ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଜେଲରେ ରହି ତିଆରି କରିଥିଲେ ଗ୍ୟାଙ୍ଗ। କାହାଠୁ ସୁପାରି ନେଇ ଅନ୍ୟର ଜୀବନ ନେଉଥିଲେ ତ, କେଉଁଠି ଅଚାନକ ଡକାୟତି କରି ସର୍ବସ୍ୱ ହରଣ କରୁଥିଲେ। ଦୀର୍ଘ ବର୍ଷ ଧରି ଅନେକ ଥର ଡକାୟତି କରି ପୁଲିସକୁ ଚକମା ଦେଇ ଆସୁଥିଲେ। ହେଲେ ଗତକାଲି ଫେଲ୍ ମାରିଗଲା ଡକାୟତି ଯୋଜନା। ଢେଙ୍କାନାଳ ସଦର ପୁଲିସ ହାତରେ ଧରାପଡ଼ିଲା ୬ ଜଣିଆ ଡକାୟତ ଗ୍ୟାଙ୍ଗ। ଢେଙ୍କାନାଳ ସଦରଥାନା ଝାରଗାଡିଆ ଜାତୀୟ ରାଜପଥ ୫୫ ଦେଇ ପଡ଼ୋଶୀ ଜିଲ୍ଲାରେ ଡକାୟତି କରିବା ପାଇଁ ଏହି ଗ୍ୟାଙ୍ଗର ୫ ସଦସ୍ୟ ଯାଉଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗ୍ୟାଙ୍ଗକୁ କାବୁ କରିଛି ପୁଲିସ। ପଚରାଉଚରା ବେଳେ ଆଳୁ ଖୋଳୁଖୋଳୁ ମହାଦେବ ମୂର୍ତ୍ତି ବାହାରିବା ଭଳି ଏହି ଗ୍ୟାଙ୍ଗ ବିଭିନ୍ନ ଜିଲ୍ଲାରେ ଡକାୟତି ସହ ସୁପାରି ନେଇ ଅପରାଧ ଘଟାଇବା(ସୁପାରି କିଲର), ବେଆଇନ ବନ୍ଧୁକ କାରବାର ଓ ବ୍ରାଉନସୁଗାର କାରବାର କରୁଥିବା ପୁଲିସ ଜାଣିବାକୁ ପାଇଥିବା ସୂଚନା ଦେଇଛି।
ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି, ଏହି ଡକାୟତି ମାମଲାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ୫ ଜଣ ଓ ଏମାନଙ୍କ ସହ ସମ୍ପୃକ୍ତି ଥିବା ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି। ଏହି ଅପରାଧୀମାନେ ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାରେ ମିଳିମିଶି ଅପରାଧ ଘଟାଉଥିଲେ। ଗତକାଲି ସକାଳେ ଦୁଇଟି ଗାଡ଼ିରେ କିଛି ଅବରାଧୀ ଡକାୟତି କରିବାକୁ ଯାଉଥିବା ଖବର ମିଳିବା ପରେ ପୁଲିସ ଏହି ଗାଡ଼ିକୁ ଅଟକାଇ ଚେକିଂ କରିଥିଲା। ଯାହା ଭିତରେ ଗୋଟିଏ ଲେଖାଏଁ ବୁଲେଟ ଓ ସୁଇଫ୍ଟ କାର ରହିଥିଲା। ଏହି ସମୟରେ ସେମାନଙ୍କ ଠାରୁ ଗୋଟିଏ ଲେଖାଏଁ ବନ୍ଧୁକ ଓ ଖଣ୍ଡା ସହ ଲଙ୍କା ଗୁଣ୍ଡ ଏବଂ ୨୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।
ପଚରାଉଚରା ପରେ ଏମାନଙ୍କ ଭିତରୁ ଜଣେ କଟକ ଜିଲ୍ଲା ବାଙ୍କିର, ୩ ଜଣ ଗଞ୍ଜାମର ଓ ଅନ୍ୟଜଣେ ଢେଙ୍କାନାଳର ବୋଲି ଜଣାପଡିଥିଲା। ଏମାନଙ୍କ ଭିତରୁ ଗଞ୍ଜାମର ଜଣେ ଅପରାଧୀ ସୁପାରି କିଲର ବୋଲି ଜଣାପଡ଼ିଛି। ଅପରାଧ ଘଟାଇବାରେ ଢେଙ୍କାନାଳ ସଦର ଥାନା ସିମିନଇ ଅଞ୍ଚଳର ଜଣେ ଯୁବକଙ୍କର ସେମାନଙ୍କ ସହ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଥିଲା। ଏହି ଅପରାଧୀମାନେ ପୁଲିସ ଆଗରେ ସେମାନଙ୍କ ପୁରୁଣା ଅପରାଧ ସମ୍ପର୍କରେ ମଧ୍ୟ କହିଥିଲେ।
କିଛି ଦିନ ପୂର୍ବରୁ ଅର୍ଥାତ୍ ଗତମାସ ୨୪ ତାରିଖରେ ଢେଙ୍କାନାଳ ସଦରଥାନା ଅଞ୍ଚଳର ରଞ୍ଜନା ତ୍ରିପାଠୀଙ୍କ ଘରେ ହୋଇଥିବା ଡକାୟତି ମାମଲାରେ ସେମାନଙ୍କ ସମ୍ପୃକ୍ତି ରହିଥିଲା। ଏହି ଡକାୟତି ଜିନିଷ ଠାବ କରିବାକୁ ପୁଲିସ ଚଢ଼ାଉ କରିବା ବେଳେ ଅପରାଧୀଙ୍କ ବିଭିନ୍ନ ଠିକଣାରୁ ୨୫ ହଜାର ୭୨୦ ଟଙ୍କା, ଟିଭି, ସିସି ଟିଭି ହାର୍ଡ ଡିସ୍, ସୁନା ଗହଣା ଜବତ କରିଥିଲା।
ବିଭିନ୍ନ ଅପରାଧ ମାମଲାରେ ଏହି ଦୁର୍ବୃତ୍ତମାନେ ଜେଲରେ ରହିବା ସମୟରେ ପରସ୍ପର ସହ ବନ୍ଧୁତା କରିଥିଲେ। ଜେଲରୁ ମୁକୁଳିବା ପରେ ଡକାୟତି ଓ ବିଭିନ୍ନ ଲୋକଙ୍କ ଠାରୁ ସୁପାରୀ ନେଇ ଅପରାଧ ଘଟାଉଥିଲେ।
ଏହି ଅପରାଧୀଙ୍କ ବିଭିନ୍ନ ଠିକଣାରୁ ସମୁଦାୟ ୩ଟି ଖଣ୍ଡା, ୩୪ଟି ଗୁଳି, ୪ଟି ମାଗାଜିନ, ୪ଟି ଅତ୍ୟାଧୁନିକ ବନ୍ଧୁକ, ନଗଦ ଟଙ୍କା ଓ ସୁନାରୁପା ଗହଣା ଜବତ କରାଯାଇଛି। ଗିରଫ ଅପରାଧୀମାନେ ହେଲେ ଗଞ୍ଜାମର ହିମାଂଶୁ ଶେଖର ସ୍ୱାଇଁ(୩୦), ଅମିତ୍ କୁମାର ସ୍ୱାଇଁ(୨୪), ବ୍ରହ୍ମପୁରର ଶଙ୍କର ସାହୁ(୨୫), କଟକ ବାଙ୍ଗିର ରଞ୍ଜିତ ରାଉତ(୩୦), ଢେଙ୍କାନାଳର ପପୁନ ନାଏକ(୩୦)।
ଏହି ଡକାୟତି ଗ୍ୟାଙ୍ଗରେ ଅନ୍ୟ କିଛି ଅସମାଜିକଙ୍କ ସମ୍ପୃକ୍ତି ରହିଥିବା ପୁଲିସ ସନ୍ଦେହ କରୁଛି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି।
ଜିଲ୍ଲାରେ ବ୍ରାଉନ୍ସୁଗାର କାରବାର ଓ ବେଆଇନ ବନ୍ଧୁକ ବାରବାର କାୟା ମେଲାଉଥିବାରୁ ଆଗକୁ ଏହା ଉପରେ ରୋକ ଲଗାଇବାକୁ ଅପରେସନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।