Advertisment

Murder: ରାକ୍ଷୀ ବନ୍ଧା ହାତ ଜୀବନ ନେଲା; ରାୟଗଡ଼ା ଯୁବତୀଙ୍କୁ ଉତ୍ତରାଖଣ୍ଡରେ ହତ୍ୟା

ଚାକିରି କରିବାକୁ ରାୟଗଡ଼ାରୁ ଉତ୍ତରାଖଣ୍ଡ ଯାଇ ଭଡ଼ାଘରେ ରହୁଥିଲେ ଛାତ୍ରୀ ଜଣଙ୍କ। ଘର ମାଲିକଙ୍କ ପୁଅ ହାତରେ ରାକ୍ଷୀ ବାନ୍ଧି ଭାଇର ସ୍ଥାନ ଦେଇଥିଲେ। ହେଲେ ଭାଇ ପାଲଟିଲା ଜହ୍ଲାଦ, ରାକ୍ଷୀ ବନ୍ଧା ହାତରେ ତଣ୍ଟି ଚିପି ମାରିଦେଲା। ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବାରୁ ମାରିଦେଲା ଛଦ୍ମବେଶୀ ଭାଇ।

Police

ଗିରଫ ଅଭିଯୁକ୍ତ

Advertisment

ଜୀବନ ନେଇଛି ମିଛ ସଂପର୍କ । ଗଳା ଚିପିଛି ରାକ୍ଷୀ ବନ୍ଧା ହାତ । ସଂପର୍କରେ କଳଙ୍କ ବୋଳିଛି ଧରମ ଭାଇ । ଯାହାକୁ ଭାଇ ବୋଲି ଭାବି ତାରି ଘରେ ରହି ହାତରେ ରାକ୍ଷୀ ବାନ୍ଧୁଥିଲା ସେହି ଜହ୍ଲାଦ ଭାଇର ଲୋଲୁପ ଦୃଷ୍ଟିରୁ ବର୍ତ୍ତିବାକୁ ଯାଇ ପ୍ରାଣ ଦେବାକୁ ପଡ଼ିଛି ଯୁବତୀଙ୍କୁ । ଚାକିରି କରିବାକୁ ଉତ୍ତରାଖଣ୍ଡ ଯାଇ ହତ୍ୟାର ଶିକାର ହୋଇଛନ୍ତି ରାୟଗଡ଼ାର ୨୩ ବର୍ଷୀୟା ଯୁବତୀ । ପୁଲିସ ଅଭିଯୁକ୍ତ ଧରମ ଭାଇ ଅମିତ ସିଂହକୁ ଗିରଫ କରିଥିବା ବେଳେ ହତ୍ୟା ରହସ୍ୟ ଉନ୍ମୋଚନ କରିଛି ।

Advertisment

ଘର ଭିତରେ ତଣ୍ଟି ଚିପି ହତ୍ୟା ପରେ ମୃତଦେହକୁ ବାଇକରେ ନେଇ ଏକ ହ୍ରଦରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ପ୍ରମାଣ ଲୁଚାଇବାକୁ ମୃତଦେହରେ ପଥର ବାନ୍ଧି ପାଣିକୁ ଫୋପାଡ଼ି ଦେଇଥିଲା । ଅଭିଯୁକ୍ତକୁ ଜେରା କରି ସତ ଉଗାରିବା ପରେ ଉତ୍ତରାଖଣ୍ଡ ପୁଲିସ ପାଣି ଭିତରୁ ମୃତଦେହ ଜବତ କରିଛି ।

ପୁଲିସ କହିବା ଅନୁସାରେ ମୃତ ଯୁବତୀଙ୍କ ଘର ରାୟଗଡ଼ା ଚାନ୍ଦିଲି ଥାନା ଅଞ୍ଚଳରେ । ଏଚ୍‌ଆର୍‌ରେ ଏମ୍‌ବିଏ କରିବା ପରେ ଉତ୍ତରାଖଣ୍ଡର ଏକ ଘରୋଇ କଂପାନୀରେ ୬ ମାସିଆ ଇଣ୍ଟର୍ନସିପ୍‌ କରୁଥିଲେ ଯୁବତୀ ଜଣଙ୍କ । ଲାଲ୍‌ପୁର ଅଞ୍ଚଳରେ କାମେଶ୍ୱର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଘରେ ମାସିକ ୨ ହଜାର ଦେଇ ଭଡ଼ାରେ ରହୁଥିଲେ। ଏହା ମଧ୍ୟରେ ତାଙ୍କର ଇଣ୍ଟର୍ନସିପ୍‌ ସରିଯାଇଥିଲା ଏବଂ ସେ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ୫ ତାରିଖ ଦିନ ଘରଲୋକଙ୍କ ଫୋନ୍‌ର ଜବାବ ନଦେବାରୁ ଥାନାରେ ଏତଲା କରିଥିଲେ ନୋଏଡାରେ ରହୁଥିବା ତାଙ୍କ ପିଉସୀ ପୁଅ। ଏତଲା ପାଇ ପୁଲିସ ତନାଘନା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ରହସ୍ୟ ଉନ୍ମୋଚନ କରିଥିଲା। 

ପୁଲିସ ସୂଚନା ଅନୁସାରେ ୪ ତାରିଖ ଦିନ ଅଭିଯୁକ୍ତ ଅମିତ ସିଂହ ଘରେ ଏକୁଟିଆ ଥିଲେ। ମା’ଙ୍କ ଦେହ ଅସୁସ୍ଥ ପାଇଁ ପରିବାରର ଅନ୍ୟ ସଦସ୍ୟ ହସ୍ପିଟାଲ ଯାଇଥିଲା ବେଳେ ଏକୁଟିଆ ଥିବା ଅମିତ ଉପର ମହଲାରେ ଭଡ଼ା ରହୁଥିବା ଯୁବତୀଙ୍କୁ ନିଜ ରୁମ୍‌କୁ ଡାକିଥିଲା ।

Advertisment

ଭଡ଼ାରେ ରହୁଥିଲେ ବି ଅମିତଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ପରିବାରର ଝିଅ ଭଳି ଚଳୁଥିଲେ ସଂପୃକ୍ତ ଯୁବତୀ। ଭାଇ ଭଉଣୀ ଭଳି ସଂପର୍କ ଥିବାରୁ ଅମିତ ଡାକିବା ମାତ୍ରେ ଯୁବତୀ ତାଙ୍କ କୋଠରୀକୁ ବିନା ସଙ୍କୋଚରେ ଚାଲି ଆସିଥିଲେ । ତେବେ ଅମିତ ନିଜ ସଇତାନୀ ରୂପ ଦେଖାଇ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲା । 

ଭାଇ ଭାବି ହାତରେ ରାକ୍ଷୀ ବାନ୍ଧୁଥିବା ଅମିତର ଏଭଳି କାରନାମା ଦେଖି ଚକିତ ହୋଇଯାଇଥିବା ଯୁବତୀ ତାଙ୍କ କବଳରୁ ବର୍ତ୍ତିବାକୁ ଚିତ୍କାର କରିଥିଲେ । ଯୁବତୀଙ୍କ ଚିତ୍କାର ତାଙ୍କୁ ଧରା ପକାଇ ଦେବ ବୋଲି ଭୟରେ ଅମିତ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଦିନ ଦୁଇଟା ବେଳେ ହତ୍ୟା କରି ରାତି ୧୨ଟା ପର୍ଯ୍ୟନ୍ତ ମୃତଦେହକୁ ନିଜ ଘରେ ଲୁଚାଇ ରଖିଥିଲା ଅମିତ । ରାତିରେ ନିଜ ଭାଇ ସହାୟତାରେ ମୃତଦେହକୁ ନେଇ ହ୍ରଦରେ ଫିଙ୍ଗି ପଳାଇ ଆସିଥିଲା । ଏବେ ଅଭିଯୁକ୍ତ ଅମିତ ଗିରଫ ହୋଇଥିବା ବେଳେ ଖବର ପାଇ ଯୁବତୀଙ୍କ ସଂପର୍କୀୟ ରାୟଗଡ଼ାରୁ ଯାଇ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe