/odisha-reporter/media/media_files/2026/02/14/madhukanta-2026-02-14-19-12-10.jpg)
Madhukanta
ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ଗିରଫ ଅଭିଯୁକ୍ତର ନାଁ ମଧୁକାନ୍ତ ରାଣା। ପୁଲିସ କମିଶନର ଏସ ଦେବଦତ୍ତ ସିଂହ ଆଜି ଏହି ସୂଚନା ଦେଇଛନ୍ତି।
ପୁଲିସ କମିଶନର କହିଛନ୍ତି, କୁଖ୍ୟାତ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରାଯାଇଛି। ସେଠାରେ ଏକ ଗେଷ୍ଟ ହାଉସ୍ରେ ବାସୁ ପାଣ୍ଡେ ନାଁରେ ସେ କାମ କରୁଥିଲା। ୨୪ ବର୍ଷୀୟ ମଧୁକାନ୍ତ ରାଣା ବିହାରର ସରଣ ଜିଲ୍ଲାର ରାମପୁର ଗାଁରେ।
ଅକ୍ଟୋବର ୩ ତାରିଖ ରାତିରେ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଚୌଦ୍ୱାର ଜେଲ୍ରୁ ଚମ୍ପଟ୍ ମାରିବା ପରେ ପୁରୀ ପଳାଇଥିଲେ। ସେଠାରୁ ତା’ପରଦିନ ପୁରୀରୁ ଟ୍ରେନ୍ ଯୋଗେ ଓଡ଼ିଶା ଛାଡ଼ିବାରେ ସଫଳ ହୋଇଥିଲେ ବୋଲି ପୁଲିସ୍ କମିଶନର କହିଛନ୍ତି।
ଏହି ଦୁଇ ଫେରାର କଏଦୀଙ୍କୁ ଖୋଜିବା ପାଇଁ ୨୬ ଜଣ ପୁଲିସ୍ କର୍ମଚାରୀଙ୍କୁ ନେଇ ୬ଟି ଟିମ୍ ଗଠନ କରାଯାଇଥିଲା। ନାଗାଲାଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଏହି ଟିମ୍ ରେଡ୍ କରିଥିଲା। ଦୁଇ କଏଦୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ଏହି ଦୁଇ କଏଦୀଙ୍କ ସଂପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲା କମିଶନରେଟ୍ ପୁଲିସ। ଆଉ ୪ ମାସ ପରେ ମଧୁକାନ୍ତ ରାଣାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ରାଜା ସାହାଣୀକୁ ଧରିବାକୁ ଖୋଜାଖୋଜି ଜାରି ରଖିଛି ପୁଲିସ।
ପୁଲିସ କମିଶନର କହିଛନ୍ତି ଯେ ମଧୁକାନ୍ତ ରାଣା ଓ ରାଜା ସାହାଣୀଙ୍କୁ ଖସାଇବାରେ ଯଦି କାହାର ହାତ ଥାଏ ଓ ସେ ନେଇ ପ୍ରମାଣ ମିଳେ, ତା’ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଲୁଟ୍ ଓ ହତ୍ୟା
ଗତ ବର୍ଷ ଜାନୁଆରୀ ୪ ତାରିଖରେ ପାଣିକୋଲି ପଣ୍ଡା ଅଳଙ୍କାରରୁ ଲୁଟ୍ ମାମଲାରେ ଧରାପଡ଼ିଥିଲେ ରାଜା ସାହାଣୀ ଓ ମଧୁକାନ୍ତ ରାଣା। ଦିନ ଦ୍ୱିପ୍ରହରରେ ସେମାନେ ପାଣିକୋଇଲି ବଜାରରେ ଅଳଙ୍କାର ଦୋକାନୀଙ୍କ ଉପରକୁ ଗୁଳି କରି ଅଳଙ୍କାର ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଗୋଡ଼ାଇଥିଲେ। ଏହା ଦେଖି ରାଜା ଓ ମଧୁକାନ୍ତ ଲୋକଙ୍କ ଉପରକୁ ଗୁଳି କରିଥିଲେ। ସେମାନଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତଥାପି ସ୍ଥାନୀୟ ଲୋକେ ସାହସ କରି ଉଭୟକଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଗିରଫ ପରେ ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କୁ ଚୌଦ୍ୱାର ସର୍କଲ ଜେଲ୍ରେ ରଖାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
