୪ଟି ସଫ୍ଟୱେୟାର ପାର୍କକୁ କାର୍ଯ୍ୟକ୍ଷମ କରାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ସମ୍ବେଦନହୀନତାକୁ କଡ଼ା ଭାଷାରେ ପ୍ରଦେଶ କଂଗ୍ରେସ ଆଜି ସମାଲୋଚନା କରିଛି। ବେକାରୀ ସମସ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନିଯୁକ୍ତି ଅଭାବରୁ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିିତ ବେକାର […]

ODISHA-GOVT-HAS-OBSTRUCTED-THE-SETTING-UP-OF-FOUR-STPI-PARKS-IN-THE-STATE11111

Manoranjan Sial
  • Published: Friday, 15 February 2019
  • , Updated: 15 February 2019, 08:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ସମ୍ବେଦନହୀନତାକୁ କଡ଼ା ଭାଷାରେ ପ୍ରଦେଶ କଂଗ୍ରେସ ଆଜି ସମାଲୋଚନା କରିଛି। ବେକାରୀ ସମସ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନିଯୁକ୍ତି ଅଭାବରୁ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିିତ ବେକାର ଯୁବକଯୁବତୀ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିବାବେଳେ ଓଡ଼ିଶା ସରକାରଙ୍କ ଖାମଖିଆଲି ନୀତି ଯୋଗୁ ୪ଟି ନୂଆ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପ୍ରସ୍ତାବ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଓଡ଼ିଶାରେ ୪ଟି ନୂଆ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ଏସଟିପିଆଇ ମହାନିର୍ଦ୍ଦେଶକ ୨୦୧୬ ଜାନୁଆରୀ ୧୨ତାରିଖରୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଅନୁଗୁଳ, ଯାଜପୁର, ସମ୍ବଲପୁର ଓ କୋରାପୁଟଠାରେ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଥିଲେ।

ନିୟମ ଅନୁସାରେ ରାଜ୍ୟ ସରକାର ବିନା ମୂଲ୍ୟରେ ତିନି ଏକର ଉନ୍ନତ ଜମି ଏବଂ ୨୦ ହଜାର ବର୍ଗଫୁଟ ବିଲ୍ଟଅପ୍ ଏରିଆ ଏସଟିପିଆଇକୁ ଯୋଗାଇ ଦେବାକଥା। ଯଦି ରାଜ୍ୟ ସରକାର ୨୦ ହଜାର ବର୍ଗଫୁଟ ବିଲ୍ଟଅପ୍ ଏରିଆ ଦେଇନପାରିବେ ତା’ବଦଳରେ ୫କୋଟି ଟଙ୍କା ଅନୁଦାନ ଦେବାର ପ୍ରାବଧାନ ରହିଛି। ଏଥିପାଇଁ ୨୦୧୬ ନଭେମ୍ବର ୫ତାରିଖରେ ଓଡ଼ିଶା ସରକାରଙ୍କ ଆଇଟି ବିଭାଗ ଓ ଏସଟିପିଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୁଝାମଣା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ଏହି ସମସ୍ତ ଏସଟିପିଆଇ କେନ୍ଦ୍ରପାଇଁ ରାଜ୍ୟ ସରକାର ଜାଗା ଚିହ୍ନଟ ପ୍ରକ୍ରିୟା ଶେଷକଲେ କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଉକ୍ତ ଜାଗାର ଉନ୍ନତିକରଣ କଲେନି କିମ୍ବା ସେହି ସ୍ଥାନଗୁଡ଼ିକୁ ଏସଟିପିଆଇକୁ ହସ୍ତାନ୍ତର ପ୍ରକ୍ରିୟା ସମ୍ପାଦନ କଲେ ନାହିଁ। ତିନିବର୍ଷ ବିତିଗଲା କିନ୍ତୁ ଓଡ଼ିଶା ସରକାରଙ୍କ ବେକାରୀମାରଣ ନୀତି ଯୋଗୁଁ ଜାଗା ହସ୍ତାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରୁ ନାହିଁ ଯାହା ଫଳରେ ଏସଟିପିଆଇ ତା’ର କାର୍ଯ୍ୟ ଆରମ୍ଭ କରିପାରୁ ନାହିଁ। ଯଦି ନିର୍ଦ୍ଧାରିତ ସମୟ ଭିତରେ ଏହି ୪ଟି ସଫ୍ଟୱେୟାର ପାର୍କ କାର୍ଯ୍ୟ ଆରମ୍ଭ କରିଥାଆନ୍ତା ତା’ହେଲେ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ବହୁ ପରିମାଣର ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିଥାଆନ୍ତା। କିନ୍ତୁ ଏହା ନକରି ଶାସକ ବିଜେଡି ପକ୍ଷରୁ ବେକାରୀ ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇ ବିଭ୍ରାନ୍ତି ସୃଷ୍ଟି କରାଯାଉଛି। ଏଭଳି ଦୋମୁହାଁ ନୀତିକୁ ଆଗାମୀ ଦିନରେ ଓଡ଼ିଶାର ଯୁବସମାଜ କଡ଼ା ଜବାବ ଦେବେ ବୋଲି କଂଗ୍ରେସ ଚେତାବନୀ ଦେଇଛି।

କଂଗ୍ରେସ ଅଭିଯୋଗ କରିଛି ଯେ, ଏସଟିପିଆଇ କେନ୍ଦ୍ର ସ୍ଥାପନ ପାଇଁ ପିସି କାରବାରର ସମ୍ଭାବନା ନଥିବାରୁ ରାଜ୍ୟ ସରକାର ଜାଣିଣୁଣି ଏହି ୪ଟି ପାର୍କକୁ କାର୍ଯ୍ୟକ୍ଷମ କରାଇ ଦେଉନାହାନ୍ତି। ଯଦି କୌଣସି ଘରୋଇ କମ୍ପାନୀ ସହିତ ଚୁକ୍ତିନାମା ହୋଇଥାନ୍ତା ତାହେଲେ ରାଜ୍ୟ ସରକାର ଏହି କେନ୍ଦ୍ର ସ୍ଥାପନ ପାଇଁ ସାଧାରଣ ଜନତାଙ୍କ ଉପରେ ଗୁଳି ମାରିବାକୁ ବି ପଛାଇ ନଥାନ୍ତେ। ଏହି ସମସ୍ତ ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମେକ ଇନ୍ ଓଡ଼ିଶା କନକ୍ଳେଭ ଜରିଆରେ ଦଳ ପାଇଁ ବିଜେଡି ସରକାର ନିର୍ବାଚନୀ ପାଣ୍ଠି ସଂଗ୍ରହ କରୁଛନ୍ତି। ଆଉ ବେକାରୀ ସମସ୍ୟାକୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ଓମପ୍ରକାଶ ସାହୁ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

Related story