ଜୁଲାଇ ପାଇଁ କରୋନା ରଣନୀତି : ଜିଲ୍ଲାପାଳ ଓ ଏସପିଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଜୁଲାଇ ମାସ ନିମନ୍ତେ କରୋନା ମୁକାବିଲା ରଣନୀତିକୁ ଚୂଡ଼ାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନଙ୍କର ମତାମତ ଲୋଡ଼ିଛନ୍ତି। ବିଭିନ୍ନ ସରକାରୀ ଅଫିସଗୁଡ଼ିକୁ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ରଖିବା ସମେତ ମୋଟ୍ ୧୦ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଆଜି ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ […]

naveen-patnik

naveen-patnik

Manoranjan Sial
  • Published: Monday, 29 June 2020
  • Updated: 29 June 2020, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଜୁଲାଇ ମାସ ନିମନ୍ତେ କରୋନା ମୁକାବିଲା ରଣନୀତିକୁ ଚୂଡ଼ାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନଙ୍କର ମତାମତ ଲୋଡ଼ିଛନ୍ତି। ବିଭିନ୍ନ ସରକାରୀ ଅଫିସଗୁଡ଼ିକୁ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ରଖିବା ସମେତ ମୋଟ୍ ୧୦ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଆଜି ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି।
ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ କୋଭିଡ୍ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଇଥିଲେ। ଲୋକମାନଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି, ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସମ୍ପର୍କରେ ସଚେତନ କରାଯିବା ଦରକାର ଓ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୋଭିଡ୍ ପରିଚାଳନାରେ ଜିଲ୍ଲାପାଳ ଓ ଏସପିମାନେ ଗତ ୩ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଜୁଲାଇ ମାସରେ କୋଭିଡ୍ ମୁକାବିଲା ପାଇଁ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ସେମାନଙ୍କର ମତାମତ ଆଧାରରେ ରାଜ୍ୟ ସରକାର କୋଭିଡ୍ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ସଂକ୍ରମିତ କୋଭିଡ୍ ଯୋଦ୍ଧାମାନଙ୍କ ସହ ଫୋନରେ କଥା ହୋଇ ସେମାନଙ୍କର ଭଲମନ୍ଦ ବୁଝୁଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କର ଫିଡବ୍ୟାକ୍ ବହୁତ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସଂକ୍ରମିତ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ।

ସେହିପରି ସରକାରୀ ଅଫିସଗୁଡ଼ିକ ଯେପରି ସଂକ୍ରମଣମୁକ୍ତ ରହିବ, ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କୋଭିଡ୍ ନିୟମର କଡ଼ାକଡ଼ି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଶୂନ୍ୟ ସଂକ୍ରମଣ ଅଂଚଳ କରି ରଖିବା, କର୍ମଚାରୀମାନେ କ’ଣ କରିବେ ଓ କ’ଣ ନକରିବେ ସେ ସମ୍ପର୍କରେ ବ୍ୟାପକ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ସବୁ କାର୍ଯ୍ୟାଳୟର ମୁଖ୍ୟ ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।
ଏହାବ୍ୟତୀତ ମାସ୍କର ଉପଯୁକ୍ତ ବ୍ୟବହାର, ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ, ଏସବୁ ଉଲ୍ଲଘଂନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପ୍ରାୟ ୩ମାସ ବିତିଗଲାଣି ଓ ଏସବୁ ଉଲ୍ଲଘଂନ ଘଟଣାରେ ଅଧିକ କଠୋର ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ୍ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଂଚାୟତରେ କୋଭିଡ୍ କେୟାର ହୋମ୍ ସ୍ଥାପନ ଓ କେତେକ ପଂଚାୟତକୁ ନେଇ ଟିଏମସି ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସୂଚନାଯୋଗ୍ୟ, ୱାର୍ଡସ୍ତରରେ କୋଭିଡ୍ କୋର କମିଟିର ୪.୭ଲକ୍ଷ ସଦସ୍ୟଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା କରାଯାଇଛି। ଘରୋଇ ହସ୍ପିଟାଲଗୁଡ଼ିକୁ ସଚେତନ କରିବା ଓ ସେମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରୁଛନ୍ତି କି ନାହିଁ ତାହା ବାରମ୍ବାର ଯାଂଚ, ହଟସ୍ପଟ ଅଂଚଳ ଗୁଡ଼ିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁସାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏବେସୁଦ୍ଧା କରୋନା ଯୁଦ୍ଧରେ ଓଡ଼ିଶା ବହୁତ ଭଲ ପ୍ରଦର୍ଶନ କରିଛି ଓ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହି ବୈଠକରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ପୁଲିସ ଡିଜି, ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସପିମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos