦୦ଜଣ ରାଜ୍ୟସ୍ତରୀୟ ନେତା ସେଠାରେ ପଞ୍ଚାୟତଗୁଡ଼ିକରେ ଡେରା ପକାଇବା, ନବୀନ ନିଜେ ପଞ୍ଚାୟତୱାରି ରୋଡ୍ ଶୋ’ କରିବା ସହ ପାଖାପାଖି ୧୫କୋଟି ଟଙ୍କା ଖର୍ଚ୍ଚ କରି ବି ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କଠୁ ମାତ୍ର ୧୮ହଜାର ଭୋଟ୍ ବିଜେଡି ଅଧିକ ପାଇଥିଲା। ଯଦିଓ ବିଜେଡି ନେତାମାନେ କେବଳ ଡେରାବିଶ ବ୍ଲକରେ ୩୦ହଜାର ଅଧିକ ଭୋଟ୍ ପାଇବେ ବୋଲି ଦମ୍ଭୋକ୍ତି ବାଢ଼ିଥିଲେ।

Related story