ଢିଙ୍କିଆରେ ସରିଲା ଜନଶୁଣାଣି, ବିପକ୍ଷବାଦୀଙ୍କୁ ଅଟକାଇଲା ପୁଲିସ୍‌!

ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ପ୍ରଶାସନ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଢିଙ୍କିଆ ଜନଶୁଣାଣିକୁ କିଛି ବିପକ୍ଷବାଦୀଙ୍କୁ ଛଡ଼ା ଯାଇ ନଥିବା ଅଭିଯୋଗ ହୋଇଛି। କେବଳ ସେମାନଙ୍କୁ ନୁହେଁ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଜନଶୁଣାଣି ଶିବିରଠାରୁ ଦୂରରେ ରଖାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା କହିଥିଲା ପ୍ରଶାସନ। ତେବେ ପ୍ରଶାସନର ଏପରି ଦାବିକୁ ଖଣ୍ଡନ କରିଛନ୍ତି ହାଇକୋର୍ଟଙ୍କ ଦ୍ଵାରା ଗଠିତ କମିଟିର ସଦସ୍ୟ। ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଆୟୋଜିତ […]

Jagatsinghpur

Manoranjan Sial
  • Published: Saturday, 05 March 2022
  • , Updated: 05 March 2022, 09:18 PM IST

ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ପ୍ରଶାସନ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଢିଙ୍କିଆ ଜନଶୁଣାଣିକୁ କିଛି ବିପକ୍ଷବାଦୀଙ୍କୁ ଛଡ଼ା ଯାଇ ନଥିବା ଅଭିଯୋଗ ହୋଇଛି। କେବଳ ସେମାନଙ୍କୁ ନୁହେଁ, ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଜନଶୁଣାଣି ଶିବିରଠାରୁ ଦୂରରେ ରଖାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା କହିଥିଲା ପ୍ରଶାସନ। ତେବେ ପ୍ରଶାସନର ଏପରି ଦାବିକୁ ଖଣ୍ଡନ କରିଛନ୍ତି ହାଇକୋର୍ଟଙ୍କ ଦ୍ଵାରା ଗଠିତ କମିଟିର ସଦସ୍ୟ।

ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଆୟୋଜିତ ହୋଇଥିଲା ଜନଶୁଣାଣି ଶିବିର। ଏଥିରେ ହାଇକୋର୍ଟ ଦ୍ଵାରା ଗଠିତ ୫ ଜଣିଆ ଆଇନଜୀବୀ କମିଟି ସଦସ୍ୟ ଯୋଗ ଦେଇଥିଲେ। ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ଉପସ୍ଥିତି ଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଆରମ୍ଭ ହୋଇଥିଲା ଜନଶୁଣାଣି। ଢିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ୫ଟି ଗାଁର ଉଭୟ ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ଜନଶୁଣାଣିକୁ ଆସିଥିଲେ। ମାତ୍ର ବିପକ୍ଷବାଦୀଙ୍କୁ ପୁଲିସ୍‌ ଅଟକାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଆଧାରକାର୍ଡ ଯାଞ୍ଚ ପରେ ଜନଶୁଣାଣିକୁ ଗାଁ ଲୋକଙ୍କୁ ଛଡ଼ା ଯାଇଥିଲା। ହେଲେ ବିପକ୍ଷବାଦୀଙ୍କୁ ପଞ୍ଚାୟତ କ୍ୟାମ୍ପସ ପରିସରରେ ଅଟକାଇ ଦିଆଯାଇଥିଲା। ସେମାନଙ୍କ ଭିତରୁ କିଛି ବ୍ୟକ୍ତିଙ୍କୁ ଜନଶୁଣାଣି ଶିବିରକୁ ଛଡ଼ା ଯାଇଥିଲା। ଆଉ ଯେଉଁ ବିପକ୍ଷବାଦୀ ଟିକେ ବିଳମ୍ୱରେ ଆସିଲେ, ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ଛଡ଼ା ଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ହୋ-ହଲ୍ଲା ଓ ଉତ୍ତେଜନା ପ୍ରକାଶ ପାଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜନଶୁଣାଣିରେ JSW ସପକ୍ଷବାଦୀଙ୍କୁ ବହୁ ସମୟ କହିବାକୁ ଦିଆଯାଇଥିଲା। ମାତ୍ର ବିପକ୍ଷବାଦୀଙ୍କୁ କହିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ବିପକ୍ଷବାଦୀ ଜନଶୁଣାଣିରୁ ଉଠି ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା।

ଜନଶୁଣାଣି ନେଇ ତ୍ରିଲୋଚନପୁର ଗାଁର ଜଣେ ଯୁବକ କହିଛନ୍ତି, “ଜନଶୁଣାଣିରେ ମୋ ମତ ରଖିବା ପାଇଁ ଆସିଥିଲି। କିନ୍ତୁ ଆମକୁ କିଛି କହିବା ପାଇଁ ସୁଯୋଗ ମିଳିଲା ନାହିଁ। ପ୍ରଶାସନ ଆମକୁ ଗେଟ୍‌ରେ ଛାଡ଼ିଲା ନାହିଁ। ଜନଶୁଣାଣିକୁ ଯିବା ପାଇଁ ଦେଲେ ନାହିଁ। ମୋ’ ପରି ବହୁ ଲୋକ ବାହାରେ ରହି ଯାଇଥିଲେ। ଜନଶୁଣାଣି ଶିବିରରେ କେବଳ ପ୍ରକଳ୍ପ ସପକ୍ଷବାଦୀ ଲୋକ ବସିଥିଲେ। ପ୍ରଶାସନ ପୁଲିସ୍‌ ଲଗାଇ ଆମକୁ କାହିଁକି ଏମିତି ନିର୍ଯାତନା ଦେଉଛି?”

ମାହାଳ ଗାଁର ପ୍ରେମଲତା ରାଉତ କହିଛନ୍ତି, “ମୋ ପୁଅ ଚଳିବ କେମିତି? ମୁଁ ଚଳିବି କେମିତି? ଅନ୍ଧ ବୁଢ଼ାଟା କେମିତି ଔଷଧ ଖାଇବ? ସେକଥା କହିବା ପାଇଁ ଆସିଥିଲି। ହେଲେ ମୋତେ ଛାଡ଼ିଲେ ନାହିଁ। ଜାଗା ନାହିଁ କହି ଫେରାଇ ଦେଲେ। ତେଣୁ ଫେରିଆସିଲି। ପୁଲିସ ମୋ ବରଜ ଭାଙ୍ଗି ମାଟି ଚଢ଼େଇ ଦେଇଛି। ଆମକୁ କିଛି ପଚାରି ନାହାନ୍ତି। କିଛି ପଇସା ଦେଉନାହାନ୍ତି। ପୁଅ ମୋର ମାଡ଼ ଖାଇ କେଉଁଆଡ଼େ ଚାଲି ଯାଇଛି। ଚଳିବା ପାଇଁ ନାହିଁ ନ ଥିବା ଅସୁବିଧାରେ ପଡ଼ୁଛୁ। ଏ ପ୍ରକଳ୍ପକୁ ଆମେ ବିରୋଧ କରୁଛୁ।”

ହାଇକୋର୍ଟଙ୍କ ଦ୍ଵାରା ଗଠିତ କମିଟିର ସଦସ୍ୟ ପ୍ରଶାନ୍ତ ଜେନା କହିଛନ୍ତି, “ଲୋକଙ୍କ ଅଭିଯୋଗ ଶୁଣିଲୁ। କିଛି ଲୋକ ପ୍ରଶାସନ ସପକ୍ଷରେ କହିଲେ। ଆଉ କିଛି ପ୍ରଶାସନ ବିପକ୍ଷରେ କହିଲେ। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମସ୍ତ କଥାର ତର୍ଜମା କରି ରିପୋର୍ଟ ଦିଆଯିବ। କିଛି ଲୋକଙ୍କୁ ଆସିବାକୁ ଛଡ଼ା ଯାଉନଥିବା ଶୁଣାଣିବାକୁ ପାଇଥିଲୁ। ଏହା ପରେ ଲୋକଙ୍କୁ ଛାଡ଼ିବା ପାଇଁ ଆମେ ଏସ୍‌ପିଙ୍କୁ ଅନୁରୋଧ କରିଥିଲୁ। ମୁଁ ମଧ୍ୟ ଶିବିର ବାହାରକୁ ଆସି ଅଟକା ଯାଉଥିବା ଲୋକଙ୍କୁ ଛାଡ଼ିବା ପାଇଁ କହିଥିଲି। ବିଶେଷ କରି ଯେଉଁମାନେ କମ୍ପାନୀକୁ ବିରୋଧ କରୁଛନ୍ତି, ସେମାନଙ୍କୁ ଜନଶୁଣାଣିକୁ ଛଡ଼ାଯାଇ ନାହିଁ ବୋଲି ଆମେ ଏବେବି ଶୁଣିବାକୁ ପାଇଲୁ। ତେବେ ସେଥିରେ କେତେ ସତ୍ୟାସତ୍ୟ ରହିଛି, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।”

ଗଣମାଧ୍ୟମକୁ ଅଟକାଇଦେଲେ, ଛାଡ଼ିଲେନି

ଢିଙ୍କିଆରେ ହୋଇଥିବା ଜନଶୁଣାଣିକୁ ଗଣମାଧ୍ୟମକୁ ଛଡ଼ା ଗଲାନାହିଁ। ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଜନଶୁଣାଣି ଶିବିରକୁ କାହିଁକି ଗଣମାଧ୍ୟମ ପ୍ରତିନିଧିଙ୍କ ଛଡ଼ା ଯିବନାହିଁ ବୋଲି ପ୍ରଶ୍ନ କରିଥିଲେ ଉପସ୍ଥିତ ସାମ୍ୱାଦିକମାନେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ା ଯାଉନାହିଁ ବୋଲି ଜଣେ ପ୍ରଶାସନିକ ଅଧିକାରୀ କହିଥିଲେ। ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ହାଇକୋର୍ଟ ଦ୍ଵାରା ଗଠିତ କମିଟିର ସଦସ୍ୟ ପ୍ରଶାନ୍ତ ଜେନାଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ ଜନଶୁଣାଣିକୁ ଗଣମାଧ୍ୟମକୁ ନଛାଡ଼ିବା ନେଇ ହାଇକୋର୍ଟରଙ୍କର କୌଣସି ନିର୍ଦ୍ଦେଶ ନଥିଲା। ଜନଶୁଣାଣିକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଛଡ଼ା ଗଲାନାହିଁ, ତାହାର ଉତ୍ତର ପ୍ରଶାସନ ଦେବ ବୋଲି ସେ କହିଥିଲେ।

ଝାଳନାଳ ହେଲେ ଭିଡିଓ ଗ୍ରାଫର; କହିଲେ-ଆଇଆଇସି ପଠାଇଛନ୍ତି?

ଢିଙ୍କିଆ ପଞ୍ଚାୟତ ପରିସରରେ ହେଉଥିବା ଜନଶୁଣାଣିକୁ ଛଡ଼ା ଯାଇନଥିଲା ଗଣମାଧ୍ୟମ ପ୍ରତିନିଧିଙ୍କୁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବାହାନା କରାଯାଇଥିଲା। ହେଲେ ଜଣେ ଅଜଣା ବ୍ୟକ୍ତି ଜନଶୁଣାଣି ଶିବିର ବାହାରେ ଭିଡିଓଗ୍ରାଫି କରୁଥିବା ଦେଖିବାକୁ ମିଳିଥିଲା। ସେ ଜନଶୁଣାଣିକୁ ଆସିଥିବା ଲୋକଙ୍କ ଭିଡିଓଗ୍ରାଫି କରିବା ପରିବର୍ତ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ଯୁକ୍ତିତର୍କର ଶୁଟିଂ କରୁଥିଲା। ଯାହାକୁ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିଥିଲେ। ତୁମେ କିଏ? କେଉଁ ଚ୍ୟାନେଲ୍‌ରୁ ଆସିଛ? ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏମିତି କେତେ କ’ଣ ପ୍ରଶ୍ନ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ଭିଡିଓଗ୍ରାଫି କରୁଥିବା ଯୁବକ ଜଣକ ପ୍ରଥମେ କିଛି ଉତ୍ତର ଦେଇପାରିନଥିଲା। ଟଣାଓଟରା ପରେ ଆଇଆଇସିଙ୍କ ନିର୍ଦ୍ଦେଶରେ ଭିଡିଓ ଗ୍ରାଫି କରୁଥିବା ଯୁବକ ଜଣକ କହିଥିଲେ। ଏକଥା ପ୍ରଚାରିତ ହେବା ପରେ ଆଇଆଇସି ଗଣମାଧ୍ୟମ ପ୍ରତିନିଧିଙ୍କ କବଳରୁ ସମ୍ପୃକ୍ତ ଯୁବକକୁ ଛାଡ଼ାଇ ନେଇ ପୁଲିସ୍‌ ଗାଡ଼ିରେ ବସାଇ ନେଇ ଯାଇଥିଲେ। ଅନ୍ୟପକ୍ଷରେ ଭିଡିଓ ଗ୍ରାଫି ପାଇଁ ସେ କାହାକୁ କହିନାହାନ୍ତି ବୋଲି ଆଇଆଇସି କହିଥିଲେ।

ଅସନ୍ତୋଷ ଭିତରେ ଢିଙ୍କିଆରେ ହୋଇଥିବା ଜନଶୁଣାଣି ଶେଷ ହୋଇଛି। ହାଇକୋର୍ଟ ଦ୍ଵାରା ଗଠିତ ୫ ଜଣିଆ କମିଟି JSW ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କଠାରୁ ସବୁ ଅଭିଯୋଗ ଶୁଣିଛନ୍ତି।

Related story