‘କରୋନା’ ମୁକାବିଲା ପାଇଁ ଏଣିକି ୮ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦିନକୁ ଦିନ ଅଧିକରୁ ଅଧିକ ବିସ୍ଫୋରକ ରୂପ ଧାରଣ କରୁଛି ‘କରୋନା’। ପ୍ରତିଦିନ ମୁଣ୍ଡ ନେଇଚାଲିଛି। ଏହାର ମୁକାବିଲା ପାଇଁ ରାଜ୍ୟକୁ ଆଉ ୧ ଲକ୍ଷ ଆଣ୍ଟିଜେନ କିଟ୍‌ ଆଣିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପ୍ରତିଦିନ ୨ ହଜାର ଆଣ୍ଟିଜେନ୍‌ ଓ ୬ ହଜାର RT-PCR କୁ ମିଶାଇ ଦୈନିକ ୮ରୁ ୯ ହଜାର ପରୀକ୍ଷା ପାଇଁ ଯୋଜନା ହୋଇଛି ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା କହିଛନ୍ତି। ସେପଟେ ରୋଗୀଙ୍କ […]

corona

Manoranjan Sial
  • Published: Friday, 10 July 2020
  • , Updated: 10 July 2020, 08:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦିନକୁ ଦିନ ଅଧିକରୁ ଅଧିକ ବିସ୍ଫୋରକ ରୂପ ଧାରଣ କରୁଛି ‘କରୋନା’। ପ୍ରତିଦିନ ମୁଣ୍ଡ ନେଇଚାଲିଛି। ଏହାର ମୁକାବିଲା ପାଇଁ ରାଜ୍ୟକୁ ଆଉ ୧ ଲକ୍ଷ ଆଣ୍ଟିଜେନ କିଟ୍‌ ଆଣିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପ୍ରତିଦିନ ୨ ହଜାର ଆଣ୍ଟିଜେନ୍‌ ଓ ୬ ହଜାର RT-PCR କୁ ମିଶାଇ ଦୈନିକ ୮ରୁ ୯ ହଜାର ପରୀକ୍ଷା ପାଇଁ ଯୋଜନା ହୋଇଛି ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା କହିଛନ୍ତି। ସେପଟେ ରୋଗୀଙ୍କ ଚିକିତ୍ସା ଲାଗି କଟକ SCBକୁ ପ୍ଲାଜମା ଥେରାପିର ହବ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିବା ଥିବା ନେଇ ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି।
ଓଡ଼ିଶା ଉପରେ ଦିନକୁ ଦିନ ଭାରି ପଡୁଛି ‘କରୋନା’। ହାତରୁ ଖସିବାରେ ଲାଗିଛି ସ୍ଥିତି। ରାଜ୍ୟରେ ଏବେ ପ୍ରତି ଦିନ ମୃତ୍ୟୁର ତାଣ୍ଡବ ରଚୁଛି ‘କରୋନା’। ଆଜି ପୁଣି ନେଇଛି ୪ ମୁଣ୍ଡ। ମୃତ୍ୟୁବରଣ କରିଥିବା ଲୋକଙ୍କ ଭିତରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ବୟସ ୫୦ରୁ କମ୍‌। ଜଣଙ୍କ ବୟସ ମାତ୍ର ୩୨ ବର୍ଷ।

ଏପଟେ ସଂକ୍ରମଣରେ ପୂର୍ବର ସବୁ ରେକର୍ଡକୁ ପଛରେ ପକାଇ ଦେଇଛି ଓଡ଼ିଶା। ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୭୫୫ ଆକ୍ରାନ୍ତ। ତେବେ ଆଜିର ଏ ସଂଖ୍ୟା ଗଲା କିଛି ଦିନ ଧରି ଚାଲିଥିବା ୫୦୦ ପ୍ଲସ୍‌ ଟ୍ରେଣ୍ଡରୁ ସିଧା ୭୦୦ ପ୍ଲସ୍‌ରେ ପହଞ୍ଚିଥିବାରୁ ତା ବି ଉଦ୍‌ବେଗର କାରଣ ପାଲଟିଛି। ସେଥିରୁ ୨୪୭ ଲୋକାଲ କେସ୍‌ ଥିବାରୁ ଭୟ ବଢ଼ାଇଛି। ଅଧିକ ସଙ୍ଗୀନ ହେଉଛି ଗଞ୍ଜାମର ସ୍ଥିତି। ରାଜ୍ୟରେ ଏଯାଏଁ ୫୬ ମୃତ୍ୟୁ ସଂଖ୍ୟାରୁ କେବଳ ଗଞ୍ଜାମରୁ ଗଲାଣି ୩୪ ଜଣଙ୍କ ଜୀବନ। ସେପଟେ ଆଜି ଚିହ୍ନଟ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୩୨୦ ଜଣ।

ଗଞ୍ଜାମ ପରେ ଯାଜପୁର, କଟକ, ଖୋର୍ଦ୍ଧା ଭଳି ଜିଲ୍ଲାରେ ଦିନକୁ ଦିନ ଘାତକ ହେଉଛି ‘କରୋନା’। ଆଜି ଗୋଟିଏ ଦିନରେ ଯାଜପୁରରୁ ୮୬, ସୁନ୍ଦରଗଡ଼ରୁ ୬୨, ଖୋର୍ଦ୍ଧାରୁ ୫୯ ଓ କଟକରୁ ଚିହ୍ନଟ ହୋଇଛନ୍ତି ୫୫ ଆକ୍ରନ୍ତ। ତେବେ କଟକରେ ବିଭିନ୍ନ ମେଡିକାଲ ପରେ ସଂକ୍ରମଣର ସୁଅ ଚୈାଦ୍ୱାର ଜେଲକୁ ଛୁଟିବା ସହ ଏଠାରୁ ୮ ସଂକ୍ରମିତ ଚିହ୍ନଟ ପରେ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ଏପଟେ ଏହାକୁ ନଜରରେ ରଖି ସ୍ଥିତି ମୁକାବିଲା ପାଇଁ ଝାରପଡ଼ା ଜେଲ କର୍ତ୍ତୃପକ୍ଷ ଆପଣାଇଛନ୍ତି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ। ଜେଲକୁ ବାହାରୁ ଆସୁଥିବା କଏଦୀଙ୍କ ପାଇଁ ୪ଟି କ୍ୱାରେଣ୍ଟାଇନ୍‌ ସେଣ୍ଟର ବ୍ୟବସ୍ଥା ହୋଇଛି। ଜେଲ୍‌ ଭିତରେ କେହି ସଂକ୍ରମିତ ହେଲେ ସେମାନଙ୍କ ରହିବା ଲାଗି ପ୍ରସ୍ତୁତ ହୋଇଛି ଆଇସୋଲେସନ ଗୃହ। ଏପଟେ ଗଜପତିରେ ଆଜି ୩୦ ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଓ ଆନ୍ଧ୍ର ଯିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ।

ଆଜିର ସଂଖ୍ୟାକୁ ମିଶାଇ ଓଡ଼ିଶାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୭ ହଜାର ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୪ ହଜାର ୪୭୬ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Related story