ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଓଟିଭି ଓ ଏହାର କର୍ମଚାରୀଙ୍କୁ ହାଇରାଣ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା। ଗତ ୨୩ ବର୍ଷ ହେଲା ଓଟିଭି ନିଜ ପେସାଦାର କାମ ଓ ନୈତିକତାକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏବେ ହଠାତ ଗତ ୨ ମାସରୁ ଅଧିକ ସମୟ ଭିତରେ ଡଜନେରୁ ଅଧିକ ମାମଲା ରୁଜୁ ହୋଇଛି ବୋଲି ଓଟିଭି କର୍ତ୍ତୃପକ୍ଷ କହିଛନ୍ତି।
ଆଇନରୁ ଊର୍ଦ୍ଧ୍ୱରେ କେହି ନୁହଁନ୍ତି। ଓଟିଭି ବିରୋଧରେ ଆସିଥିବା ଅଭିଯୋଗର ଉଚିତ ତଦନ୍ତ ହେଉ। କୋର୍ଟଙ୍କ ଦ୍ୱାରା ବିଚାର କରାଯାଉ। କିନ୍ତୁ ଏହି ସମୟ ଭିତରେ ପୁଲିସ ସମସ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ଜଗି କହିଛନ୍ତି।
ଓଟିଭି କର୍ମଚାରୀଙ୍କୁ ପୁଲିସ ଟାର୍ଗେଟ କରି ହଇରାଣ କରୁଛି ଏବଂ ସେମାନଙ୍କୁ ଇସ୍ତଫା ଦେବାକୁ ଚାପ ପ୍ରୟୋଗ କରାଯାଉଛି। ସାରା ଓଡ଼ିଶାବାସୀ ଜାଣନ୍ତି, କେବଳ ସରକାରଙ୍କ ଦୁର୍ନୀତିକୁ ନେଇ ଆସୁଥିବା ଅଭିଯୋଗକୁ ଓଟିଭି ନିର୍ଭୀକ ଭାବେ ଖବର ପ୍ରସାରଣ କରୁଥିବାରୁ ଏଭଳି କରାଯାଉଛି। କିନ୍ତୁ ସରକାରଙ୍କ ସଫଳତା ମଧ୍ୟ ଓଟିଭି ଦେଖାଉଛି। କିଛି ଖବର ସରକାରଙ୍କ ସପକ୍ଷରେ ଓ କିଛି ବିପକ୍ଷରେ ରହିଥାଏ। ଆଉ ଏହି ନିରପେକ୍ଷତାକୁ ଦର୍ଶକ ପସନ୍ଦ କରନ୍ତି ବୋଲି ଜଗି କହିଛନ୍ତି।
ଓଟିଭି ବିରୋଧରେ ଅଚାନକ୍ ଆସିଥିବା ସମସ୍ତ ଅଭିଯୋଗର ଉଚିତ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜଗି କହିଛନ୍ତି। ହେଲେ ଓଟିଭି କର୍ମଚାରୀଙ୍କୁ ହଇରାଣ କରିବା ସହ ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ଜଗି କହିଛନ୍ତି।