/odisha-reporter/media/media_files/2025/11/07/police-2025-11-07-16-48-14.jpg)
ଗିରଫ ଅଭିଯୁକ୍ତ
ଜୀବନ ନେଇଛି ମିଛ ସଂପର୍କ । ଗଳା ଚିପିଛି ରାକ୍ଷୀ ବନ୍ଧା ହାତ । ସଂପର୍କରେ କଳଙ୍କ ବୋଳିଛି ଧରମ ଭାଇ । ଯାହାକୁ ଭାଇ ବୋଲି ଭାବି ତାରି ଘରେ ରହି ହାତରେ ରାକ୍ଷୀ ବାନ୍ଧୁଥିଲା ସେହି ଜହ୍ଲାଦ ଭାଇର ଲୋଲୁପ ଦୃଷ୍ଟିରୁ ବର୍ତ୍ତିବାକୁ ଯାଇ ପ୍ରାଣ ଦେବାକୁ ପଡ଼ିଛି ଯୁବତୀଙ୍କୁ । ଚାକିରି କରିବାକୁ ଉତ୍ତରାଖଣ୍ଡ ଯାଇ ହତ୍ୟାର ଶିକାର ହୋଇଛନ୍ତି ରାୟଗଡ଼ାର ୨୩ ବର୍ଷୀୟା ଯୁବତୀ । ପୁଲିସ ଅଭିଯୁକ୍ତ ଧରମ ଭାଇ ଅମିତ ସିଂହକୁ ଗିରଫ କରିଥିବା ବେଳେ ହତ୍ୟା ରହସ୍ୟ ଉନ୍ମୋଚନ କରିଛି ।
ଘର ଭିତରେ ତଣ୍ଟି ଚିପି ହତ୍ୟା ପରେ ମୃତଦେହକୁ ବାଇକରେ ନେଇ ଏକ ହ୍ରଦରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ପ୍ରମାଣ ଲୁଚାଇବାକୁ ମୃତଦେହରେ ପଥର ବାନ୍ଧି ପାଣିକୁ ଫୋପାଡ଼ି ଦେଇଥିଲା । ଅଭିଯୁକ୍ତକୁ ଜେରା କରି ସତ ଉଗାରିବା ପରେ ଉତ୍ତରାଖଣ୍ଡ ପୁଲିସ ପାଣି ଭିତରୁ ମୃତଦେହ ଜବତ କରିଛି ।
ପୁଲିସ କହିବା ଅନୁସାରେ ମୃତ ଯୁବତୀଙ୍କ ଘର ରାୟଗଡ଼ା ଚାନ୍ଦିଲି ଥାନା ଅଞ୍ଚଳରେ । ଏଚ୍ଆର୍ରେ ଏମ୍ବିଏ କରିବା ପରେ ଉତ୍ତରାଖଣ୍ଡର ଏକ ଘରୋଇ କଂପାନୀରେ ୬ ମାସିଆ ଇଣ୍ଟର୍ନସିପ୍ କରୁଥିଲେ ଯୁବତୀ ଜଣଙ୍କ । ଲାଲ୍ପୁର ଅଞ୍ଚଳରେ କାମେଶ୍ୱର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଘରେ ମାସିକ ୨ ହଜାର ଦେଇ ଭଡ଼ାରେ ରହୁଥିଲେ। ଏହା ମଧ୍ୟରେ ତାଙ୍କର ଇଣ୍ଟର୍ନସିପ୍ ସରିଯାଇଥିଲା ଏବଂ ସେ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ୫ ତାରିଖ ଦିନ ଘରଲୋକଙ୍କ ଫୋନ୍ର ଜବାବ ନଦେବାରୁ ଥାନାରେ ଏତଲା କରିଥିଲେ ନୋଏଡାରେ ରହୁଥିବା ତାଙ୍କ ପିଉସୀ ପୁଅ। ଏତଲା ପାଇ ପୁଲିସ ତନାଘନା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ରହସ୍ୟ ଉନ୍ମୋଚନ କରିଥିଲା।
ପୁଲିସ ସୂଚନା ଅନୁସାରେ ୪ ତାରିଖ ଦିନ ଅଭିଯୁକ୍ତ ଅମିତ ସିଂହ ଘରେ ଏକୁଟିଆ ଥିଲେ। ମା’ଙ୍କ ଦେହ ଅସୁସ୍ଥ ପାଇଁ ପରିବାରର ଅନ୍ୟ ସଦସ୍ୟ ହସ୍ପିଟାଲ ଯାଇଥିଲା ବେଳେ ଏକୁଟିଆ ଥିବା ଅମିତ ଉପର ମହଲାରେ ଭଡ଼ା ରହୁଥିବା ଯୁବତୀଙ୍କୁ ନିଜ ରୁମ୍କୁ ଡାକିଥିଲା ।
ଭଡ଼ାରେ ରହୁଥିଲେ ବି ଅମିତଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ପରିବାରର ଝିଅ ଭଳି ଚଳୁଥିଲେ ସଂପୃକ୍ତ ଯୁବତୀ। ଭାଇ ଭଉଣୀ ଭଳି ସଂପର୍କ ଥିବାରୁ ଅମିତ ଡାକିବା ମାତ୍ରେ ଯୁବତୀ ତାଙ୍କ କୋଠରୀକୁ ବିନା ସଙ୍କୋଚରେ ଚାଲି ଆସିଥିଲେ । ତେବେ ଅମିତ ନିଜ ସଇତାନୀ ରୂପ ଦେଖାଇ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲା ।
ଭାଇ ଭାବି ହାତରେ ରାକ୍ଷୀ ବାନ୍ଧୁଥିବା ଅମିତର ଏଭଳି କାରନାମା ଦେଖି ଚକିତ ହୋଇଯାଇଥିବା ଯୁବତୀ ତାଙ୍କ କବଳରୁ ବର୍ତ୍ତିବାକୁ ଚିତ୍କାର କରିଥିଲେ । ଯୁବତୀଙ୍କ ଚିତ୍କାର ତାଙ୍କୁ ଧରା ପକାଇ ଦେବ ବୋଲି ଭୟରେ ଅମିତ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଦିନ ଦୁଇଟା ବେଳେ ହତ୍ୟା କରି ରାତି ୧୨ଟା ପର୍ଯ୍ୟନ୍ତ ମୃତଦେହକୁ ନିଜ ଘରେ ଲୁଚାଇ ରଖିଥିଲା ଅମିତ । ରାତିରେ ନିଜ ଭାଇ ସହାୟତାରେ ମୃତଦେହକୁ ନେଇ ହ୍ରଦରେ ଫିଙ୍ଗି ପଳାଇ ଆସିଥିଲା । ଏବେ ଅଭିଯୁକ୍ତ ଅମିତ ଗିରଫ ହୋଇଥିବା ବେଳେ ଖବର ପାଇ ଯୁବତୀଙ୍କ ସଂପର୍କୀୟ ରାୟଗଡ଼ାରୁ ଯାଇ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
