ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ଏଣିକି ଗୋଟିଏ ନୁହେଁ ଦୁଇଟି ସପ୍ଲିମେଣ୍ଟାରୀ ବଜେଟ୍ କରିପାରନ୍ତି ରାଜ୍ୟ ସରକାର। ଏନେଇ ସରକାରୀ ସ୍ତରରେ ଚାଲିଛି ବିଚାର ବିମର୍ଶ। କେନ୍ଦ୍ର ସରକାର ବିଳମ୍ବରେ ଅର୍ଥ ପ୍ରଦାନ କରିବା ଓ ନୂଆ ସ୍କିମ୍ ଆଣୁଥିବାରୁ ରାଜ୍ୟ ସରକାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଦୁଇଟି ସପ୍ଲିମେଣ୍ଟାରୀ ବଜେଟ୍ର ପରିକଳ୍ପନା କରାଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ବିଜେପି କିନ୍ତୁ ଓଲଟା ରାଜ୍ୟ ଉପରେ ଦୋଷ ଲଦିଛି। ପ୍ରକୃତରେ ସମ୍ବଳ ଚିନ୍ତା ନା ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ସ୍କିମ୍ ଆଣିବାକୁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ରାଜ୍ୟ ବଜେଟ୍ ବ୍ୟବସ୍ଥାରେ ହୋଇପାରେ ପରିବର୍ତ୍ତନ। ସଂଶୋଧନ ହୋଇପାରେ ଏଫ୍ଆର୍ବିଏମ୍ (ଫାଇନାନ୍ସିଆଲ ରେସପନ୍ସିବିଲିଟି ଆଣ୍ଡ ବଜେଟ୍ ମ୍ୟାନେଜ୍ମେଣ୍ଟ)। ରାଜ୍ୟ ସରକାର ଏମିତି କିଛି ପରିକଳ୍ପନା କରିଛନ୍ତି। ଏଣିକି ଆଉ ଗୋଟିଏ ନୁହେଁ ଦୁଇଟି ସପ୍ଲିମେଣ୍ଟାରୀ ବଜେଟ୍ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଏନେଇ ସଚିବସ୍ତରୀୟ ବୈଠକରେ ବିଚାର ବିମର୍ଷ ହୋଇଥିଲା। କେନ୍ଦ୍ର ସରକାର ବିଳମ୍ବରେ ଅର୍ଥ ପ୍ରଦାନ କରିବା ଓ ନୂଆ ସ୍କିମ୍ ଆଣୁଥିବାରୁ ରାଜ୍ୟ ଅନେକ ସମସ୍ୟା ସମ୍ମୁଖୀନ ହେଉଛି ବୋଲି ଯୁକ୍ତି ବାଢୁଛି ରାଜ୍ୟ। ତେବେ ପ୍ରକୃତରେ କେନ୍ଦ୍ର ବାଧକ ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ଚର୍ଚ୍ଚା ହୋଇଛି। ବିଭିନ୍ନ କାରଣରୁ ରାଜ୍ୟ ଏବେ ଋଣ ଭାରରେ ରହିଛି। ତାକୁ ନେଇ ସମ୍ବଳ ଚିନ୍ତା ରହିଥିବା ବେଳେ ଲୋକଙ୍କ ନିକଟତର ହେବା ପାଇଁ ତଥା ଭୋଟ ବ୍ୟାଙ୍କକୁ ସଜାଡ଼ିବା ପାଇଁ ଅନେକ ଯୋଜନା ଆଣିବାକୁ ସରକାର ଚିନ୍ତା କରୁଛନ୍ତି। ତେଣୁ ଏଭଳି ଦୁଇଟି ଅତିରିକ୍ତ ବଜେଟ୍ ବୋଲି କୁହାଯାଉଛି। ସେପଟେ ବିଜେପି କିନ୍ତୁ କେନ୍ଦ୍ର ସରକାରଙ୍କ ବିଳମ୍ବରେ ଅର୍ଥ ପ୍ରଦାନ ଯୁକ୍ତିକୁ ଗ୍ରହଣ କରୁନି।
ସେପଟେ କିନ୍ତୁ ବିଶେଷଜ୍ଞ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଠିକ୍ ବୋଲି ଦର୍ଶାଇଛନ୍ତି। ରାଜ୍ୟର ଆବଶ୍ୟକତା ଅନୁସାରେ ଦୁଇଟି ଅତିରିକ୍ତ ବଜେଟ୍ କରାଯାଇପାରିବ। ହଠାତ୍ ନୂଆ ସ୍କିମ୍ କିମ୍ବା ଅନ୍ୟ କୌଣସି କାମ ପାଇଁ ଅଧିକ ଅର୍ଥର ଦରକାର ପଡ଼ିଲେ ଏଭଳି ବ୍ୟବସ୍ଥା କରିବାକୁ ପଡ଼ିଥାଏ ବୋଲି ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି।
୨୦୧୭-୧୮ ଆର୍ଥିକ ବର୍ଷରେ ବଜେଟ୍ ୧ଲକ୍ଷ ୬ ହଜାର କୋଟି ଟଙ୍କା ଥିଲା। ତେବେ ଏଫ୍ଆରବିଏମ୍ ଆଇନକୁ ସଂଶୋଧନ କରି ଦୁଇଟି ଅତିରିକ୍ତ ବଜେଟ୍ ଆଣିଲେ, କେତେ ଅର୍ଥର ବ୍ୟବସ୍ଥା କରାଯିବ ଓ ତା ଦ୍ୱାରା ରାଜ୍ୟକୁ କେତେ ଲାଭ ମିଳିବ ତା ଉପରେ ନଜର ରହିଛି।