ମାଲକାନଗିରି (ଜିତେନ୍ଦ୍ର ବେଉରା) : ପୁଲିସ୍ ବିଭିନ୍ନ ସମୟରେ ମାଓ କ୍ୟାମ୍ପରେ ଛଦ୍ମବେଶରେ ପଶି ଆକ୍ରମଣ କରୁଛି। ଏଥିଯୋଗୁ ବହୁ ନକ୍ସଲଙ୍କ ମୃତ୍ୟୁ ହେଉଥିବା ବେଳେ ବହୁ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହେଉଛି । ପୁଲିସ୍ ଆଖିରେ ଧୂଳି ଦେବାକୁ ଓ ଏପରି ଅତର୍କିତ ଆକ୍ରମଣରୁ ବର୍ତ୍ତିବା ଲାଗି ନୂଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ନକ୍ସଲ ସଙ୍ଗଠନ । ଏଥିନିମନ୍ତେ ନକ୍ସଲଙ୍କ ନିମନ୍ତେ ପରିଚୟ ପତ୍ର ବା ଆଇଡ଼ି କାର୍ଡ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।
ଏହି ଆଇ କାର୍ଡରେ ଗୋଟିଏ ପଟେ ନାଲି ରଙ୍ଗ ପତାକାର ଚିତ୍ର ରହିବା ସହ କିଛି ଲେଖା ମଧ୍ୟ ରହୁଛି । ଏହାର ଅପର ପାର୍ଶ୍ୱରେ ହିନ୍ଦୀରେ ନକ୍ସଲଙ୍କ ସମ୍ପର୍କୀତ ସମସ୍ତ ବିବରଣୀ ରହିଛି। ପୁଲିସ୍ ବହୁ ସମୟରେ ନିଜକୁ ନକ୍ସଲ ବୋଲି ପରିଚୟ ଦେଇ ନକ୍ସଲ କ୍ୟାମ୍ପ୍ ଉପରେ ଅତର୍କିତ ଆକ୍ରମଣ କରୁଛି। ହେଲେ ଏହି କାର୍ଡ ନ ଥିଲେ ସେମାନେ ନକ୍ସଲ ନୁହନ୍ତି ବୋଲି ସହଜରେ ଜାଣି ହେବ ।
ପ୍ରଥମ ପର୍ଯ୍ୟାୟରେ ଏହାକୁ ୨୦୦ ଫାଇଟର୍ କମାଣ୍ଡୋଙ୍କୁ ଦିଆଯାଇଛି । ଏହାକୁ ପାଖରେ ରଖିବା ପାଇଁ ବାଧ୍ୟତାମୂଳକ ମଧ୍ୟ କରାଯାଇଛି । ଏଥିସହ ସେଣ୍ଟ୍ରାଲ୍ କମିଟି ମେମ୍ବରଙ୍କ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଓ ଫାଇଟର୍ କମାଣ୍ଡୋଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଥିବା ସୂଚନା ମିଳିଛି ।
କିଛି ଦିନ ପୂର୍ବେ ଏକ ନକ୍ସଲ କ୍ୟାମ୍ପରେ ଚଢାଉ ବେଳେ ଏପରି କିଛି କାର୍ଡ ଜବତ ହୋଇଛି। ଏହାପରେ ନକ୍ସଲଙ୍କ ଏହି ଋଣନୀତି ସମ୍ପର୍କରେ ପୁଲିସ୍କୁ ସୂଚନା ମିଳିଛି। ଏହି କାର୍ଡର ଫଟୋ ଏବେ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି।