’ପିଲାଙ୍କ ପାଇଁ ବିପଜ୍ଜନକ ନୁହେଁ ଓମିକ୍ରନ୍, ଆଶ୍ୱସ୍ତ ରୁହନ୍ତୁ ଅଭିଭାବକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାଙ୍କ ପାଇଁ ଆଦୌ ବିପଜ୍ଜନକ ନୁହେଁ ଓମିକ୍ରନ୍। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଦ୍ୱାରା କୌଣସି ପିଲା ଗୁରୁତର ହେବା ଘଟଣା ସାମ୍ନାକୁ ଆସିନାହିଁ । ଯଦି ବି କୌଣସି ପିଲା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସୁସ୍ଥ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ । ଡ. ଅଗ୍ରୱାଲ କହିଛନ୍ତି, ଓମିକ୍ରନ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ […]

doctor

Niharika Rout
  • Published: Friday, 04 February 2022
  • , Updated: 04 February 2022, 01:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲାଙ୍କ ପାଇଁ ଆଦୌ ବିପଜ୍ଜନକ ନୁହେଁ ଓମିକ୍ରନ୍। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଦ୍ୱାରା କୌଣସି ପିଲା ଗୁରୁତର ହେବା ଘଟଣା ସାମ୍ନାକୁ ଆସିନାହିଁ । ଯଦି ବି କୌଣସି ପିଲା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସୁସ୍ଥ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ ।

ଡ. ଅଗ୍ରୱାଲ କହିଛନ୍ତି, ଓମିକ୍ରନ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ । ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି, ୮୦ରୁ ୯୫ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଇନି । କାରଣ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ତଥା ଇମ୍ୟୁନିଟି ଶକ୍ତି ଯଥେଷ୍ଟ ଥାଏ । କେବଳ ସେତିକି ନୁହେଁ, ପିଲାଙ୍କ ପାଖରେ ବହୁବିଧ ରୋଗ ବି ନଥାଏ । ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି।

ଏଥିସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ସେ କହିଛନ୍ତି, ୧୨ରୁ ୧୫ ବର୍ଷର ପିଲାଙ୍କୁ ଆସନ୍ତା ମାସରୁ ଟିକାକରଣ କରାଯିବ। ଜାଇକୋଭ୍-ଡି ଟିକା ଏହି ବର୍ଗର ପିଲାଙ୍କୁ ଦିଆଯିବ । ଏନେଇ ପାଇଲଟ ପ୍ରୋଜେକ୍ଟରେ ୭ଟି ରାଜ୍ୟକୁ ଅନୁମତି ମିଳିଛି । ଓଡ଼ିଶାକୁ ବି ଖୁବଶୀଘ୍ର ଅନୁମତି ମିଳିବ।

ସେହିପରି ICMR ଗାଇଡଲାଇନ୍ସ ଅନୁଯାୟୀ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କର କୌଣସି ଆବଶ୍ୟକ ନାହିଁ । ତେବେ ୫ରୁ ୧୨ ବର୍ଷ ପିଲା ଅଭିଭାବକଙ୍କ ତଦାରଖରେ ମାସ୍କ ପିନ୍ଧିବେ । ଅସ୍ୱସ୍ତିକର ଅନୁଭବ କଲେ କାଢ଼ି ଦେଇପାରିବେ । କିନ୍ତୁ ୧୨ ବର୍ଷରୁ ଅଧିକ ବୟସର ପିଲା ଭଲ ଭାବେ ମାସ୍କ ପିନ୍ଧିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ସୁନୀଲ ଅଗ୍ରୱାଲ୍ ।

ସୂଚନାଯୋଗ୍ୟ, କୋଭିଡ ଯୋଗୁ ୨ ବର୍ଷ ହେଲା ରାଜ୍ୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଶିକ୍ଷାନୁଷ୍ଠାନ ଖୋଲିବାକୁ ବିଭିନ୍ନ ବର୍ଗରୁ ଚାପ ପଡ଼ିବା ପରେ ସରକାର ଏବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲି ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ୭ତାରିଖରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏହାପରେ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲରେ ପାଠପଢ଼ା ହେବ।

Related story