କୋଣାର୍କ(ସଞ୍ଜୟ ପତି): ମହାମାରୀ କରୋନାର କୋପ କମିବାର ଦୁଇ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ନେତ୍ର ଉତ୍ସବ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରଦ୍ଧାଳୁମାନେ ରାତି ତିନିଠାରୁ ଶୃଙ୍ଖଳିତ ଭାବେ ଯାଇ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି।
ଆଜି ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ନେତ୍ର ଉତ୍ସବ। ସେଥିପାଇଁ ମାଆଙ୍କ ନିକଟରେ ଶାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆଙ୍କ ନୃତ୍ୟ ଅନୁଷ୍ଠିତ ହେଉଛି। ସେପଟେ ମାନସିକଧାରୀ ମହିଳାମାନେ ବ୍ରତ ରଖି ମାଆ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ପ୍ରଥମ ପାଳି ପନ୍ଥେଇ ଓଷା ଆରମ୍ଭ କରିଛନ୍ତି। ଆଜିର ଏହି ପବିତ୍ର ଦିନରେ ମାଆ ମଙ୍ଗଳା ପୂଣ୍ୟତୋୟା ପ୍ରାଚୀ ନଦୀରୁ ଆବିର୍ଭୁତ ହୋଇଥିଲେ। ମାଆଙ୍କୁ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା। ତେଣୁ ଆଜିର ଦିନକୁ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ଶ୍ରଦ୍ଧାଳୁ।
କରୋନା କଟକଣାର ଦୁଇବର୍ଷ ପରେ ମାଆଙ୍କ ନେତ୍ର ଉତ୍ସବ ଦର୍ଶନ କରିଛନ୍ତି ଭକ୍ତ। ପ୍ରତ୍ୟୁଷରୁ ମାଆଙ୍କ ନୀତିକାନ୍ତି ହୋଇଥିଲା। ମାଆଙ୍କ ସେବକମାନେ ଛୁଆ, ହଳଦୀ ଓ ବିଶୁଦ୍ଧ ଜଳରେ ନୀଳଚକ୍ରକୁ ସ୍ନାନ କଲା ପରେ ପୁରୁଣା ନେତ୍ରକୁ ପରିବର୍ତ୍ତନ କରି ନୂତନ ଶ୍ଵେତ ନେତ୍ର ବାନ୍ଧି ଥିଲେ। ମାଆଙ୍କ ଏହି ନେତ୍ର ଉତ୍ସବରେ ଶାରଳା ପୀଠରୁ ଆସିଥିବା ପାଟୁଆମାନେ ପ୍ରାଚୀ ନଦୀରୁ ପାଣି ତୋଳି ମାଆଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରି ମାସ ତମାମ ମାଆଙ୍କ ମହିମା ପ୍ରଚାର କରି ବିଭିନ୍ନ ଗାଁ ଗଣ୍ଡାକୁ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରନ୍ତି। ଚୈତ୍ର ମାସର ପ୍ରଥମ ମଙ୍ଗଳବାରଠାରୁ ମାଆଙ୍କ ପାଳି ଯାତ୍ରା ଆରମ୍ଭ ହୋଇଥିଲା। ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ପଞ୍ଚମ ପାଳିରେ ମାଆଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ପରେ ପରେ ମାଆଙ୍କ ପାଳିଯାତ୍ରା ସମାପନ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।