ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ରିପୋର୍ଟ ବଦଳାଇବାକୁ ପୁଲିସ୍‌ ଚାପ ପକାଉଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରିପୋର୍ଟ ବଦଳାଇବାକୁ ଡାକ୍ତରଙ୍କ ଉପରେ ପୁଲିସ୍ ଚାପ ପକାଉଛି। ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି ରଖିବ ବୋଲି ବିଜେପି କହିଛି। ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମାଲକାନଗିରି ଯାଇ ସରଜମିନ୍ ତଦନ୍ତ କରିବା ପରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ […]

bjp00

Manoranjan Sial
  • Published: Friday, 10 July 2020
  • , Updated: 12 July 2020, 07:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରିପୋର୍ଟ ବଦଳାଇବାକୁ ଡାକ୍ତରଙ୍କ ଉପରେ ପୁଲିସ୍ ଚାପ ପକାଉଛି। ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି ରଖିବ ବୋଲି ବିଜେପି କହିଛି। ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମାଲକାନଗିରି ଯାଇ ସରଜମିନ୍ ତଦନ୍ତ କରିବା ପରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି।

ପ୍ରତିନିଧି ଦଳ ମାଲକାନଗିରିରୁ ଫେରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି। ବିଶେଷ କରି ମହିଳାମାନଙ୍କ ସହ ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରକ୍ଷକ ଏଠି ଭକ୍ଷକ ସାଜିଛି। ମାଲକାନଗିରି ପୁଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳା ଚନ୍ଦ୍ରମା ଭୂଇଁଆ ଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନାହିଁ। ସରଜମିନ ତଦନ୍ତରୁ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ସ୍ପଷ୍ଟ ଜଣାପଡିଛି। ଡାକ୍ତରୀ ରିପୋର୍ଟ ବଦଳାଇବା ଏବଂ ଘଟଣାକୁ ଚପେଇ ଦେବା ପାଇଁ ମୃତା ମହିଳାଙ୍କୁ ଟିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ପୁଲିସ ଚାପ ପକାଉଛି। ଆଦିବାସୀ ମହିଳା ଚନ୍ଦ୍ରମା ଭୂଇଆଁଙ୍କ ମୃତ୍ୟୁ ପାଇଁ ପୁଲିସ ହିଁ ଦାୟୀ। କୋରାପୁଟ ଡାକ୍ତରଙ୍କ କହିବାନୁଯାୟୀ ମହିଳାଙ୍କ ବେକରେ ସନ୍ଦେହଜନକ ଚିହ୍ନ ଥିଲା।

ପୁଲିସ କ୍ୟାଂଟିନ ପାଖରୁ ମହିଳାଙ୍କ ଘର ମାତ୍ର ୫ ମିନିଟ ଦୂରରେ ରହିଛି। ସେଠାରେ ଥିବା ଜଣେ ଚାଟାର୍ଡ ଆକାଉଂଟଙ୍କ ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି। ସେହି ଭିଡିଓକୁ ମଧ୍ୟ ପୋଲିସ ସିଜ୍ କରିଛି । ପୁଲିସ ବିବାଦୀୟ କୁନ୍ଦୁଲି ଭଳି ଡାକ୍ତରଙ୍କ ରିପୋର୍ଟକୁ ବଦଳାଇବାକୁ ଚେଷ୍ଟା କରୁଛି । ଅପରାଧୀଙ୍କୁ କ୍ଲିନଚିଟ୍ ଦେବା ପାଇଁ ପୁଲିସ ଅଂଟା ଭିଡିଛି। ମାଲକାନଗିରି ଏସପିଙ୍କଠୁ ଆରମ୍ଭ କରି ଥାନା ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏ ଘଟଣାର ପ୍ରଚ୍ଛଦପଟରେ ସାମିଲ ଅଛନ୍ତି। ରାଜ୍ୟସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବାବେଳେ ଭଂଜନଗର,ବୀରମିତ୍ରପୁର ଏବଂ ମାଲକାନଗିରି ଘଟଣା ଗୃହ ବିଭାଗର ପୁଲିସ ଅଧିକାରୀମାନଙ୍କର କଳା କାରନାମାକୁ ପଦାରେ ପକାଇଛି।

ଆଗାମୀ ଦିନରେ ଏ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଢ଼ି, ସୋନାଲୀ ସାହୁ ଓ ବବିତା ପାତ୍ର ପ୍ରମୁଖ ସାମିଲ ଥିଲେ।

Related story