ମହଙ୍ଗା ଭତ୍ତାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ପରିବର୍ତ୍ତେ ଜାନୁୟାରୀ ମାସରୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ରାଜ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଲୋକସେବା ଭବନର ହଜାର ହଜାର କର୍ମଚାରୀ ଆଜି ଏକଜୁଟ ହୋଇ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୃଢ଼ ଭାବେ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ଭଳି ୨୦୧୯ ଜୁଲାଇ ମାସରୁ ମହଙ୍ଗା ଭତ୍ତା ଲାଗୁ କରିବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ […]

da-1

Manoranjan Sial
  • Published: Saturday, 15 February 2020
  • , Updated: 15 February 2020, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ପରିବର୍ତ୍ତେ ଜାନୁୟାରୀ ମାସରୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ରାଜ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଲୋକସେବା ଭବନର ହଜାର ହଜାର କର୍ମଚାରୀ ଆଜି ଏକଜୁଟ ହୋଇ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୃଢ଼ ଭାବେ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ଭଳି ୨୦୧୯ ଜୁଲାଇ ମାସରୁ ମହଙ୍ଗା ଭତ୍ତା ଲାଗୁ କରିବାକୁ ଦାବି କରିଛନ୍ତି।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ବିରତି ସମୟରେ ଲୋକସେବା ଭବନର ହଜାର ହଜାର କର୍ମଚାରୀ ପଞ୍ଚାୟତିରାଜ ବିଭାଗ ସମ୍ମୁଖ ଗାର୍ଡେନରେ ଏକଜୁଟ ହୋଇ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ। ଓଡ଼ିଶା ସଚିବାଳୟ ସେବାସଂଘ, କେୟାର ଟେକର ସଂଘ, ମୋଟର ଚାଳକ ସଂଘ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଓ ଡାଟା ଏଣ୍ଟ୍ରି ସଂଘର କର୍ମଚାରୀମାନେ ଏକାଠି ହୋଇ ରାଜ୍ୟ ସରକାର କାହିଁକି ପୂର୍ବ ୬ମାସର ମହଙ୍ଗା ଭତ୍ତା ଦେବାକୁ ବିଜ୍ଞପ୍ତିରେ କିଛି ସୂଚନା ଦେଇନାହାନ୍ତି ସେ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

୧୯୭୫ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସରକାର ସମୟରୁ କେନ୍ଦ୍ର ସରକାରଙ୍କ ମହଙ୍ଗା ଭତ୍ତା ଅନୁରୂପ ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ମିଳିଥାଏ। ପ୍ରତିବର୍ଷ ୨ଥର ମହଙ୍ଗା ଭତ୍ତା ମିଳିଥାଏ। କିନ୍ତୁ ଦୀର୍ଘବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାରେ ଏଥର ବିଚ୍ୟୁତି ଦେଖାଦେଇଛି। ତେଣୁ ରାଜ୍ୟ ସରକାର ତୁରନ୍ତ ପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧନ କରି ୧୭ ପ୍ରତିଶତ ମହଙ୍ଗା ଭତ୍ତା ୨୦୨୦ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା ଦେବା ପରିବର୍ତ୍ତେ ୨୦୧୯ ଜୁଲାଇ ୧ରୁ ଦେବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରିଛନ୍ତି। ସରକାର ଯଦି ତୁରନ୍ତ ଏହି ଦାବି ପ୍ରତି ଗୁରୁତ୍ୱ ନଦେବେ ତା’ହେଲେ ସଚିବାଳୟ ମହାସଂଘ ବ୍ୟାନରରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯିବ ଆଉ ଦାବି ପୂରଣ ପର୍ଯ୍ୟନ୍ତ ଲୋକସେବା ଭବନରେ ପ୍ରତିବାଦ କରାଯିବ ବୋଲି କର୍ମଚାରୀ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି।

Related story