ବିଧାନସଭା ପରିଚାଳନା ନେଇ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭୟ ଭିତରେ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ସେଥିପାଇଁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଧାୟକ, ମନ୍ତ୍ରୀ, ବିଧାନସଭା ଓ ଲୋକସେଭା ଭବନର କର୍ମଚାରୀମାନେ କରୋନା ଆକ୍ରାନ୍ତ ହେଉଥିବାରୁ ସେମାନଙ୍କ ପାଇଁ କି ପଦକ୍ଷେପ ନିଆଯାଇପାରିବ, ତାହା ଉପରେ ବିଚାର ବିମର୍ଷ ହୋଇଥିଲା। ନିଷ୍ପତ୍ତି ଅନୁସାରେ ଅଧିବେଶନର ଦୁଇଦିନ ପୂର୍ବରୁ ବିଧାନସଭା ପରିସରରେ ବିଧାୟକଙ୍କର RTPCR ଟେଷ୍ଟ ହେବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ […]

odisha-assamble-1-750x430

Manoranjan Sial
  • Published: Monday, 07 September 2020
  • , Updated: 07 September 2020, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭୟ ଭିତରେ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ସେଥିପାଇଁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଧାୟକ, ମନ୍ତ୍ରୀ, ବିଧାନସଭା ଓ ଲୋକସେଭା ଭବନର କର୍ମଚାରୀମାନେ କରୋନା ଆକ୍ରାନ୍ତ ହେଉଥିବାରୁ ସେମାନଙ୍କ ପାଇଁ କି ପଦକ୍ଷେପ ନିଆଯାଇପାରିବ, ତାହା ଉପରେ ବିଚାର ବିମର୍ଷ ହୋଇଥିଲା।

ନିଷ୍ପତ୍ତି ଅନୁସାରେ ଅଧିବେଶନର ଦୁଇଦିନ ପୂର୍ବରୁ ବିଧାନସଭା ପରିସରରେ ବିଧାୟକଙ୍କର RTPCR ଟେଷ୍ଟ ହେବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ କେବଳ ସେମାନଙ୍କୁ ଅଧିବେଶନରେ ସାମିଲ ହେବାକୁ ଅନୁମତି ମିଳିବ। ୫ ଦିନ ପରେ ପୁଣି ଥରେ ବିଧାୟକଙ୍କର କୋଭିଡ୍‌ ଟେଷ୍ଟ ହେବ। ଅଧିବେଶନ ଚାଲିଥିବା ସମୟରେ ଯଦି କାହାର ଲକ୍ଷଣ ଦେଖାଦିଏ, ତାହେଲେ ତାଙ୍କର ତୁରନ୍ତ ଟେଷ୍ଟ ହେବ। ଅଧିବେଶନ ସମୟରେ ବିଧାୟକମାନେ ସଙ୍ଗରୋଧରେ ରହିବେ। ତେବେ ୬୦ ବର୍ଷରୁ ଅଧିକ ବୟସର ବିଧାୟକମାନେ ଜିଲ୍ଲାପାଳ ଅଫିସ କିମ୍ବା ଓକାକରେ ଭିଡିଓ କନଫରନେସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ।

ଆଜି ବସିଥିବା ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ସଦସ୍ୟମାନେ କିଭଳି ବସିବେ ତା’ର ଅନୁଧ୍ୟାନ କରିଥିଲେ। ପ୍ରତିଦିନ ଅଧିବେଶନ ପୂର୍ବରୁ ବିଧାନସଭାକୁ ସାନିଟାଇଜ କରାଯିବ। ବିଧାନସଭା ଷ୍ଟାଫ ଓ ଲୋକସେବା ଭବନର ବିଭିନ୍ନ କର୍ମଚାରୀ ଯେଉଁମାନେ ବିଧାନସଭାକୁ ଆସିବେ ସେମାନଙ୍କର ମଧ୍ୟ କରୋନା ଟେଷ୍ଟ ହେବ।

ବିଧାୟକଙ୍କର କୋଭିଡ୍‌ ଟେଷ୍ଟ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ ସ୍ୱାଗତ କରିଛନ୍ତି। ବିଧାନସଭା ପରିଚାଳନା ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି ବିରୋଧୀ। ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ନୋଟିସ ଗ୍ରହଣ ହେବ ନା ନାହିଁ ସେ ନେଇ ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି-“ବିଧାନସଭାରେ କେଉଁ କେଉଁ ବିଷୟ ଉପରେ ଆଲୋଚନା ହେବ। ସେ ସମ୍ପର୍କରେ ଆଲୋଚନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ। ଏନେଇ ପୁଙ୍ଖାନୁପଙ୍ଖ ଆଲୋଚନା କରନ୍ତୁ।”

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ବିଧାୟକମାନେ କେମିତି ବସିବେ? ବିଧାୟକମାନେ ମୁଲତବି ପ୍ରଶ୍ନ ପଚାରିପାରିବେ କି ନାହିଁ, ଜିରୋ ଆୱାର ଦିଆଯିବ କି ନାହିଁ ସେ ସମ୍ପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବ କଥା। ତେଣୁ ବାଚସ୍ପତି ମହୋଦୟ ସର୍ବଦଳୀୟ ବୈଠକ ଡାକନ୍ତୁ।”

ସେପଟେ ସେପ୍ଟମ୍ବର ୧୪ରୁ ଆରମ୍ଭ ହେଉଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ସବୁ ସାଂସଦଙ୍କର RTPCR ଟେଷ୍ଟ କରାଯିବ। ସାଂସଦଙ୍କ ବ୍ୟତୀତ ପାର୍ଲାମେଣ୍ଟ କାର୍ଯ୍ୟରେ ସାମିଲ ହେବାକୁ ପ୍ରାୟ ଏକ ହଜାର କର୍ମଚାରୀଙ୍କର ମଧ୍ୟ ଗତ ଶନିବାରଠାରୁ ସ୍କ୍ରିନିଂ ଆରମ୍ଭ ହୋଇଛି। ଅକ୍ଟୋବର ୧ ତାରିଖ ଯାଏଁ ଦୀର୍ଘ ୧୮ ଦିନ ଧରି ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ସାପ୍ତାହିକ ଛୁଟି ବାତିଲ୍‌ ସହିତ ପ୍ରଶ୍ନକାଳ ରହିବ ନାହିଁ।

Related story