କାର୍ଯ୍ୟସ୍ଥଳୀରେ ଘରୋଇ କର୍ମଚାରୀଙ୍କୁ ଟିକାକରଣ, ଗାଇଡଲାଇନ୍ ଜାରି କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ସାମୁହିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ଉଭୟ ସରକାରୀ ଓ ଘରୋଇ କର୍ମଚାରୀ ଏବଂ ପରିବାର ବର୍ଗଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ଟିକାକରଣ ସୁବିଧା ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଶିଳ୍ପ ପ୍ରତିଷ୍ଠାନ ଓ ଘରୋଇ ଅନୁଷ୍ଠାନ ଚାହିଁଲେ ନିଜ ଖର୍ଚ୍ଚରେ ନିଜର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର କୋଭିଡ୍ […]

Vaccine

Ordigital Desk
  • Published: Wednesday, 26 May 2021
  • , Updated: 27 May 2021, 10:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ସାମୁହିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ଉଭୟ ସରକାରୀ ଓ ଘରୋଇ କର୍ମଚାରୀ ଏବଂ ପରିବାର ବର୍ଗଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ଟିକାକରଣ ସୁବିଧା ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଶିଳ୍ପ ପ୍ରତିଷ୍ଠାନ ଓ ଘରୋଇ ଅନୁଷ୍ଠାନ ଚାହିଁଲେ ନିଜ ଖର୍ଚ୍ଚରେ ନିଜର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର କୋଭିଡ୍ ଟିକାକରଣ କରିପାରିବେ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଗତକାଲି ଚିଠି ଲେଖି ଉଭୟ ଘରୋଇ ଓ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳୀ(ୱାର୍କପ୍ଲେସ୍‌)ରେ କୋଭିଡ୍ ଟିକା ପ୍ରଦାନ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସ୍ପଷ୍ଟୀକରଣ ସମ୍ପର୍କରେ ଅବଗତ କରାଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ମେ’ ପହିଲାରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଓ ମେ’ ୧୧ାରୁ ରାଜ୍ୟର ଅନ୍ୟ ୪ଟି ମହାନଗର ନିଗମ ଅଂଚଳରେ ୧୮ରୁ ୪୪ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଜାତୀୟ କୋଭିଡ୍ ଟିକାକରଣ ରଣନୀତି ଅନୁସାରେ ଘରୋଇ ହସ୍ପିଟାଲଗୁଡ଼ିକ ୧୮ରୁ ୪୪ବର୍ଷ ବୟସ ବର୍ଗର, ୪୫ବର୍ଷ ଓ ତଦୁର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ ପାଇଁ ଉତ୍ପାଦନକାରୀ କମ୍ପାନୀଠୁ ସିଧାସଳଖ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ କୋଭିଡ୍ ଟିକା କ୍ରୟ କରିପାରିବେ।

ସେହିପରି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଟିକା କ୍ରୟ କରି ନିଜର କର୍ମଚାରୀ ଓ ସେମାନଙ୍କ ପରିବାରକୁ ନିଜସ୍ୱ ହସ୍ପିଟାଲରେ ଟିକାକରଣ କରାଇପାରିବେ। ଯଦି କୌଣସି ଶିଳ୍ପ ପ୍ରତିଷ୍ଠାନର ନିଜସ୍ୱ ହସ୍ପିଟାଲ ନାହିଁ ସେମାନେ ମଧ୍ୟ ଯେକୌଣସି ଘରୋଇ ହସ୍ପିଟାଲର କୋଭିଡ୍ ଟିକାକରଣ କେନ୍ଦ୍ର ସହ ରାଜିନାମା କରି ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ କରାଇପାରିବେ ।

ତେବେ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳୀରେ ଟିକାକରଣ ନିମନ୍ତେ କୋଭିଡ୍ ଟିକା କ୍ରୟ କରିବାର ଆବଶ୍ୟକତା ନାହିଁ । ସେମାନେ ଭାରତ ସରକାରଙ୍କ ଦ୍ୱାରା ୪୫ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଦିଆଯାଉଥିବା ଟିକା ଏବଂ ରାଜ୍ୟ ସରକାରଙ୍କ ୧୮ରୁ ୪୪ବର୍ଷ ବୟସ ବର୍ଗର ଟିକା ଯୋଗାଣର ସୁବିଧା ନେଇପାରିବେ।

କାର୍ଯ୍ୟସ୍ଥଳୀରେ ଟିକାକରଣ ପାଇଁ ଶିଳ୍ପାନୁଷ୍ଠାନ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ଅବଗତ କରାଇବା ସହ କୋୱିନ୍ ପୋର୍ଟାଲ ମାଧ୍ୟମରେ ଘରୋଇ ଅନୁଷ୍ଠାନଗୁଡ଼ିକ ନିଜର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ(୧୮ରୁ ୪୪ବର୍ଷ ବୟସ ବର୍ଗର) ନିମନ୍ତେ କାର୍ଯ୍ୟସ୍ଥଳୀରେ ଟିକାକରଣ ସୁବିଧା ଯୋଗାଇବା ପାଇଁ ଯେଭଳି ଆବଶ୍ୟକ ପଦକ୍ଷେପ ନେବେ, ସେଥିପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

Related story