ଘର ବୁଡ଼ି ପାଣି ଆଣ୍ଠୁଏ,ଏଣେ ସରକାର କହୁଛନ୍ତି, ବନ୍ୟା ପରିସ୍ଥିତି ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ସାରା ରାଜ୍ୟରେ ନାହିଁ ନଥିବା ସ୍ଥିତି। ପ୍ରାୟ ସବୁ ସହରରେ ଆଣ୍ଠୁଏ ଆଣ୍ଠୁଏ ପାଣି। କେଉଁଠି ଡାକ୍ତରଖାନାରେ ପାଣି ପଶିଛି ତ କେଉଁଠି ରାସ୍ତାରେ ଫସି ଯାଇଛି ବସ୍‌। କେଉଁଠି ଗାଁରେ ପାଣି ପଶି ଲୋକେ ଜଳବନ୍ଦୀ ଥିବା ବେଳେ ଆଉ କେଉଁଠି ଘାଇ ସୃଷ୍ଟି ହୋଇ ଜମିରେ ପାଣି ଲହଡ଼ି ଭାଙ୍ଗୁଛି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁବାକୁ ବସିଛି। ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ […]

flood

flood

Rakesh Mallick
  • Published: Monday, 16 July 2018
  • Updated: 16 July 2018, 03:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ସାରା ରାଜ୍ୟରେ ନାହିଁ ନଥିବା ସ୍ଥିତି। ପ୍ରାୟ ସବୁ ସହରରେ ଆଣ୍ଠୁଏ ଆଣ୍ଠୁଏ ପାଣି। କେଉଁଠି ଡାକ୍ତରଖାନାରେ ପାଣି ପଶିଛି ତ କେଉଁଠି ରାସ୍ତାରେ ଫସି ଯାଇଛି ବସ୍‌। କେଉଁଠି ଗାଁରେ ପାଣି ପଶି ଲୋକେ ଜଳବନ୍ଦୀ ଥିବା ବେଳେ ଆଉ କେଉଁଠି ଘାଇ ସୃଷ୍ଟି ହୋଇ ଜମିରେ ପାଣି ଲହଡ଼ି ଭାଙ୍ଗୁଛି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁବାକୁ ବସିଛି। ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଯେଉଁ ମନ୍ତବ୍ୟ ଦିଆଯାଉଛି ତାହା ହତାଶ କରିଦେବା ପରି। ଏସ୍‌ଆରସି କହୁଛନ୍ତି- “ସବୁ ଠିକ୍‌ ଅଛି। ବନ୍ୟା ପରିସ୍ଥିତି ନାହିଁ। ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

କୋଣାର୍କର କେଳୁଣୀ ମୁହାଣ ବନ୍ଦ ହୋଇଯାଇଛି। ଫଳରେ ପ୍ରାଚୀ ଓ କାଦୁଆ ନଦୀ ଫୁଲିବାରେ ଲାଗିଛି। ନଦୀକୂଳରେ ଥିବା ୩ଟି ଗାଁରେ ନଈ ପାଣି ପଶିଛି। ପ୍ରାୟ ଦେଢ଼ ହଜାର ଲୋକ ଜଳବନ୍ଦୀ ଅଛନ୍ତି। ଶହ ଶହ ହେକ୍ଟର ଜମିରେ ବନ୍ୟାଜଳ ମାଡ଼ି ଯାଇଛି।

floodମାଛକୁଣ୍ଡ ଜଳପ୍ରପାତର ଜଳସ୍ତର ବିପଦ ସଙ୍କେତ ନିକଟରେ ରହିଛି। ଏଠାରେ ବିପଦ ସଙ୍କେତ ୯୦ ଫୁଟ୍‌ ରହିଥିବା ବେଳେ ଜଳସ୍ତର ୮୯.୨ ଫୁଟ୍‌ରେ ପ୍ରଭାହିତ ହେଉଛି।

ହାତୀ ଓ ତେଲ ନଦୀ ଫୁଲୁଛି। ଫଳରେ ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

floodକଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପାଖରେ ଉଦନ୍ତୀ ନଦୀରେ ହଠାତ୍‌ ପାଣି ମାଡି ଆସିବାରୁ ୧୦ ଜଣ ଲୋକ ଫସି ରହିଛନ୍ତି। ମେଗା ଉଠା ଜଳସେଚନ ପ୍ରକଳ୍ପ କାମ ଚାଲିଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଲା। ଫସିଥିବା ଲୋକଙ୍କ ମଧ୍ୟରେ ଗୋଲାମୁଣ୍ଡା ଚପରିଆ ଗାଁର କିଛି ଲୋକ ଓ ଶ୍ରମିକ ଅଛନ୍ତି।

ଗଞ୍ଜାମ ଜିଲ୍ଲାର ଆସିକା ଓ କବିସୂର୍ଯ୍ୟନଗରରେ ଚାଷ ଉଜୁଡିବାକୁ ବସିଛି। ଏହି ଦୁଇଟି ଅଞ୍ଚଳରେ ଚାଷ ଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ଆସିକା ପଞ୍ଚାୟତ ଗୌଡ଼ଗୋଠ ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିବାରୁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। କବିସୂର୍ଯ୍ୟନଗର ମେଡିକାଲରେ ପାଣି ପଶିଯାଇଥିବା ସୂଚନା ମିଳିଛି।

floodରାୟଗଡ଼ା ବିଷମକଟକ ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପାଇକ ଡାକୁଲୁଗୁଡା ଓ ଥୁଆପାଡି ପଞ୍ଚାୟତର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଥୁଆପାଡ଼ି ପଞ୍ଚାୟତର ଭେଜିପଦର କାଣିଯୋଡି ବ୍ରିଜ ଉପରେ ୪ ଫୁଟ ଉଚ୍ଚ ପାଣି ଚାଲୁଛି। ଗୁଣପୁର-ଗୁମୁଡ଼ା ରାସ୍ତାର ସେରମା ନିକଟରେ କଲ୍‌ଭର୍ଟ ଧୋଇଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛିା ଗୁଣପୁର ଠାରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

floodନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷା ଜଳ ପଶି ଲେବର୍‌ ରୁମ୍ ଓ ଓଟିରେ ଆଣ୍ଠୁଏ ପାଣି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି।

ଏତେସବୁ ପରେ ବି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ କହୁଛି ବନ୍ୟା ସ୍ଥିତି ନାହିଁ। ଏଠାରେ ପ୍ରଶ୍ନ ଘାଇ ହୋଇ ନଦୀ ପାଣି ପଶିବା ପରେ କ’ଣ ସରକାର ବନ୍ୟା ହେଲା ବୋଲି କହିବେ। ନହେଲେ ସବୁ ଠିକ୍‌ ଅଛି, ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିବେ।

floodସୂଚନାଯୋଗ୍ୟ ଯେ, ବନ୍ୟା ସ୍ଥିତିକୁ ନେଇ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି- “ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନାହିଁ। ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ଗ୍ରାମାଞ୍ଚଳରେ ଥିବା କିଛି ଛୋଟ ଛୋଟ ନାଳ ଫୁଲିଥିଲା। ହେଲେ ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ରାସ୍ତା, ଦୁର୍ବଳ ପୋଲ ଭୁଶୁଡ଼ି ପଡ଼ିଛି। କଲ୍ୟାଣସିଂହପୁରରେ ବର୍ଷା ଯୋଗୁ ସାମାନ୍ୟ କ୍ଷତି ହୋଇଛି। ସମସ୍ତଙ୍କୁ ସତର୍କ କରାଯାଇଛି ଓ ପରିସ୍ଥିତି ଉପରେ ନଜର ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos