ଅଫ୍‌ ଲାଇନ୍‌ ବଦଳରେ ଅନ ଲାଇନରେ ପରୀକ୍ଷା କରାଯାଉ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁଜି ଓ ପିଜି ପରୀକ୍ଷାକୁ ନେଇ ଏବେଠି ଦେଖାଦେଲାଣି ଅସନ୍ତୋଷ। ଅଫ୍‌ ଲାଇନ ମୋଡ୍‌କୁ ମଙ୍ଗୁ ନାହାଁନ୍ତି ପରୀକ୍ଷାର୍ଥୀ। ଅଫ୍‌ ଲାଇନ୍‌ ପରୀକ୍ଷା ଦ୍ୱାରା କରୋନା ସଂକ୍ରମଣ ଅଧିକ ବ୍ୟାପିବ ବୋଲି ଅଣ୍ଡର ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ କହୁଛନ୍ତି। ତେଣୁ ଅଫ୍‌ ଲାଇନ୍‌ ବଦଳରେ ଅନ ଲାଇନରେ ପରୀକ୍ଷା କରିବାକୁ ଦାବି ଜୋର ଧରିଛି। ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ପରୀକ୍ଷା ଅନ ଲାଇନ ଓ ୟୁଜି ପରୀକ୍ଷା ଓଏମ୍‌ଆର୍‌ ବେସଡ୍‌ ମଲଟିପୁଲ୍‌ ଚଏସ ପଦ୍ଧତିରେ […]

exam

Manoranjan Sial
  • Published: Wednesday, 02 September 2020
  • , Updated: 02 September 2020, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁଜି ଓ ପିଜି ପରୀକ୍ଷାକୁ ନେଇ ଏବେଠି ଦେଖାଦେଲାଣି ଅସନ୍ତୋଷ। ଅଫ୍‌ ଲାଇନ ମୋଡ୍‌କୁ ମଙ୍ଗୁ ନାହାଁନ୍ତି ପରୀକ୍ଷାର୍ଥୀ। ଅଫ୍‌ ଲାଇନ୍‌ ପରୀକ୍ଷା ଦ୍ୱାରା କରୋନା ସଂକ୍ରମଣ ଅଧିକ ବ୍ୟାପିବ ବୋଲି ଅଣ୍ଡର ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ କହୁଛନ୍ତି। ତେଣୁ ଅଫ୍‌ ଲାଇନ୍‌ ବଦଳରେ ଅନ ଲାଇନରେ ପରୀକ୍ଷା କରିବାକୁ ଦାବି ଜୋର ଧରିଛି।

ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ପରୀକ୍ଷା ଅନ ଲାଇନ ଓ ୟୁଜି ପରୀକ୍ଷା ଓଏମ୍‌ଆର୍‌ ବେସଡ୍‌ ମଲଟିପୁଲ୍‌ ଚଏସ ପଦ୍ଧତିରେ ଅଫ୍ଲାଇନ୍‌ରେ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ଏଫ୍ଏମ୍ ବିଶ୍ୱବିଦ୍ୟାଳୟ ପିଜି ପରୀକ୍ଷା ଅନ୍‌ଲାଇନରେ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୟୁଜି ପରୀକ୍ଷା ନେଇ ଏଯାଏଁ ନିଷ୍ପତ୍ତି ନେଇପାରି ନାହାଁନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ୟୁଜି ପାଇଁ ଅଫ୍ ଲାଇନ୍ ଓ ପିଜି ପାଇଁ ଅନ୍ ଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏକକ ବିଶ୍ୱବିଦ୍ୟାଳୟ ରେଭେନ୍ସା କିନ୍ତୁ ଉଭୟ ୟୁଜି ଓ ପିଜି ପରୀକ୍ଷା ଅନ୍‌ଲାଇନରେ କରିବାକୁ ନିଷ୍ପତ୍ତି ନେଇଛି।

ରାଜ୍ୟର ୧୧ ବିଶ୍ୱବିଦ୍ୟାଳୟ ଓ ୧୦୩୧ ଡିଗ୍ରୀ କଲେଜରେ ଲକ୍ଷାଧିକ ଛାତ୍ରଛାତ୍ରୀ ୟୁଜି ପିଜି ଶେଷ ବର୍ଷ ପରୀକ୍ଷା ଦେବାକୁ ଯାଉଛନ୍ତି। ତେବେ ପିଜି ତୁଳନାରେ ୟୁଜିରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ତେଣୁ ଭିତ୍ତିଭୂମି ଦୃଷ୍ଟିରୁ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଅନ ଲାଇନରେ ପରୀକ୍ଷା କରାଇବା ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି କରିବ। ଏହାରି ଭିତରେ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ଯାଏ ପରୀକ୍ଷା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ୟୁଜିସି ଦେଇଥିବା ଡେଟ୍ ଲାଇନ୍ ସେପ୍ଟେମ୍ବର ୩୦କୁ ଅକ୍ଟୋବର ୧୦ ଯାଏ ବଢାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉଚ୍ଚ ଶିକ୍ଷା ସଚିବ ୟୁଜିସିକୁ ଅନୁରୋଧ ପତ୍ର ଲେଖିଛନ୍ତି। ଏହାଦ୍ୱାରା ଗୋଟିଏ ଦିନ ଅନ୍ତରରେ ପରୀକ୍ଷା ହେବା ସହ ପରୀକ୍ଷା କେନ୍ଦ୍ରଗୁଡିକ ସାନିଟାଇଜ୍ ହୋଇପାରିବ ବୋଲି ଚିଠିରେ ଦର୍ଶାଯାଇଛି। ଶିକ୍ଷାବିତଙ୍କ ମତରେ ମହାମାରୀ ସମୟରେ ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାହିଁ ଏକ ମାତ୍ର ବିକଳ୍ପ।

ତେବେ ଏଠି ପ୍ରଶ୍ନ ଉଠୁଛି ଅଫ୍ ଲାଇନ୍ ପରୀକ୍ଷା ହେଲେ ଦୂର ଦୂରାନ୍ତରେ ଥିବା ଛାତ୍ରଛାତ୍ରୀଙ୍କ ଲାଗି କି ବ୍ୟବସ୍ଥା କରାଯିବ? ରହଣୀ ପାଇଁ ହଷ୍ଟେଲକୁ ଖୋଲାଯିବ ନା ନାହିଁ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ କିପରି ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରକୁ ଅଣାଯିବ? ହାତରେ ସମୟ କମ ଥିବାରୁ ପରୀକ୍ଷା ଆୟୋଜନ ଉଚ୍ଚ ଶିକ୍ଷା ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି।

Related story