ଲାଗିଲା ହତ୍ୟା ଉଦ୍ୟମ ଦଫା, ଗିରଫ ହେବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜିର ଘଟଣା ପରେ ବାଣପୁରରେ ୧୪୪ ଧାରା ଜାରି କରାଯାଇଛି। ଆଇଜି କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗକୁ ବଢ଼ିବାକୁ ବାରଣ କରିଥିଲା ପୁଲିସ୍‌। ବାଣପୁର ଆଇଆଇସି ତାଙ୍କ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇ ବାରଣ କରିଥିଲେ। […]

Prasant Jagdev

Jitendra Garnayak
  • Published: Saturday, 12 March 2022
  • , Updated: 12 March 2022, 10:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜିର ଘଟଣା ପରେ ବାଣପୁରରେ ୧୪୪ ଧାରା ଜାରି କରାଯାଇଛି।

ଆଇଜି କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଗକୁ ବଢ଼ିବାକୁ ବାରଣ କରିଥିଲା ପୁଲିସ୍‌। ବାଣପୁର ଆଇଆଇସି ତାଙ୍କ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇ ବାରଣ କରିଥିଲେ। କିନ୍ତୁ ପୁଲିସ୍ କଥା ମାନି ନଥିଲେ ବିଧାୟକ। ସେ ଗାଡ଼ି ଚଲାଇ ପୁଲିସ୍ ଓ ଉପସ୍ଥିତ ଜନସାଧାରଣଙ୍କ ଉପରେ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ।

ସେ କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ। ଯେତେ ଶୀଘ୍ର ସେ ସୁସ୍ଥ ହେବେ ସେତେ ଶୀଘ୍ର ତାଙ୍କୁ ଗିରଫ କରାଯିବ। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ବହୁ ଲୋକ ଏହି ବର୍ବର ଦୃଶ୍ୟର ରେକର୍ଡିଂ କରିଛନ୍ତି। ସେଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯିବ। ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ଘଟଣାର ତଦନ୍ତ କରିବେ।

ଆଇଜି ଶ୍ରୀ ଭୋଳ କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଛି। ସେ ତାଙ୍କ କାରକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ସେହିଭଳି ପୁଲିସ୍ ଓ ପବ୍ଲିକ୍‌କୁ ଆଘାତ ଦେବା ଦଫା ବି ଲଗାଯାଇଛି। ଏହି ଘଟଣାରେ ୬ ଜଣ ସାଧାରଣ ଲୋକ ଆହତ ହୋଇଥିବା ବେଳେ ୧୦ ଜଣ ପୁଲିସ୍ କର୍ମଚାରୀ ଓ ୨ ଜଣ ସାମ୍ବାଦିକ ଆହତ ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଘଟଣା ପରେ ବାଣପୁର ସହରରେ ୧୪୪ ଧାରା ଜାରି କରାଯାଇଛି। ସନ୍ଧ୍ୟା ୬ଟା ପରଠୁ ସହରର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆଇଜି କହିଛନ୍ତି, ବାଣପୁରରେ ସ୍ଥିତି ଶାନ୍ତ ରହିଛି। ତେବେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସେଠାରେ ୧୪୪ ଧାରା ଜାରି କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଆଜି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏଥିସହ ୨ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ ହୋଇଥିଲେ। ଏହି ସମୟରେ ହଠାତ୍‌ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ଏସୟୁଭି ଗାଡ଼ି ଚଲାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ। ବ୍ଳକ୍ ଅଧ୍ୟକ୍ଷ ନିର୍ବାଚନରେ କିଛି ରଫାଦଫା କରିବାକୁ ସେ ଆସିଥିଲେ ବୋଲି କୁହାଯାଉଛି। ଲୋକେ ତାଙ୍କୁ ଅଟକାଇ ଥିବା ବେଳେ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବିଧାୟକ ଗାଡ଼ିକୁ ଆଗକୁ ନେଇଥିଲେ ଓ ଏହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହା ପରେ ଲୋକେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ ଓ ଲହୁଲୁହାଣ କରି ଦେଇଥିଲେ। ତାଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିରୁଜି ସେଥିରେ ନିଆଁ ଲଗାଇ ଦେଇଥିଲେ।

Related story