ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୮ , ୧୯୯୭ ଆଜିର ଦିନରେ ଓଡ଼ିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂତନ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ ବା ଓଟିଭି । ସାରା ଓଡ଼ିଶାବାସୀ ଓଟିଭି ଉପରେ ରଖିଥିବା ବିଶ୍ୱାସ, ଭରସା ଓ କାନ୍ଧକୁ ଦେଇଥିବା ଦାୟିତ୍ୱକୁ ପୂରିଛି ୨୫ ବର୍ଷ । ସ୍ୱଚ୍ଛ, ନିରପେକ୍ଷ, ନିଚ୍ଛକ ଏବଂ ଉଚ୍ଚ ମାନର ସମ୍ବାଦ ପରିବେଷଣ ପ୍ରୟାସକୁ ଆଜି ପୂରିଛି ୨୫ ବର୍ଷ ।
ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ ସମୟ ସହ ତାଳ ଦେଇ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯୁଗରେ ପାଦ ଥାପି ସାରିଛି ଓଟିଭି । ଯାହା ସଠିକ, ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି । ଧୀରେ ଧୀରେ ଓଡ଼ିଶା ଗଣମାଧ୍ୟମ ଇତିହାସରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ଓଟିଭି । ଓଡ଼ିଶାବାସୀଙ୍କ ସୁଖରେ ଓ ଦୁଃଖରେ ସାଥୀ ହୋଇଛି ଏବଂ ପ୍ରତିଟି ବିପତ୍ତିରେ ସହଭାଗୀ ହୋଇଛି।
ପ୍ରତିଟି ଅଭାବୀ ମଣିଷଙ୍କ ଅଭାବ-ଅସୁବିଧାର ସ୍ୱର ହୋଇଛି ଓଟିଭି। ବହୁ ଘାତ, ପ୍ରତିଘାତ ଭିତରେ ଆଗକୁ ବଢ଼ିଛି । ଓଡ଼ିଶାବାସୀଙ୍କ ଅଜସ୍ର ଶ୍ରଦ୍ଧା, ଭଲପାଇବାକୁ ପାଥେୟ କରି ପ୍ରତିଟି ଆହ୍ୱାନକୁ ସାମ୍ନା କରି ସମୟ ସହ ତାଳରେ ତାଳ ମିଳାଇ ଆଗକୁ ବଢ଼ି ଚାଲିଛି ଓଟିଭି । ଏହା ଭିତରେ ଓଟିଭିକୁ ବିତିଛି ୨୫ ବର୍ଷ।